-ସତ୍ୟବ୍ରତ ପାଢୀ

ଆଜି ରାତିଠାରୁ ସିଧାସଳଖ ଭାବେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାଲେସିଆର ‘କୁଆଲାଲମ୍ପୁର’ ପର୍ଯ୍ୟନ୍ତ ପ୍ରଥମ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଆରମ୍ଭ ହେବାକୁ ଯାଉଛି। ଯାହାକି ଏକ ଐତିହାସିକ ମୂହୁର୍ତ୍ତ ହେବାକୁ ଯାଉଛି। ଏୟାର ଏସିଆ ପକ୍ଷରୁ ଏକ ବିମାନ ମାଲେସିଆରୁ ‘କୁଆଲାଲମ୍ପୁର’ରୁ ଆସି ରାତି ୧୧ଟା ୨୫ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚିବ ଏବଂ ସେହି ବିମାନ ଭୁବନେଶ୍ୱରରୁ ୧୧ଟା ୫୫ ମିନିଟ୍‌ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ‘କୁଆଲାଲମ୍ପୁର’ ଅଭିମୁଖେ ଉଡ଼ାଣ କରିବ।

ବେଶ୍ କିଛି ମାସ ପୂର୍ବରୁ ‘ଏୟାର ଏସିଆ’ କମ୍ପାନୀ ପକ୍ଷରୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରାଯାଇଥିଲା। ବିଶେଷତଃ ବିଭିନ୍ନ ସୋସିଆଲ୍ ମିଡିଆରେ ଏହାର ସମସ୍ତ ବିବୃତି ପ୍ରକାଶ ପାଇଥିଲା। ସବୁଶ୍ରେଣୀର ଗ୍ରାହକଙ୍କୁ ସୁଆଇଲା ଭଳି ଏହି ବିମାନର ଭଡ଼ା ଧାର୍ଯ୍ୟ କରାଯାଇଛି।

ପ୍ରଥମ ଦଫାରେ ସପ୍ତାହକୁ ୪ ଦିନ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଦିନ ଏହି ବିମାନ ଭୁବନେଶ୍ୱରରୁ ମାଲେସିଆକୁ ଯାତାୟତ କରିବ। ୨୦୧୩ ମସିହାରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇବା ପରେ ୨୦୧୫ରେ ପରୀକ୍ଷା ମୂଳକ ଭାବେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଥିଲା କିନ୍ତୁ କୌଣସି ବିମାନ ସିଧା ସଳଖ ଭୁବନେଶ୍ୱରକୁ ଯାତାୟତ କରିପାରିନଥିଲା। ବିଭିନ୍ନ ଦେଶକୁ ଯିବାକୁ ହେଲେ ଓଡ଼ିଶାର ଯାତ୍ରୀମାନଙ୍କୁ ଭାୟା କଲିକତା କିମ୍ବା ଦିଲ୍ଲୀ ଦେଇ ଯିବାକୁ ପଡୁଥିଲା।

ଏକଦା ୮୦ଦଶକରେ ଓଡ଼ିଶାରୁ ବିମାନ ଚଳାଚଳ ସେବା ଆରମ୍ଭ ହୋଇଥିଲା। ସେ ସମୟରେ ତଥାକଥିତ କିଛି ଶିଳ୍ପପତି ଓ ଯାତ୍ରୀଙ୍କ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ ସ୍ୱାଭାବିକ ହୋଇପାରିବ କି ନାହିଁ ତାହା ସେ ସମୟରେ ଏକ ବଡ଼ ପ୍ରଶ୍ନବାଚୀ ଥିଲା। କାରଣ ସେ ସମୟରେ ଓଡ଼ିଶାରୁ ସିଧାସଳଖ ଭାବେ କଲିକତା ବ୍ୟତୀତ ଭାରତର ଅନ୍ୟ କୌଣସି ସହରକୁ ବିମାନ ଚଳାଚଳ କରିପାରୁନଥିଲା। ମାତ୍ର ହାତଗଣତି ୧୦/୧୫ ଜଣ ଲୋକଠୁ ସେ ସମୟରେ ବିମାନ ସେବାକୁ ଆପଣେଇଥିଲେ। ଧିରେ ଧିରେ ବିଜୁପଟ୍ଟନାୟକ ବିମାନ ବନ୍ଦରର କଳେବର ବୃଦ୍ଧି ହୋଇଛି। ଏବେ ଦେଶର ସମସ୍ତ ସହରକୁ ବିମାନ ଚଳାଚଳ ବେଶ୍ କିଛି ବର୍ଷ ହେବ ସଫଳତାର ସହ ଉଡ଼ାଣ କରୁଛି। ବହୁ କମ୍ପାନୀର ବିମାନ ଏବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚୁଛି। ସକାଳୁ ସକାଳୁ ଅର୍ଥାତ୍ ୫-୬ଟାରେ ଯେଉଁ ବିମାନ ଦେଶର ଅନ୍ୟ ସହରକୁ ବାହାରୁଛି ସେଥିରେ ଯାତ୍ରୀଙ୍କ ସଂଖ୍ୟା ପୂର୍ଣ୍ଣ ହେଉଛି। ବେଳେ ବେଳେ ଅନ୍‌ଲାଇନ୍‌ରେ ଟିକେଟ୍‌ ନିଅଣ୍ଟ ମଧ୍ୟ ପଡୁଛି। ସେ ସମୟର ଆଶା ଆଶଙ୍କାର ପ୍ରଶ୍ନର ଉତ୍ତର ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବନି।

ଆଜିର ଏହି ସଫଳତା ପଛରେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ କିଛି କମ୍ ନୁହେଁ। ଜଣେ ବୈମାନିକ ଭାବେ ତାଙ୍କର ସେହି ସମୟର ସ୍ୱପ୍ନ ଓ ଦୂରଦୃଷ୍ଟି ଆଜି ନୂଆ ଏକ ପଥ ସୃଷ୍ଟି କରିଛି।

ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି। ଓଡ଼ିଶାର ସବୁଜ ବନାନୀ, ନୀଳ ସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ଏହାର କୀର୍ତ୍ତିରାଜି, ଅନନ୍ୟ ପରମ୍ପରା, ଲୋକକଳା, ଲୋକନୃତ୍ୟ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ, ଜଗତର ନାଥ ଜଗନ୍ନାଥ, ବ୍ଲାକ୍‌ ପାଗୋଡ଼ା ବା ବିଶ୍ୱର ଅନ୍ୟ ଏକ ଆଶ୍ଚର୍ଯ୍ୟର ମାନ୍ୟତା ଅପେକ୍ଷାରେ ଆମ କୋଣାର୍କ ଶୋଭାରାଜିକୁ ଆଜି ବିଶ୍ୱବାସୀ ବା ପର୍ଯ୍ୟଟକ ସେମାନଙ୍କ ନିଜ ଚକ୍ଷୁରେ ଦେଖିବାକୁ ଅପେକ୍ଷାରତ।

Comment