ଭୁବନେଶ୍ୱର (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଓଡିଶାର ଖଣି ମାଲିକ ଓ ଶିଳ୍ପପତିଙ୍କ ପାଇଁ ଏହା ଭଲ  ଖବର ହୋଇ ନପାରେ, କିନ୍ତୁ ରାଜ୍ୟର ଲକ୍ଷ ଲକ୍ଷ ଆଦିବାସୀ ଏଥିରେ ଆନନ୍ଦ ନେଉଥିବେ ନିଶ୍ଚୟ। ସମାଜକର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ‘ଗୋଲ୍ଡମ୍ୟାନ୍‌ ଏନ୍‌ଭାଇରନ୍‌ମେଣ୍ଟ ପ୍ରାଇଜ୍‌’ ବା ‘ନୋବେଲ ପରିବେଶ ପୁରସ୍କାର’ ପ୍ରଦାନ କରାଯାଇଛି ସାନ ଫ୍ରାଂନ୍ସିସ୍କୋଠାରେ ସୋମବାର ଦିନ।

ସମଗ୍ର ବିଶ୍ୱର ଛଅ ଜଣଙ୍କ ଭିତରୁ ସାମନ୍ତରା ହେଉଛନ୍ତି ଏକମାତ୍ର ଭାରତୀୟ। ଗୋଲ୍ଡ଼ମ୍ୟାନ ପରିବେଶ ପୁରସ୍କାର ଏକ ମର୍ଯ୍ୟାଦାଜନକ ପୁରସ୍କାର କେବଳ ନୁହେଁ, ଯେଉଁମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନଙ୍କର ନିରନ୍ତର ଆନ୍ଦୋଳନ କ୍ଷେତ୍ରରେ ବେଶ୍ ଅବଦାନ ଥାଏ। ସାମନ୍ତରାଙ୍କୁ ନିୟମଗିରି ବକ୍ସ।ଇଟ ବିରୋଧୀ ଆନ୍ଦୋଳନ ପାଇଁ ଗୋଲ୍ଡ଼ମ୍ୟାନ ପୁରସ୍କାର ମିଳିଛି ସତ ହେଲେ ତାଙ୍କୁ କେବଳ ଏଥିରେ ବାନ୍ଧି ରଖିବା ଅନୁଚିତ ହେବ।

ବିଗତ ଦୁଇ ଦଶନ୍ଧି ଧରି ସେ ଅନେକ ଜନଆନ୍ଦୋଳନ ସହିତ ନିଜକୁ ସାମିଲ କରି ଆସିଛନ୍ତି। ଗୋଲ୍ଡ଼ମ୍ୟାନ ପୁରସ୍କାର ମାନପତ୍ରରେ କୁହାଯାଇଛି,”ତାଙ୍କ ଦୀର୍ଘ ବାର ବର୍ଷର ଆଇନଗତ ଆନ୍ଦୋଳନ ଡ଼ଙ୍ଗରିଆ କନ୍ଧମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ଦିଗରେ ସହାୟକ ହୋଇ ପାରିଛି ଏବଂ ନିୟମଗିରିରେ ଆଲୁମିନା ଖଣି ଖୋଳାଯିବା ଦ୍ୱାରା ଯେଉଁ ପରିବେଶଗତ କ୍ଷତି ହୋଇଥାଆନ୍ତା ତାହାକୁ ରୋକାଯାଇପାରିଛି “।

ପେସ।ରେ ଜଣେ ଆଇନଜୀବି ହେବା ଫଳରେ ସେ ଏହି ଆନ୍ଦୋଳନକୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନେଇ ଯାଇପାରିଥିଲେ। ମୂଳତଃ ଜଣେ ସଂଗ୍ରାମୀ, ପ୍ରଫୁଲ୍ଲ ସାମନ୍ତରା ପୂର୍ବରୁ ଗଞ୍ଜାମରେ ଟାଟା ପ୍ରକଳ୍ପ ବିରୁଦ୍ଧରେ ଲଢେଇ କରି ସେଠାରୁ ଟାଟାକୁ ହଟାଇ ପାରିଥିଲେ। ପାରାଦୀପ ପୋସ୍କୋ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ଯଦିଓ ଅଭୟ ସାହୁଙ୍କୁ ପୋସ୍କୋ ବିରୋଧୀ ଆନ୍ଦୋଳନର ଅସଲ ନାୟକ କୁହାଯାଏ।

ଜୟ ପ୍ରକାଶ ନାରାୟଣଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମନ୍ତରା ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ତା’ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ନିୟମଗିରିରୁ ବେଦାନ୍ତ ହଟିବା ପରେ ଏବେ ତାଙ୍କର ଅନ୍ୟ ପ୍ରାଥମିକତା ସବୁ କ’ଣ?

“ଚିରସ୍ଥାୟୀ ବିକାଶରେ ରାଜନେତାଙ୍କ ଅନାଗ୍ରହ ଏବଂ ଗରିବ ଆଦିବାସୀଙ୍କ ପ୍ରତି ସରକାରମାନଙ୍କ ଯେଉଁ ଦ୍ୱେଷ୍ ଭାବ ରହିଛି ତାକୁ ମୁଳପୋଛ କରିବା ପର୍ଯ୍ୟନ୍ତ ମୁଁ ଲଢିବି। ତା’ ଛଡ଼ା ଆମର ଏଭଳି ଏକ ଖଣି ନୀତି ରହିବା ଆବଶ୍ୟକ ଯାହା ବାସ୍ତବରେ କେତେ ଖଣିଜ ପଦାର୍ଥ ବ୍ୟବହାର ହେବ ସେ କଥା କହୁଥିବ”।

୬୫-ବର୍ଷୀୟ ସାମନ୍ତରା ଏପର୍ଯ୍ୟନ୍ତ ଏହି ପୁରସ୍କାର ପାଇଥିବା ଛଅ ଜଣ ଭାରତୀୟଙ୍କ ତାଲିକାରେ ସାମିଲ ହେବା ନିଶ୍ଚିତଭାବେ ଓଡିଶାର ଗଣଆନ୍ଦୋଳନ ପାଇଁ ଏକ ବଡ଼ ସ୍ୱୀକୃତି। ତେବେ ଯେଉଁମାନେ ସାମନ୍ତରାଙ୍କୁ ଅତି ନିକଟରୁ ଦେଖିଛନ୍ତି ସେମାନେ ଏଥିରେ ଏକମତ ହେବେ ଯେ ପ୍ରଫୁଲ୍ଲ ସାମନ୍ତରାଙ୍କ ପାଇଁ ଆନ୍ତର୍ଜାତିକ ସ୍ୱୀକୃତି କିଛି ମାତ୍ରାରେ ଓ କିଛି ସମୟ ପାଇଁ ଆନନ୍ଦ ଆଣି ଦେଇଥାଇପାରେ, କିନ୍ତୁ ତାଙ୍କ ପାଇଁ ଅସଲ ଆନନ୍ଦ ହେଉଛି ଅଧିକରୁ ଅଧିକ ଜନଆନ୍ଦୋଳନରେ ନିଜକୁ ସାମିଲ କରିବା ଓ ଲୋକଶକ୍ତି ଅଭିଯାନକୁ ଆହୁରି ଅନେକ ବାଟ ଆଗେଇନେବା।

 

LEAVE A REPLY

Please enter your comment!
Please enter your name here