“ଗ୍ରିନ୍ ନୋବେଲ କେବଳ ମୋ ପାଇଁ ନୁହେଁ, ଆମେ ଯେଉଁମାନେ ଆନ୍ଦୋଳନ କରୁଛୁ ସେମାନଙ୍କ ପାଇଁ ବଡ଼ ଉପଲବ୍ଧି।”

ମେ ପହିଲାରେ ସମାଜ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ନୋବେଲ ପରିବେଶ ପୁରସ୍କାର ପ୍ରଦାନ କରାଯାଇଛି ସାନ ଫ୍ରାନ୍ସିସ୍କୋ ଠାରେ। ବିଶ୍ୱର ଛଅ ଜଣଙ୍କ ଭିତରୁ ସାମନ୍ତରା ହେଉଛନ୍ତି ଏକ ମାତ୍ର ଭାରତୀୟ। ଗୋଲ୍‌ଡମ୍ୟାନ ପରିବେଶ ପୁରସ୍କାର ଏକ ମର୍ଯ୍ୟାଦାଜନକ ପୁରସ୍କାର କେବଳ ନୁହେଁ, ଯେଉଁମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନଙ୍କର ନିରନ୍ତର ଆନ୍ଦୋଳନ କ୍ଷେତ୍ରରେ ଅବଦାନ ଥାଏ। ସାମନ୍ତରାଙ୍କୁ ନିୟମଗିରି ବକ୍ସ।ଇଟ ବିରୋଧୀ ଆନ୍ଦୋଳନ ପାଇଁ ଗୋଲ୍ଡ଼ମ୍ୟାନ ପୁରସ୍କାର ମିଳିଛି। ପୁରସ୍କାର ଗ୍ରହଣ କରିବା ପରେ ଲୋହିଆ ଏକାଡେମୀରେ ତାଙ୍କ ସହିତ ହୋଇଥିବା ବିଶେଷ ସାକ୍ଷାତକାର।

ଗ୍ରିନ୍ ନୋବେଲ ଭଳି ସମ୍ମାନଜନକ ପୁରସ୍କାର ପାଇବେ ବୋଲି କେବେ ଆଶା କରିଥିଲେ କି ?

ପୁରସ୍କାର ସହିତ ମୋର କିଛି ସମ୍ପର୍କ ନାହିଁ। ଆଜି ପର୍ଯ୍ୟନ୍ତ ମୁଁ ଯେଉଁସବୁ କାମ କରି ଆସିଛି ସେଥିରେ କେହି ମୋତେ ପୁରସ୍କୃତ କରନ୍ତୁ ବୋଲି ଆଶା କରି ନଥିଲି। ଆମେ ଲୋକଙ୍କ ସମସ୍ୟା କଥା ଉଠାଉଛୁ। ଜମି, ଜଙ୍ଗଲ, ଜଳ କଥା କହୁଛୁ। ୯୦ ଦଶକ ପରେ ଭାରତରେ ଯେଉଁ ସାମ୍ବିଧାନିକ ବିରୋଧୀ ନୀତି ଆରମ୍ଭ ହୋଇଛି ଆମେ ତାହାକୁ ବିରୋଧ କରୁଛୁ। ତେଣୁ ଆମକୁ ବିଭିନ୍ନ ଲୋକ ସମାଲୋଚନା କରି ଆସିଛନ୍ତି । ବିକାଶ ନାଁରେ ଯେଉଁଠି ବିନାଶ ହେଉଛି ସେଠି ଆମେ ସ୍ୱର ଉତ୍ତୋଳନ କରୁଛୁ । ସେହି ପରିପ୍ରେକ୍ଷୀରେ ଯେତେବେଳେ ଏହି ପୁରସ୍କାର ମିଳିଲା ସେତେବେଳେ ମୁଁ ଭାବିଲି ଯେ, ଏହି ପୁରସ୍କାର କେବଳ ମୋ ପାଇଁ ନୁହେଁ, ଆମେ ଯେଉଁମାନେ ଆନ୍ଦୋଳନ କରୁଛୁ ସେମାନଙ୍କ ପାଇଁ ବଡ ଉପଲବ୍ଧି ।

ଆପଣ ଯେଉଁ ପୁରସ୍କାର ପାଇଲେ ତାହାକୁ ନିୟମଗିରି ଏବଂ ଜନସାଧାରଣଙ୍କୁ ଉତ୍ସଗୀକୃତ କରିବାର କାରଣ କ’ଣ ?

ଆମେ ବିଭିନ୍ନ ଆନ୍ଦୋଳନ ସହ ଜଡିତ। ଆମେ ଭାରତ ବର୍ଷରେ ଏକ ଭଲ ନୀତି ପ୍ରଣୟନ ପାଇଁ କ୍ୟାମ୍ପେନ କରୁଛୁ। ପରିବେଶକୁ କେମିତି ସୁରକ୍ଷା ଦିଆଯାଇ ପାରିବ ସେ ଦିଗରେ ଆମେ କାମ କରୁଛୁ। ଏଣୁ ଏହି ଆନ୍ଦୋଳନ ଦ୍ୱାରା ପିଲାମାନେ କେମିତି ସଚେତନ ହେବେ ଏବଂ ସେମାନେ କେମିତି ପରିବେଶକୁ ସୁରକ୍ଷା କରିବେ ସେଥିପାଇଁ ଏହି ପୁରସ୍କାର ରାଶିକୁ ଉତ୍ସର୍ଗୀକୃତ କରିଛି ।

ନିୟମଗିରିରେ ସ୍ଥିତି କ’ଣ ଅଛି ?

ସୁପ୍ରିମକୋର୍ଟ କହିଥିଲେ ଯେ, ନିୟମଗିରିରେ ଆଉ ଖଣି ଖନନ ହୋଇପାରିବ ନାହିଁ। ଏହା ସହ ଲାଞ୍ଜିଗଡରେ ଥିବା ବେଦାନ୍ତ ଆଲୁମିନା ପ୍ଲାଣ୍ଟକୁ ସୁପ୍ରିମକୋର୍ଟ ଅବୈଧ ବୋଲି କହିଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସେଠାରୁ ବେଦାନ୍ତକୁ ହଟାଇ ଦେବାର ଥିଲା । କିନ୍ତୁ ସରକାର ତାହା ନକରି ୨୦୧୬ରେ ସୁପ୍ରିମକୋର୍ଟକୁ ଗଲେ। ପୁଣି ଗ୍ରାମସଭା ଡାକିବା ପାଇଁ ପ୍ରହସନ କଲ। ଏହାକୁ ନେଇ ଆମେ ପୁଣି ସୁପ୍ରିମକୋର୍ଟ ଗଲା ଫଳରେ ରାଜ୍ୟ ସରକାରଙ୍କ ପିଟିସନ ଖାରଜ ହେଲା। ତେବେ ମୋର ପ୍ରଶ୍ନ ହେଲା ସେଠି ପୋଲିସ କାହିଁକି ମୁତୟନ କରାଯାଇଛି? ପୋଲିସ ବାରମ୍ବାର ଡଙ୍ଗରିଆ କନ୍ଧଙ୍କୁ ଡରାଇ ଧମକାଇ ମିଛ କେସ୍‌ରେ ଫସାଉଛି। ସାଧାରଣ ଲୋକଙ୍କୁ ମାଓବାଦୀ ଆଖ୍ୟା ଦେଇ ମାମଲା ରୁଜୁ କରାଯାଉଛି। ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ, ସେଠାରେ ୨୦୦୯ ପର୍ଯ୍ୟନ୍ତ ମାଓବାଦୀ ନଥିଲେ। ମାଓବାଦୀଙ୍କ ନାଁ ନେଇ ପୋଲିସ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରକ୍ରିୟାକୁ ବାଧା ଦେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ବେଦାନ୍ତ ପାଇଁ ଲୋକଙ୍କ ଉପରେ ଦମନ ଲୀଳା ଚଳାଇଛନ୍ତି।

ଜୀବିକା ଆନ୍ଦୋଳନର ଭବିଷ୍ୟତ କ’ଣ ?

ବର୍ତ୍ତମାନ ଜୀବିକା ଉପରେ ବେଶୀ ଆକ୍ରମଣ ହେଉଛି। ଜଗତିକରଣ ନାଁରେ ବିନାଶ କରାଯାଉଛି। ଜଗତିକରଣ ଓ ଉଦାରୀକରଣ ନୀତି ଦ୍ୱାରା ସାମୁହିକ ଲୋକଙ୍କର ବିକାଶ ହୋଇନି। କେବଳ ଅଳ୍ପ କିଛି ଲୋକଙ୍କର ବିକାଶ ହୋଇଛି। କିନ୍ତୁ ସେଇଟା ବିକାଶ ନୁହେଁ। ଏହି ନୀତି ଦ୍ୱାରା ଗାଁ ଗହଳିର ଚାଷୀଙ୍କର କିଛି ଉନ୍ନତି ହୋଇନି। ଚାଷ ଏବେ ବ୍ୟୟବହୁଳ ହୋଇ ଯାଇଛି। କୁହାଯାଉଛି ଚାଷରେ ଆଉ ଲାଭ ନାହିଁ। ତେବେ ଚାଷକୁ କ’ଣ ମାରିଦେବା ଉଚିତ୍ କି? ବିଦେଶରୁ ପୁଞ୍ଜି ଆସିଲେ ବିକାଶ ହେବ ବୋଲି ଯାହା କୁହାଯାଉଛି ତାହାର ପୁନର୍ବିଚାର ହେବା ଆବଶ୍ୟକ। ଶିଳ୍ପ ନାଁରେ ଲୋକଙ୍କ ଜମି, ଜଳ, ଜଙ୍ଗଲକୁ ଖତମ କରି ଦିଆଯାଉଛି। କେବଳ କମ୍ ଲୋକଙ୍କ ପାଇଁ ଜୀବିକା ତିଆରି ହେଉଛି। ଆମ ରାଜ୍ୟରେ ଚିନି, ସୂତା, ଲୁଗା, ଝୋଟ କଳ ବନ୍ଦ ହୋଇ ଯାଇଛି। ଫଳରେ ସ୍ଥାନୀୟ ଲୋକେ ଜୀବିକା ହରାଇଛନ୍ତି। ଚାଷକୁ ଯଦି ସରକାର ଅଗ୍ରାଧିକାର ଦିଅନ୍ତେ ତାହାଲେ ଛୋଟଛୋଟ ଶିଳ୍ପ ଗଢ଼ି ଉଠନ୍ତା। ଏହାଦ୍ୱାରା ଲୋକଙ୍କୁ ଜୀବିକା ମିଳନ୍ତା। ମାତ୍ର ସରକାର ତାହା ନକରି ଆଲୁମିନା, ଷ୍ଟିଲ ଶିଳ୍ପ ପଛରେ ପଡିଛନ୍ତି। ପୁଞ୍ଜିପତିଙ୍କୁ ଡାକି ଆଣି ଆମ ରାଜ୍ୟର ମୂଲ୍ୟବାନ ସାମଗ୍ରୀକୁ ଶସ୍ତାରେ ତାଙ୍କ ହାତକୁ ଟେକି ଦେଇଛନ୍ତି। ଯଦି ଏଭଳି ଧାରା ଜାରି ରୁହେ ତାହାଲେ ଆଗାମୀ ୫୦ ବର୍ଷ ପରେ ଓଡିଶା ସମ୍ବଳହୀନ ହୋଇଯିବ।

ସରକାର ଜନସ୍ୱାର୍ଥ ବିରୋଧୀ ନୀତି ଗ୍ରହଣ କରୁଛନ୍ତି କି ?

ସରକାର ଅନେକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଶାସନ ଠିକ୍ ନଥିବାରୁ ତାହା ଠିକ୍ ବାଟରେ କାର୍ଯ୍ୟକାରୀ ହେଉନାହିଁ। ସରକାର ଯାହା କରିବା କଥା ତାହା କରୁନାହାନ୍ତି। ଚାଷ କ୍ଷେତ୍ରକୁ ଅବହେଳା କରାଯାଉଥିବା ବେଳେ ଶିକ୍ଷାକୁ ବି ହତାଦର କରାଯାଉଛି। ସରକାରୀ ସ୍କୁଲରେ ଶିକ୍ଷକ ନଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବାରେ ସରକାର ମାତିଛନ୍ତି। ଏହି ଘରୋଇ ସ୍କୁଲରେ ଓଡିଶାର ଗରିବ ଶ୍ରେଣୀର ପିଲା ପାଠ ପଢିପାରିବେ ନାହିଁ। ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ହେଲେ ସରକାର ଘରୋଇ ହସ୍ପିଟାଲ ନିର୍ମାଣ କରୁଛନ୍ତି। ଘରୋଇ ହସ୍ପିଟାଲ ବ୍ୟୟବହୁଳ ହୋଇ ଯାଇଥିବାରୁ ସାଧାରଣ ଲୋକ ଏଠାରେ ଚିକିତ୍ସିତ ହେବାରୁ ବଞ୍ଚିତ ହେଉଛନ୍ତି। ଏଣୁ ସରକାରଙ୍କ ଏହି ନୀତି ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି।

ଆନ୍ଦୋଳନର ପରିଭାଷା ବଦଳି ଯାଇଛି କି ?

ଆନ୍ଦୋଳନର ପରିଭାଷା କେବେ ବଦଳି ପାରିବ ନାହିଁ। କାରଣ ଦାବି ହାସଲ ପାଇଁ ଆନ୍ଦୋଳନ ହେଉଛି ଏକ ପ୍ରକ୍ରିୟା। ବର୍ତ୍ତମାନ କଥା କଥାକେ ଆନ୍ଦୋଳନ ହେୁଛି। ରାସ୍ତାରୋକୋ ହେଉଛି । ଏସବୁ କ’ଣ?

ଏସବୁ ହେଉଛି ହଠାତ୍ ଏକ ପ୍ରତିକ୍ରିୟା । ମାତ୍ର ଅନେକ ଲୋକ ଭାବପ୍ରବଣତା ହୋଇ ପ୍ରତିବାଦ କଲେ ତାର କିଛି ଫଳ ମିଳେନାହିଁ। ଯଦି ବିଚାର ସମ୍ପନ୍ନ ଭାବେ ପ୍ରତିବାଦ କରାଯାଏ ତାହାଲେ ସେ ଆନ୍ଦୋଳନର ମୂଲ୍ୟ ରହିବ।

ଆପଣଙ୍କୁ ବିକାଶ ବିରୋଧୀ କାହିଁକି କୁହାଯାଏ ?

ଆମେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢେ଼ଇ କରୁଛୁ। ଓଡିଶାବାସୀଙ୍କ ଜୀବନ, ଜୀବିକାର କଥା କହୁଛୁ । ସେଥିପାଇଁ ଆମେ କିଛି ତଥାକଥିତ ଲୋକଙ୍କ ଆଖିରେ ବିକାଶ ବିରୋଧୀ ପାଲଟି ଯାଇଛୁ। ସରକାର ଏବଂ ରାଜନୈତିକ ଦଳ ଲୋକଙ୍କ ସ୍ୱାର୍ଥ ଦେଖୁ ନାହାନ୍ତି। ଓଡିଶାରେ ଯେଉଁ ଶିଳ୍ପର ବିକାଶ ହେଉଛି ବୋଲି କୁହାଯାଉଛି ସେଥିରେ ଓଡିଶାର ବହୁ ଅମୂଲ୍ୟ ସମ୍ପଦ ନଷ୍ଟ ହେଉଛି। ଓଡିଶାବାସୀଙ୍କ ପାଇଁ ଯାହା ଦରକାର ତାହା କରାଯାଉନି। ଆମେ ଏକ ବିକଳ୍ପ ବିକାଶ ଚାହୁଁଛୁ। ହେଲେ ଏହାକୁ କିଛି ଲୋକ ଗ୍ରହଣ କରିପାରୁ ନାହାନ୍ତି।

ଶିଳ୍ପ ହେଲେ ଲୋକଙ୍କୁ ରୋଜଗାର ମିଳିବ ତେବେ ଆପଣ କାହିଁକି ବିରୋଧ କରୁଛନ୍ତି ?

ଓଡିଶାରେ ଆଜି ପର୍ଯ୍ୟନ୍ତ ଯେତେ କଳକାରଖାନା ହୋଇଛି ସେଥିରେ କେତେ ଲୋକଙ୍କୁ ନିଯୁକ୍ତି ମିଳିଛି? ଏହାର ପ୍ରମାଣ କୌଣସି ଶଳ୍ପ ସଂସ୍ଥା କିମ୍ବା ସରକାର ଦେଇ ପାରିବେ ନାହିଁ। ଓଡିଶାରେ ଯେତେ ଶିଳ୍ପ ଅଛି ସେଥିରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ସ୍ଥାନୀୟ ଓ ବିସ୍ଥାପିତ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଏକ ନିୟମ ପ୍ରଣୟନ କରିବା ଦରକାର। ଯେଉଁ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେବେ ତାହାକୁ ବନ୍ଦ କରିବା ପାଇଁ ସରକାର ବ୍ୟବସ୍ଥା କରିବା ଦରକାର। ଆମେ ଏଥିପାଇଁ ଏକାଧିକ ବାର ଦାବି ଉପସ୍ଥାପନ କରିଛୁ। ଯେଉଁମାନେ ବିଏ, ଏମଏ ପାଠ ପଢ଼ୁଛନ୍ତି ସେମାନଙ୍କ ପାଇଁ ଶିଳ୍ପ ସଂସ୍ଥାରେ ନିଯୁକ୍ତି ନାହିଁ। କେବଳ କିଛି ଇଞ୍ଜିନିୟରିଂ ପିଲାଙ୍କୁ ମୋଟା ଅଙ୍କର ଦରମା ଦେଇ ସରକାର ନିଯୁକ୍ତି ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।

ମାଓବାଦୀଙ୍କ ଆନ୍ଦୋଳନ ବାଟବଣା ହୋଇ ଯାଇଛି କି ?

ମାଓବାଦୀଙ୍କ ଆନ୍ଦୋଳନ ହେଉଛି ଗଣତାନ୍ତ୍ରିକ ଆନ୍ଦୋଳନ। ସେମାନେ ହିଂସା ଓ ସଶସ୍ତ୍ର ଆନ୍ଦୋଳନରେ ବିଶ୍ୱାସ କରୁଛନ୍ତି। ତେବେ ମୋର କହିବା କଥା ହେଲା ମାଓବାଦୀଙ୍କ ସଂଖ୍ୟା କାହଁକି ବଢ଼ିଲା? ଏଥିପାଇଁ ଦାୟୀ କିଏ?  ସାଧାରଣ ଲୋକଙ୍କ ଅଧିକାର ଛିନ୍ନ ହେଉଥିବାରୁ ଏବଂ ବିକାଶ ନାମରେ ବିନାଶ ହେଉଥିବାରୁ ମାଓବାଦୀମାନେ ସେଠାରେ ସଫଳ ହେଉଛନ୍ତି। ସରକାରଙ୍କ ବିରୋଧରେ ମତାଇବାରେ ମାଓବାଦୀମାନେ ସଫଳ ହେଉଛନ୍ତି। ଏଣୁ ମାଓବାଦୀ ନେତାଙ୍କୁ ଗୋଟିଏ ଜାଗାରେ ଏକାଠି କରି ସରକାର ଆଲୋଚନା କରିବା ଦରକାର। ସମାଧାନର ବାଟ ନ ବାହାରିଲେ ସରକାର ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଅନ୍ତୁ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇପାରୁନି।

ଆପଣଙ୍କ ପରେ ଆନ୍ଦୋଳନ କେମିତି ବଞ୍ଚିବ?

ଆମେ ଯେଉଁ ଆନ୍ଦୋଳନ କରୁଛୁ ତାହା ସୀମିତ । ଏଣୁ ଏବେ ଯେଉଁ ବିକାଶ ବିରୋଧୀ କାମ ଚାଲୁଛି ସେଥିପାଇଁ ବ୍ୟାପକ ଆନ୍ଦୋଳନ ଆବଶ୍ୟକ। ଏହାକୁ ଆଗାମୀ ପିଢ଼ିର ଯୁବକମାନେ ବଞ୍ଚାଇ ରଖିବେ ବୋଲି ବିଶ୍ୱାସ।

(ପ୍ରସ୍ତୁତି : ସରୋଜ)

Comment