ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ସୁରେନ୍ଦ୍ରନାଥ ନାୟକଙ୍କ ସହ ଓଡିଶାଲାଇଭ୍ ବିଶେଷ ସାକ୍ଷାତକାର 

ଆପଣଙ୍କ ସମୟର ରାଜନୀତି ଆଉ ବର୍ତ୍ତମାନ ଭିତରେ ପାର୍ଥକ୍ୟ ?
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଣୀ ଏବଂ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ 1952ରେ ରାଜନୀତିକୁ ଆସିଥିଲି। ଏବେ 2017 ହୋଇଗଲାଣି। ସେତେବେଳେ ଦେଶ, କାଳ, ପାତ୍ରର ଅବସ୍ଥା ଯାହା ଥିଲା ତାହା ଏବେ ବଦଳି ଯାଇଛି। ଅତୀତ ଏବଂ ବର୍ତ୍ତମାନର ରାଜନୀତି ଭିତରେ ତଫାତ୍ ରହିବା ସ୍ୱାଭାବିକ।

ପରିବର୍ତ୍ତନ ଦେଖୁଛନ୍ତି ?
ସମସ୍ତଙ୍କ ଷ୍ଟାଇଲ୍ ବଦଳି ଯାଇଛି। ଆମ ସମୟରେ ସମସ୍ତେ ଧୋତି ପିନ୍ଧି ରାଜନୀତି କରୁଥିଲେ। ଏବେକାର ରାଜନେତାମାନେ ଆଉ କେହି ଧୋତି କି ଖଦଡ ପିନ୍ଧୁ ନାହାନ୍ତି। ବର୍ତ୍ତମାନ ଯାହା ଚାଲିଛି ତାକୁ ମୁଁ ଭୁଲ୍ ବୋଲି କହୁନି। ଯୁଗ ସହ ତାଳ ଦେଇ ସବୁ ବଦଳିଯିବା ଭଳି ରାଜନୀତିର ତରିକା ମଧ୍ୟ ବଦଳି ଯାଇଛି।

ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କହିବେ ?
ବିଜୁ ପଟ୍ଟନାୟକ ଥିଲେ ଅଦମ୍ୟ ସାହସୀ।  ସେ ତାଙ୍କ ଜୀବନକୁ ବାରମ୍ବାର ବାଜି ଲଗାଇଛନ୍ତି। ଇଣ୍ଡୋନେସିଆରେ ସେ ତାଙ୍କ ଜୀବନକୁ ବାଜି ଲଗାଇଥିବା ଦୃଷ୍ଟାନ୍ତ ରହିଛି। ସ୍ୱାଧୀନତା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ସେତେବେଳେ ବିଜୁ ପଟ୍ଟନାୟକ ଡାକୋଟା ଉଡାଜାହାଜ ନେଇ ପାକିସ୍ତାନ ଯାଇଥିଲେ। ପାକିସ୍ତାନ ସୈନିକଙ୍କୁ କଡା ଜବାବ ଦେଇଥିଲେ।  ନହେଲେ କାଶ୍ମୀର ଆଜି ନଥାନ୍ତା।  ବିଜୁ ପଟ୍ଟନାୟକ କେବଳ ଓଡିଶାରେ ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସେ ସବୁବେଳେ ଓଡିଶାକୁ ଭଲ ପାଉଥିଲେ। ସେ ଯାହା କରୁଥିଲେ ତାକୁ କଳିଙ୍ଗ ନାମରେ ନାମିତ କରୁଥିଲେ। ସେ ଦେଖାଇ ଯାଇଥିବା ରାସ୍ତାରେ ଆମେ ପରିଚାଳିତ ହେଉଛୁ।

ବିଜୁ ନବୀନଙ୍କ ଭିତରେ ପାର୍ଥକ୍ୟ?
ଉଭୟଙ୍କ ରାଜନୀତିର ତରିକା ଭିନ୍ନ। ବିଜୁବାବୁ ଆଗ ପଛ ବିଚାର ନକରି ଆଗକୁ ମାଡି ଚାଲୁଥିଲେ।  କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ବୁଝିସୁଝି ରାଜନୀତି କରୁଛନ୍ତି। ବିଜୁଙ୍କ ଆଦର୍ଶକୁ ଗ୍ରହଣକରି ନବୀନ ପଟ୍ଟନାୟକ ରାଜନୀତି କରୁଥିବାରୁ ତାଙ୍କୁ ଓଡିଶାବାସୀ ଭଲ ପାଉଛନ୍ତି ଏବଂ ଚାରିଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି।

ବିଜୁବାବୁ ପରିବାରବାଦ ରାଜନୀତିରେ ବିଶ୍ୱାସ କରୁଥିଲେ କି ?
ଆଦୌ ନୁହେଁ। ବିଜୁବାବୁ କେବେ ବି ପରିବାରବାଦ ରାଜନୀତିରେ ବିଶ୍ୱାସ କରୁ ନ ଥିଲେ। ତାଙ୍କ ପାଇଁ ସମଗ୍ର ଓଡିଶା ଥିଲା ପରିବାର। ତାଙ୍କ ସହ ରାଜନୀତି କରୁଥିବା ବ୍ୟକ୍ତିମାନେ ପରିବାରର ଜଣେ ଜଣେ ସଦସ୍ୟ।

ବିଜୁବାବୁଙ୍କ ପୁଅ ନବୀନ ରାଜନୀତିକୁ କେମିତି ଆସିଲେ?
ବିଜୁବାବୁ ଯେତେବେଳେ ଚାଲିଗଲେ କାଳେ, ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବ ସେଥିପାଇଁ ତାଙ୍କ ପୁଅଙ୍କୁ ରାଜନୀତିକୁ ଅଣାଯାଇଥିଲା। ତାଙ୍କ ପୁଅ ଓଡିଶା ରାଜନୀତିରେ ପାଦ ଦେବା ପରେ ଓଡିଶାବାସୀ ତାଙ୍କୁ ଆନନ୍ଦର ସହ ଗ୍ରହଣ କରିନେଇଛନ୍ତି। ବିଜୁବାବୁ ମାତ୍ର 6 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ନବୀନବାବୁ 17 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଲେଣି। ଆଗକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଅତି ସ୍ପଷ୍ଟ ଭାବେ ଜଣାପଡୁଛି ।

ବିଜେଡିରେ ବିଜୁ ଅନୁଗତ ହତାଦର କି?
କାହିଁକି ହତାଦର ହେବେ? ମୁଁ କେବେ ହତାଦର ହୋଇଛି ବୋଲି ଅନୁଭବ କରିନି। ମୁଁ ଯାହା ପାଇବାର କଥା ତାହା ପାଇସାରିଛି।  କାକଟପୁର ବିଧାନସଭା ଆସନରୁ 7 ଥର ବିଧାୟକ ହୋଇଛି। ରାଜସ୍ୱ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛି।  ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଛି। ଗତ ପଂଚାୟତ ନିର୍ବାଚନ ବେଳେ ମୋତେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିଲା। ଏହାଛଡା ବିଜୁ ଜନ୍ମ ଶତବାର୍ଷିକୀ ପାଇଁ ଗଢ଼ା ଯାଇଥିବା ଜୟନ୍ତୀ କମିଟିରେ ମୁଁ ଅଧ୍ୟକ୍ଷ ଥିଲି। ମୋତେ ଏବେ 83 ବର୍ଷ ହେଲାଣି। ପରିଣତ ବୟସରେ ମୁଁ ଦଳରେ ହତାଦର ହେଉଛି ବୋଲି କାହିଁକି ମନେକରିବି ?

ବିଜେପି ପାଇଁ ବିଜେଡି ଚାପରେ ରହୁଛି କି ? ଓଡିଶାରେ ବିଜେପିର ଅଭ୍ୟୁଦୟ ଘଟିଛି କି ?
କେବଳ ପଂଚାୟତ ନିର୍ବାଚନରେ କିଛି ଭୋଟ ହାର ବୃଦ୍ଧିପାଇଛି। ଏହାକୁ ଅଭ୍ୟୁଦୟ କୁହାଯାଇ ପାରିବନି। ବିଜୁବାବୁ ଡୁବୁରି-ପାରାଦୀପ ଏକ୍ସପ୍ରେସ ହାଇୱେ ତିଆରି କରି 1966ରେ କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଲେ।  ହେଲେ ତାଙ୍କୁ କ’ଣ ସେତେବେଳେ ଲୋକ ଭୋଟ ଦେଇଥିଲେ? ଅପପ୍ରଚାର କରି କିଛି ଲୋକ ତାଙ୍କୁ ହରାଇ ଦେଇଥିଲେ। ବିଜେପି ସେମିତି ଭାବିବା ଠିକ୍ ନୁହେଁ।

ପ୍ରକୃତରେ ବିଜୁବାବୁ ଆଂଚଳିକ ଦଳ ଗଢ଼ିବାକୁ ଚାହୁଁଥିଲେ?
ଇନ୍ଦିରା ଗାନ୍ଧିଙ୍କ ସହ ଅପଡ ହେବା ପରେ 1971ରେ ବିଜୁବାବୁ ଉତ୍କଳ କଂଗ୍ରେସ ନାମରେ ଏକ ଆଂଚଳିକ ଦଳ ଗଠନ କରି 5ଟି ଜାଗାରେ ପ୍ରାର୍ଥୀ ହୋଇଥିଲେ।  ହେଲେ ସେତେବେଳେ ତାଙ୍କୁ ପରାଜିତ ହେବାକୁ ପଡିଥିଲା। ବିଜୁ ସିନା ହାରିଗଲେ ହେଲେ ତାଙ୍କ ନେତୃତ୍ୱରେ ଆମେ 33 ଜଣ ନିର୍ବାଚନ ଜିତିଥିଲୁ।  ଜରୁରିକାଳୀନ ପରିସ୍ଥିତି ପରେ 1977ରେ ବିଜୁବାବୁ ସମଗ୍ର ଭାରତବର୍ଷର ଅଣକଂଗ୍ରେସ ରାଜନେତାଙ୍କୁ ଏକାଠିକରି ଜନତା ପାର୍ଟି ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ; ଯାହାଫଳରେ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନରେ ପରାଜିତ ହେବାକୁ ପଡିଥିଲା। ଜନତା ପାର୍ଟି ଭାଙ୍ଗିଯିବା ପରେ ବିଜୁବାବୁ ଜନତା ଦଳ ଗଠନ କରିବାରେ ମଧ୍ୟ ଭୂମିକା ନେଇଥିଲେ।  ଜନତା ଦଳ ଗଠନ କରିବା ପରେ ବିଜୁବାବୁ ଆମମାନଙ୍କୁ ଛାଡି ଚାଲିଗଲେ।

ବିଜେଡି କାହିଁକି ଗଠନ ହେଲା ?
ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ସାଙ୍ଗରେ କାମ କରୁଥିବା ଲୋକେ ବେସାହାରା ହୋଇଗଲେ। ଚାରିଆଡ ଅନ୍ଧାର ଦେଖାଗଲା।  ଏଣୁ ତାଙ୍କରି ନାଁକୁ ନେଇ ବିଜେଡି ଗଠନ କରାଗଲା। ସେହି ଦଳ ଏପର୍ଯ୍ୟନ୍ତ କ୍ଷମତାରେ ରହିଛି।

ବିଜୁ ଜନତା ଦଳ ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଛି କି?
ବିଜେଡି ଭାଙ୍ଗିଯିବ କାହିଁକି? ବିଜୁଙ୍କ ନାଁରେ ଗଢ଼ା ହୋଇଥିବା ଦଳ କେବେ ଭାଙ୍ଗିବନି। ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ତ୍ତମାନ ସଂସଦରେ 30 ଜଣ ସଦସ୍ୟ ଥିବାରୁ ବିଜେପିର ଗତିରୋଧ କରିବା ପାଇଁ ଅନ୍ୟମାନେ ମେଂଟ କରିବାକୁ ବିଜେଡି ନିକଟକୁ ଆସୁଛନ୍ତି।

କାକଟପୁରରେ ଆପଣ ସମାନ୍ତରାଳ ଗୋଷ୍ଠୀ ତିଆରି କରୁଛନ୍ତି କାହିଁକି?
ସମାନ୍ତରାଳ ଗୋଷ୍ଠୀ ମୁଁ ତିଆରି କରୁନି।  ମୁଁ ବିଜେଡିରେ ଅଛି। ଦଳ ଭିତରେ ଥିବାରୁ ଲୋକଙ୍କ ପାଇଁ ଯାହା ଦରକାର ତାହା ମୁଁ କରୁଛି।  କାକଟପୁର ଲୋକଙ୍କ ସହ ମୁଁ ଦୀର୍ଘ ଦିନ ଧରି ଜଡିତ ଥିବାରୁ ସବୁବେଳେ ତାଙ୍କ ସୁବିଧା ଅସୁବିଧାରେ ଛିଡାହେଉଛି।

ବର୍ତ୍ତମାନର ବିଧାୟକଙ୍କୁ ଆପଣ ଗ୍ରହଣ କରୁଛନ୍ତି କି ନାହିଁ ?
ମୁଁ ତାଙ୍କୁ ଗ୍ରହଣ କରିଥିଲି। ହେଲେ ସେ ଯଦି ଗ୍ରହଣଯୋଗ୍ୟ ହେବେନି ତା’ହେଲେ ମୁଁ କ’ଣ କରିବି? ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କୁ କିଏ ଆଣିଥିଲା? ମୁଁ 7 ଥର ନିର୍ବାଚନ ଜିତିଛି, 3 ଥର ହାରିଛି। ମୁଁ କେବେ 25ରୁ 30 ହଜାର ଭୋଟରେ ଜିତି ନଥିଲି।  କିନ୍ତୁ 2014ରେ ମୁଁ ତାଙ୍କୁ 30 ହଜାର ଭୋଟରେ ଜିତାଇଥିଲି।  ମୁଁ ବିଧାୟକଙ୍କ ବିରୋଧରେ ଯାଉନି।  କାକଟପୁର ପାଇଁ ମୁଁ ମୋ’ ଜୀବନ ଉତ୍ସର୍ଗ କରିଥିବାରୁ ଲୋକଙ୍କ ପାଇଁ  କାମ କରିଚାଲିଛି।  କାକଟପୁରବାସୀଙ୍କ ସମସ୍ୟାକୁ ଅଣଦେଖା କଲେ ମୁଁ ବରଦାସ୍ତ କରିବିନି।

(ପ୍ରସ୍ତୁତି: ସରୋଜ)

Comment