PM Modi in Lingaraj Temple - OdishaLIVEଭୁବନେଶ୍ୱର (ଓଡିଶାଲାଇଭ୍ ବ୍ୟୁରୋ): ଆଜିକାଲିର ଡିଜିଟାଲ ଓ ଇଣ୍ଟରନେଟ ଯୁଗରେ ସବୁ କିଛି ବଦଳିବାରେ ଲାଗିଛି।ଏପରିକି ଧାର୍ମିକତା ମଧ୍ୟ। ଧାର୍ମିକ ସ୍ଥଳ ତାହା ଯେତେ ବଡ଼ ଓ ଲୋକପ୍ରିୟ ହେଉଥାଉ ନା କାହିଁକି ଯଦି ଅତି ବିଶିଷ୍ଟ ବ୍ୟକ୍ତିଙ୍କ ପାଦ ସେଠି ନପଡ଼ି ଥାଏ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା କଷ୍ଟ। ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର କ୍ଷେତ୍ରରେ ନିକଟରେ ତାହା ହିଁ ହୋଇଛି।

ଏପ୍ରିଲ 15 ଓ 16 ଦି ଦିନ ଧରି ଚାଲିଥିବା  ବିଜେପିର ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଇଛା ପ୍ରକାଶ କରିଥିଲେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ।

ସତ କଥା ହେଉଛି, ମୋଦିଙ୍କ ପୂର୍ବ ଦିନର ରୋଡସୋ ଓ ପରଦିନର ମନ୍ଦିର ପରିଦର୍ଶନ ଯେତିକି ଚର୍ଚ୍ଚାରେ ଥିଲା, ତାଙ୍କ ଭୁବନେଶ୍ୱର ଗସ୍ତର ମୂଳ ଉଦ୍ଦେଶ୍ୟଟି ଏତେ ଆଲୋଚିତ ହୋଇନଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଆସିବା ଫଳରେ ଗୋଟିଏ ବଡ଼ ଫାଇଦା ହୋଇଛି।ମୋଦୀଙ୍କ ଲିଙ୍ଗରାଜ ଦର୍ଶନ ହଠାତ୍ ଭୁବନେଶ୍ୱରର ମନ୍ଦିର ସ୍ଥାପତ୍ୟ ଓ ଏହାର ଚମତ୍କାରିତାକୁ ସାମ୍ନାକୁ ଆଣିପାରିଛି, ଯାହା ବିଗତ କିଛି ବର୍ଷ ଭିତରେ କେବେ ସମ୍ଭବ ହୋଇନଥିଲା।

ଏକାଦଶ ଶତାବ୍ଦୀର ଏହି ମନ୍ଦିରର ବିଭବ ମୋଦିଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିଥିବ। ଏଥି ପାଇଁ ସେ ତାଙ୍କ ଟୁଇଟରେ ଲେଖିଲେ:”ବାଃ! କି ଚମତ୍କାର ମନ୍ଦିର”। ଟୁଇଟର ହାଣ୍ଡଲରେ ମୋଦି ଯେଉଁ ଫୋଟୋ ପୋଷ୍ଟ କରିଥିଲେତାହାର ଜଣେ ପ୍ରଶଂସଙ୍କଙ୍କୁ ମୋଦି ରିଟୁଇଟ କରି କହିଥିଲେ “କେବଳ ଲିଙ୍ଗରାଜ ନୁହଁ ଓଡିଶାର ଅନ୍ୟ ସ୍ଥାନ ବି ବୁଲିବା ଦରକାର। ଏହି ରାଜ୍ୟର କଳାସଂସ୍କୃତି ଯେତିକି ସମୃଦ୍ଧ, ଏଠାକାର ମଣିଷ ମାନେ ମଧ ସେତିକି ହୃଦୟବାନ।”

ମୋଦିଙ୍କ ମାତ୍ର 25 ମିନିଟରମନ୍ଦିର ରହଣି ଲିଙ୍ଗରାଜ ମନ୍ଦିରକୁ ଏକାମାଡ଼କେ ବିଶ୍ୱବାସୀଙ୍କ ଆକର୍ଷଣ କରିପାରିଥିଲା ଯାହାକି ସଧାରଣ ଭାବେ ସମ୍ଭବ ହୋଇ ପାରି ନଥାନ୍ତା।ମୋଦିଙ୍କ ପରେ ପରେ ନେପାଳର ରାଷ୍ଟ୍ରପତି ମହାମ।ନ୍ୟା ବିଦ୍ୟାଦେବୀ ଭଣ୍ଡାରୀ ମଧ୍ୟ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏ ଦୁଇ ବିଶିଷ୍ଟ ରାଷ୍ଟ୍ର ନେତାଙ୍କ ଆଗମନ ନିଶ୍ଚିତ ଭାବରେ ଭୁବନେଶ୍ୱର ଓ ଲିଙ୍ଗରାଜ ମନ୍ଦିରର ଗୁରୁତ୍ୱକୁ ବଢ଼ାଇ ପାରିଛି।

ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆ ଯାଇ ଆସିଛି ତାହା ବ୍ୟତିରେକେ ଏହିଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଏଥିରେ ଦ୍ୱିମତ ନାହିଁ।

ମୋଦିଙ୍କ ଲିଙ୍ଗରାଜ ଦର୍ଶନ ଓ ଇଣ୍ଟରନେଟରେ ଏହାର ଚର୍ଚ୍ଚା ଯୋଗୁଁ ଆମର ବିଶେଷ ଲାଭ ହେବ ବୋଲ ଓଡିଶାଲାଇଭକୁ କହିଛନ୍ତି କିଛି ଟୁର ଅପରେଟର। ମନେହୁଏ ମୋଦିଙ୍କ ଆଗମନ ପରବର୍ତ୍ତୀ, ଲିଙ୍ଗରାଜ ମନ୍ଦିର ସମେତ ମନ୍ଦିର ମାଳିନୀ ଭୁବନେଶ୍ୱରର ଅସଂଖ୍ୟ ମନ୍ଦିରର ପ୍ରଚାର ଓ ପ୍ରସାର ପାଇଁ ଗତାନୁଗତିକତାରୁ ବାହାରି କିଛି ନୂଆ କଥା ଚିନ୍ତା କରାଯିବା ଦରକାର।

Comment