ନବୀନଙ୍କ ରଣନୀତି, ଦଳକୁ ସଜାଡ଼ି ସବୁଆଡ଼ୁ ବିଜେପିର ବାଟ ବନ୍ଦ କରିବା ପାଇଁ ପ୍ରସ୍ତୁତି

ନୀଳାମ୍ବର ରଥ

ପଞ୍ଚାୟତ ନିର୍ବାଚନର ପ୍ରଭାବ କେତେ ତାହା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ଗୋଟି ଚାଳନାରୁ ସ୍ପଷ୍ଟ ବୁଝିହେଉଛି।

ଶୁକ୍ରବାର ଦିନ ନବୀନ ଗୋଟିଏ ପଟେ ଦଳର ସାଂଗଠନିକ ବ୍ୟାପାରରେ ଏକ ବଡ଼ ଧରଣର ହଲଚଲ କରିବା ସହ ଅନ୍ୟପଟେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ବାବଦରେ ସଙ୍କେତ ଦେଇ ମେ ମାସର ଗରମକୁ ଅଧିକ ବଢାଇ ଦେଇଛନ୍ତି। ବିଶେଷକରି ବାଚସ୍ପତି ପଦରୁ ନିରଞ୍ଜନ ପୂଜାରୀଙ୍କ ତରବରିଆ ଇସ୍ତଫା ପ୍ରଦାନ ଘଟଣାରୁ ନବୀନଙ୍କ ନୂଆ ଟିମ୍‍ପାଇଁ ଯେ ସିଲେକ୍ସନ୍‍ ସରିଛି ତାହା ଆଉ ଅଛପା ନୁହେଁ।

ଶୁକ୍ରବାର ସନ୍ଧ୍ୟାରେ ବାଚସ୍ପତି ନିରଞ୍ଜନ ପୂଜାରୀ ତାଙ୍କ ଇସ୍ତଫାପତ୍ର ଉପ-ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ। ନିଜ ନିର୍ବାଚନମଣ୍ଡଳୀକୁ ଅଧିକ ସମୟ ଦେବାପାଇଁ ଇସ୍ତଫା ଦେଲେ ବୋଲି ନିରଞ୍ଜନ ଗଣମାଧ୍ୟମକୁ କହିଥିଲେ ମଧ୍ୟ ନବୀନଙ୍କ ନୂଆ ଟିମ୍‌ରେ ତାଙ୍କୁ ସାମିଲ କରିବା ପାଇଁ ଏହା ଏକ ପ୍ରକାର ପ୍ରସ୍ତୁତି ବୋଲି ବିଚାର କରାଯାଉଛି। କାରଣ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସଂକ୍ଷିପ୍ତ ଭାବରେ “ଅପେକ୍ଷା କରନ୍ତୁ” ବୋଲି ଯେଉଁ ସୂଚନା ଦେଇଥିଲେ, ଏହି ଘଟଣାରୁ ସେହି ଚିତ୍ର ମିଳିବା ସ୍ପଷ୍ଟ ହୋ‍ଇଯାଇଛି।

ଯାହା ସୂଚନା ମିଳୁଛି, ରବିବାର ଦିନ ନବୀନଙ୍କ ନୂଆ ଟିମ୍‌ର ନୂଆ ଚେହେରାମାନେ ରାଜଭବନରେ ଆୟୋଜିତ ଉତ୍ସବରେ ବିଧିବଦ୍ଧ ଭାବେ ଶପଥ ନେବେ। ବର୍ତ୍ତମାନ ଟିମ୍‌ରୁ କିଏ ବାଦ୍‌ ପଡ଼ିବେ ଏବଂ ନୂଆ ଟିମ୍‌ରେ କିଏ ଆସିବେ ସେ ବିଷୟରେ ସ୍ପଷ୍ଟ ଚିତ୍ର ମିଳିନାହିଁ। କେବଳ କଳ୍ପନା ଜଳ୍ପନା କରିବା କଥା। ପ୍ରତିଥର ଭଳି ଏଥର ମଧ୍ୟ ନବୀନ ବାବୁ ତାଙ୍କ ଷ୍ଟାଇଲ୍‍‌ରେ ଏ ବିଷୟରେ ଘୋଷଣା ନକରି ଶେଷ ପର୍ଯ୍ୟନ୍ତ ସସ୍‌ପେନ୍ସ ରଖିବାକୁ ପସନ୍ଦ କରିଛନ୍ତି।

ଶୁକ୍ରବାର ଦିନ ବିଜେଡିରେ ଯେଉଁ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରାଯାଇଛି, ତା’ ମଧ୍ୟରେ ରହିଛି ଦଳର ନଅଜଣ ତୁଙ୍ଗ ନେତାଙ୍କୁ ଏଗାରଟି ଜିଲ୍ଲାର ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ଦିଆଯିବା। ତା’ ଭିତରେ ରହିଛନ୍ତି ପାଞ୍ଚ ଜଣ ମନ୍ତ୍ରୀ। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀ। ଅରୁଣଙ୍କୁ ମୟୂରଭଞ୍ଜ, ସଞ୍ଜୟଙ୍କୁ ନବରଙ୍ଗପୁର ଓ ରାୟଗଡ଼ା, ପ୍ରଣବଙ୍କୁ ମାଲକାନଗିରି ଓ କୋରାପୁଟ, ପ୍ରଦୀପଙ୍କୁ ଗଜପତି ଏବଂ ଦେବୀ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ସେହିପରି ଅନ୍ୟ ଛାମୁଆ ନେତାଙ୍କ ମଧ୍ୟରେ କିଶୋର ମହାନ୍ତିଙ୍କୁ ସୋନପୁର, ଅତନୁ ସବ୍ୟସାଚୀଙ୍କୁ ବାଲେଶ୍ୱର, ସୂର୍ଯ୍ୟ ପାତ୍ରଙ୍କୁ ବଲାଙ୍ଗୀର ଏବଂ ପ୍ରଫୁଲ୍ଲ ସାମଲଙ୍କୁ ଜଗତସିଂହପୁର କଥା ବୁଝିବା ପାଇଁ କୁହାଯାଇଛି।

ବିଜେଡିର ଦଳୀୟ ବ୍ୟବସ୍ଥା ଭିତରେ ଛାତ୍ର ଓ ଯୁବକମାନଙ୍କୁ ସଂଗଠିତ କରିବା, ଦଳପ୍ରତି ଅଧିକ ଆକର୍ଷିତ କରିବା ଏବଂ ଦଳକୁ ସୁଦୃଢ କରିବା କ୍ଷେତ୍ରରେ ଏହି ଦୁଇ ଗୋଷ୍ଠୀକୁ ଖୁଣ୍ଟ ଆକାରରେ ବ୍ୟବହାର କରିବା ପାଇଁ ଚିନ୍ତନ ଚାଲିଛି। ବିଶେଷକରି ସଞ୍ଜୟ ଦାସବର୍ମାଙ୍କୁ ଯୁବବ୍ୟାପାର ଓ ଅରୁଣ ସାହୁଙ୍କୁ ଛାତ୍ରବ୍ୟାପାର ବୁଝିବା ପାଇଁ ଦାୟିତ୍ୱ ଦିଆଯିବା ପରେ ଏହି କଥା ସ୍ପଷ୍ଟ ହୋ‍ଇଯାଇଛି।

ବିଜେଡି ହାଇକମାଣ୍ଡ ନବୀନଙ୍କ ନିଷ୍ପତିକ୍ରମେ ଆଉ ଯେଉଁ ବଡ଼ ଧରଣର ଦଳୀୟ ଘୋଷଣା କରାଯାଇଛି ତା’ ମଧ୍ୟରେ ରହିଛି ପାଞ୍ଚ ଜଣଙ୍କୁ ରାଜ୍ୟ ଉପ-ସଭାପତି ଏବଂ ୨୨ଟି ଜିଲ୍ଲା ପାଇଁ ଜିଲ୍ଲା ସଭାପତି ନିଯୁକ୍ତି। ଦଳର ସାଧାରଣ ସମ୍ପାଦକ ଥିବା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଉପ-ସଭାପତି ପଦକୁ ଉନ୍ନୀତ କରାଯାଇଛି। ସେହିପରି ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ, କିଶୋର ମହାନ୍ତି, ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

କେବଳ ସେତିକି ନୁହେଁ, ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟଧାରା ଓ ନୂତନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ ରାଜ୍ୟ ଉପ-ସଭାପତି, ୨୧ ସାଧାରଣ ସମ୍ପାଦକ, ୨୩ ଜଣ ସମ୍ପାଦକ, ୧୪ ସାଂଗଠନିକ ସମ୍ପାଦକ ଏବଂ ୨୨ ଜିଲ୍ଲା ସଭାପତି। ଏହାଫଳରେ ବିଜୁ ଛାତ୍ର ଜନତାର କମାଣ୍ଡରଙ୍କ ସଂଖ୍ୟା ୧୦୦କୁ ଟପିଯାଇଛି।

ପଞ୍ଚାଯତ ନିର୍ବାଚନରେ ବିପୁଳ ସଫଳତା ପରେ ବିଜେପି ଉଲ୍ଲସିତ। ଯୋଜନା – ୨୦୧୯ ଲଢେଇରେ ନବୀନଙ୍କ ଗଡ଼ ଭାଙ୍ଗି ପଦ୍ମଗଡ଼ ତିଆରି କରିବା। କିଛି ଦିନ ତଳେ ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଦଳ ହଲପ୍‌ କରି କହିଛି ଯେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଜନମତ ବିଜେପି ସପକ୍ଷରେ ଯିବ ହିଁ ଯିବ। ଏବେ ବଡ଼ କଥା ହେଉଛି ବିଜେପିର ମୁକାବିଲା କରିବା ବାହାନାରେ ହେଉ ପଛେ, ନବୀନ ଦୀର୍ଘ ଦିନ ପରେ ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଇଛନ୍ତି ଏବଂ ବିଜେଡିକୁ ସୁଦୃଢକରି ଆଗାମୀ ଦିନରେ ନିଜର ଆସନ ବଜାୟ ରଖିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ)

Comment