ନବୀନଙ୍କ ମଂତ୍ରିମଣ୍ଡଳ : ନୂଆ ପୁରୁଣାର କକ୍‌ଟେଲ

– ଭାସ୍କର ପରିଛା

ମଂତ୍ରିମଣ୍ଡଳ ଗଠନ ଓ ପୁନଃ ଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁବେଳେ ବାଁ ହାତର ଖେଳ ହୋଇ ଆସିଛି। ସତର ବର୍ଷର ଶାସନ ଭିତରେ ସେ କେତେ ମନ୍ତ୍ରୀଙ୍କୁ ତିଆରି କରିଛନ୍ତି ଆଉ ଦୁଆର ଦେଖାଇିଛନ୍ତି ତା’ର ହିସାବ ବାହାର କରିବା କଷ୍ଟକର। ତେବେ ମେ 7ରେ ଯେଉଁ ଅଦଳବଦଳ ସେ କରିଛନ୍ତି ତାହା ପଛରେ ତର୍କ ଯାହା ଥାଉ ନା କାହିଁକି ଗୋଟିଏ କଥା ସତ ଯେ ଦଳ ଓ ସରକାରର ଭାଵମୂର୍ତ୍ତି ସଜାଡିବା ପାଇଁ ଏହା ଏକ ଆପ୍ରାଣ ଓ ଅନ୍ତିମ ଉଦ୍ୟମ।

ଅତୀତରେ ଆଶାତୀତ ସଫଳତା ହାସଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏବେ ବିବ୍ରତ ହେବାର କାରଣ ଅନେକ। ସମ୍ଭବତଃ ଏହି ବ୍ୟସ୍ତ ଓ ବିବ୍ରତତାରୁ ହିଁ ନୂଆ ମନ୍ତ୍ରୀ ପରିଷଦ ଜନ୍ମ ନେଇଛି। ସରକାର ଗଠନର ତିନି ବର୍ଷ ପରେ ପ୍ରଥମ ଓ ବୋଧହୁଏ  ଶେଷ ପୁନର୍ଗଠନରେ ସେ ନୂଆ ଓ ପୁରୁଣାଙ୍କୁ ନେଇ ଏକ କକଟେଲ ତିଆରି କରିବାକୁ ଉଦ୍ୟମ କରିଛନ୍ତି।

ସୂର୍ଯ୍ୟ ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ନବୀନ ପଟ୍ଟନାୟକ ଜଣାଇବାକୁ ଚାହିଁଛନ୍ତି ଯେ ଏବେ ବି ସେ ବରିଷ୍ଠଙ୍କ ଉପରେ ଭରସା ରଖିଛନ୍ତି। ଏ ସମସ୍ତେ ପୂର୍ବରୁ ତାଙ୍କ ମଂତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ।

ଅନ୍ୟଭାବରେ ଦେଖିବାକୁ ଗଲେ, ଯେଉଁ ଯୁବ ବିଧାୟକମାନଙ୍କୁ ସେ ମନ୍ତ୍ରୀ କରିଥିଲେ ତାଙ୍କ ଉପରେ ସେ ଭରସା କରି ପାରିନାହାନ୍ତି ଅଥବା ‘ନବରତ୍ନ’ଙ୍କଠାରୁ ନବୀନ ଯାହା ଆଶା କରୁଥିଲେ ତାହା ସେ ପାଇ ନାହାନ୍ତି।

ମଂତ୍ରିମଣ୍ଡଳ ଅଦଳ ବଦଳ ବେଳେ ଦି’ଟା କଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି: ମନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିର୍ମଳ ଛବି। ତା ଛଡ଼ା ପଂଚାୟତ ନିର୍ବାଚନରେ ନିଜ ନିଜ ଜିଲ୍ଲାରେ ପ୍ରଦର୍ଶନ।

ନୂଆ ମଂତ୍ରିମଣ୍ଡଳରେ ଅବଶ୍ୟ କିଛି ଯୁବକଙ୍କୁ ନିଆ ଯାଇଛି। ଏମାନଙ୍କ ଭିତରେ ଅଛନ୍ତି ସୁଶାନ୍ତ ସିଂହ, ନୃସିଂହ ଚରଣ ସାହୁ ଓ ଚନ୍ଦ୍ର ସାରଥି ବେହେରା। ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗକୁ ଏମାନେ କେତେଦୂର କାମରେ ଲଗାଇ ପାରୁଛନ୍ତି ତାହା ଦେଖିବାର କଥା।

ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବକୁ ରୋକିବା ପାଇଁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି: ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହ। ସେହିଭଳି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ କାବୁ କରିବା ପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ଓ ଡାକ୍ତର ନୃସିଂହ  ଚରଣ ସାହୁଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି।

ଏହି ମଂତ୍ରିମଣ୍ଡଳର ଆଉ ଏକ ନୂଆ ଓ ଅସ୍ୱାଭାବିକ କଥା ହେଲା ତିରିଶ ମଧ୍ୟରୁ ୧୩ ଜିଲ୍ଲାର କେହି ମନ୍ତ୍ରୀ ନଥିବା ବେଳେ ଭଦ୍ରକ ଜିଲାର ଦି ଜଣ ମନ୍ତ୍ରୀ ହୋଇଛନ୍ତି। ଯାଜପୁର ଓ କେଂଦ୍ରାପଡା ଭଳି ରାଜନୀତିକ ସମ୍ବେଦନଶୀଳ ଜିଲ୍ଲା ମନ୍ତ୍ରୀ-ଶୂନ୍ୟ ହେବା ଏକ ବଡ଼ ଘଟଣା।

ମନ୍ତ୍ରିମଣ୍ଡଳରେ ତାଙ୍କ ଜିଲ୍ଲାରୁ କାହାକୁ ସ୍ଥାନ ଦିଆ ଯାଇ ନଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ବିଜେଡି କର୍ମୀ ସମୂହ ଇସ୍ତଫା ଦେବା ପାଇଁ ଧମକ ଦେବା ଆରମ୍ଭ କରିସାରିଲେଣି।

ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ମଂତ୍ରିମଣ୍ଡଳ ବରିଷ୍ଠ ନେତାଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଏହା ପରେ ସରକାର କେଉଁ ରାସ୍ତାରେ ଗଡ଼ିଵ ତାହା କହିବା କଷ୍ଟ। ବୟସ ବଢିଲେ ବଳ କମିଯାଏ, ଏ କଥା ନୂଆ ମନ୍ତ୍ରୀ ଚୟନ ବେଳେ ବିଚାରକୁ ନିଆଯାଇଛି ବୋଲି ବିଶ୍ୱାସ କରିହେଉନି।

ଦଳକୁ ଓ ସରକାରକୁ ଠିକଣା ବାଟରେ ପକାଇବା ପାଇଁ  ନବୀନ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ ସେ ସଫଳ ହେବା କଥା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ଓ ପାଣିପାଗ ଉପରେ ସବୁକିଛି  ନିର୍ଭର କରୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here