ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବହୁ ପ୍ରତୀକ୍ଷିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବବଦଳ ହୋଇଛି । ଚତୁର୍ଥ ପାଳି ସରକାରର ୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅଦଳବଦଳ କରିଛନ୍ତି ସେଥିରେ ନୂଆ ଓ ପୁରୁଣା ଚେହେରାଙ୍କୁ ସ୍ଥାନ ମିଳିଛି । ଯୁବ ଓ ବରିଷ୍ଠଙ୍କ ଭିତରେ ସମନ୍ୱୟ ରଖାଯାଇଛି । ତେବେ ଯେଉଁ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି ସେମାନଙ୍କ ପରଦା ପଛର କାହାଣୀ ସମ୍ପର୍କରେ ଏକ ପର୍ଯ୍ୟାଲୋଚନା ।

ଦେବୀ ପ୍ରସାଦ ମିଶ୍ର: ବାଦ୍ ପଡିଥିବା ମନ୍ତ୍ରୀଙ୍କ ଭିତରୁ ପ୍ରଥମେ ନଜର ପକାଇବା ଦେବୀ ପ୍ରସାଦ ମିଶ୍ରଙ୍କ ଉପରେ । ଦେବୀପ୍ରସାଦ ୧୯୯୫ରୁ ଲଗାତାର ଭାବେ ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ବିରୋଧୀ ପ୍ରାର୍ଥୀଙ୍କୁ ମାତ୍ ଦେଇ ଦେବୀ ବିଜୟ ବାନା ଉଡାଇ ଚାଲିଥିବାରୁ ସେ ନବୀନଙ୍କ ବ୍ଲୁ-ଆଏଡ ବୟ ଭାବେ ପରିଚିତ ହୋଇଥିଲେ, ଯେଉଁଥିପାଇଁ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଉଥିଲେ । ଚତୁର୍ଥ ପାଳି ସରକାରରେ ଦେବୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ । ୨୦୧୭ ପଞ୍ଚାୟତ ନିର୍ବାଚନ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଦେବୀଙ୍କ ଗଡରେ ବିଜେପିର ବିଜୟ ବାନା ଉଡିବାରୁ ଦେବୀଙ୍କ ପାଦତଳୁ ମାଟି ଧସିଥିଲା  । ଫଳରେ ଦେବୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ନିଶ୍ଚିନ୍ତ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ହେଉଥିଲା । ଆଉ ଏହି ଚର୍ଚ୍ଚା ୬ ତାରିଖରେ ବାସ୍ତବ ରୂପ ନେଇଛି । ଦେବୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି । ତାଙ୍କ ବିଭାଗର ଦାୟିତ୍ୱ ବଦ୍ରୀ ନାରାୟଣ ପାତ୍ରଙ୍କ ହାତକୁ ଚାଲିଯାଇଛି । ଅବଶ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପୂର୍ବରୁ ଦେବୀ ପ୍ରସାଦ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପାଦକରୁ ପଦୋନ୍ନତି ଦିଆଯାଇ ଉପ-ସଭାପତି କରାଯାଇଛି ।

ପ୍ରଦୀପ ଅମାତ: ଚତୁର୍ଥ ପାଳି ସରକାରରେ ନମ୍ବର ୨ ମନ୍ତ୍ରୀ ଭାବେ ପରିଚୟ ହାସଲ କରିଥିବା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି । ସେ ଚଳିତ ସରକାରରେ ଅର୍ଥ ବିଭାଗର ମନ୍ତ୍ରୀ ଥିଲେ । କିନ୍ତୁ ଗତ ୩ ବର୍ଷ ଭିତରେ ଅର୍ଥ ବିଭାଗରେ ଅମାତ୍ ତାଙ୍କ କାର୍ଯ୍ୟଦକ୍ଷତା ଠିକ୍ ଭାବେ ଦେଖାଇ ପାରି ନ ଥିବା ଅଭିଯୋଗ ହେଉଥିଲା, ଯେଉଁଥିପାଇଁ ସରକାର ବିଭିନ୍ନ ସମୟରେ ଅଡୁଆରେ ପଡିଥିଲେ । ମଝିରେ ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ସୃଷ୍ଟି ହୋ‍ଇଥିବା ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା। ସେତେବେଳେ ଅମାତଙ୍କୁ ଅର୍ଥ ସହିତ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ପ୍ରଦୀପଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି । ତାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦରେ ବସାଇବା ପାଇଁ ମନ ସ୍ଥିର କରିଛନ୍ତି । ସୂଚନାଯୋଗ୍ୟ, ଅମାତ୍ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ବାଚସ୍ପତି ରହିଥିଲେ । ଅମାତଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ଆଣି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ନୂଆକରି ସ୍ଥାନ ପାଇଥିବା ଜୟଦେବ ନିର୍ବାଚନମଣ୍ଡଳୀ ବିଧାୟକ ଶଶୀଭୂଷଣ ବେହେରାଙ୍କ ହାତରେ ଅର୍ପଣ କରିଛନ୍ତି ।

ଯୋଗେନ୍ଦ୍ର ବେହେରା: ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀରୁ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଯୋଗେନ୍ଦ୍ର ବେହେରା ଆଉ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶିକ୍ଷକତା ଏବଂ ସାମ୍ବାଦିକତା କ୍ଷେତ୍ରରୁ ଯୋଗେନ୍ଦ୍ର ରାଜନୀତିକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସଏମ୍‌ଇ) ବିଭାଗର ମନ୍ତ୍ରୀ କରିଥିଲେ । ହେଲେ ଯୋଗେନ୍ଦ୍ର ତାଙ୍କ ବିଭାଗରେ ଆଖିଦୃଶିଆ ଉନ୍ନତି କରି ପାରିନଥିବା ଅଭିଯୋଗ ହୋଇଥିଲା । ସବୁଠୁ ବଡ କଥା ହେଉଛି ଯୋଗେନ୍ଦ୍ର ଯେଉଁ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ସେହି ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଦବଦବା ଜାହିର କରିଥିଲା । ଏଣୁ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଉଠିଥିଲା, ଯେଉଁଥିପାଇଁ ନବୀନ ତାଙ୍କୁ ବାଦ୍ ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଲାଲ ବିହାରୀ ହିମିରିକା: ଜଣାଶୁଣା ଆଦିବାସୀ ନେତା ଭାବେ ପରିଚୟ ହାସଲ କରିଛନ୍ତି ଲାଲ ବିହାରୀ ହିମିରିକା । ୨୦୦୯ରୁ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସିଛନ୍ତି । କିନ୍ତୁ ରାୟଗଡା ଜିଲାରେ କଂଗ୍ରେସର ଉତ୍‌ଥାନ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମନ୍ତ୍ରୀଭାବେ ସଙ୍ଗଠନ ପାଇଁ ଯାହା କରିବା କଥା ତାହା ହିମିରିକା କରି ପାରିନଥିବା କୁହାଯାଉଛି । ସେଥିପାଇଁ ପୁଅ ବାହାଘର ଦିନ ହିମିରିକାଙ୍କ ହାତରୁ ମନ୍ତ୍ରୀପଦ କାଢ଼ି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ପୁଷ୍ପେନ୍ଦ୍ର ସିଂହଦେଓ: ନବୀନଙ୍କ ଆଉ ଜଣେ ବ୍ଲୁ-ଆଏଡ ମନ୍ତ୍ରୀ ଥିଲେ କଳାହାଣ୍ଡି ଜିଲ୍ଲାର ପୁଷ୍ପେନ୍ଦ୍ର ସିଂହଦେଓ । ହେଲେ ତାଙ୍କୁ ବି ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡିଛି । ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିରେ ପଦ୍ମ ଫୁଟିବାରୁ ପୁଷ୍ପେନ୍ଦ୍ର ମନ୍ତ୍ରୀ ପଦ ହରାଇଥିବା ଚର୍ଚ୍ଚା ହେଉଛି । ବିଜେଡି ଗଡରେ ପଦ୍ମ ଫୁଲ କ୍ଲିନ ସ୍ୱିପ୍ ମାରିଥିବାରୁ ପୁଷ୍ପେନ୍ଦ୍ରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଥିଲା । ମୋଟ ୩୬ ଜିଲ୍ଲା ପରିଷଦ ଆସନରୁ ବିଜେପି ୩୦ରୁ ଅଧିକ ଆସନ ଅକ୍ତିଆର କରିଥିଲା ।

 

ସଞ୍ଜୟ କୁମାର ଦାସବର୍ମା: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ଦାସବର୍ମା ୨୦୧୪ରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ତାଙ୍କୁ ଖାଦ୍ୟ, ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେ ତାଙ୍କ ବିଭାଗରକୁ ଠିକ୍ ଭାବେ ପରିଚାଳନା କରିପାରି ନ ଥିବା ଚର୍ଚ୍ଚା ହେଉଥିଲା । ବିଶେଷକରି ରାସନକାର୍ଡ ବଣ୍ଟନରେ ଅନିୟମିତତା ଏବଂ ଏଟି ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ପାଜେରୋ ଗାଡି ନେବା ଅଭିଯୋଗକୁ ନେଇ ଦାସବର୍ମା ବିବାଦୀୟ ହୋଇ ପଡିଥିଲେ, ଯେଉଁଥିପାଇଁ ବିରୋଧୀ ତାଙ୍କ ଇସ୍ତଫା ଦାବି କରି ଆସୁଥିଲେ । ନବୀନଙ୍କ ଅଦଳବଦଳ ମାପଦଣ୍ଡରେ ଦାସବର୍ମା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ତାଙ୍କ ହାତରୁ ଯୁବ ସଭାପତି ପଦ ଛଡାଇ ନେବାପରେ ଏବେ ସେ ମନ୍ତ୍ରୀ ପଦ ହରାଇଛନ୍ତି । ଅବଶ୍ୟ ସଞ୍ଜୟଙ୍କୁ ମୁଖ୍ୟମନ୍ତ୍ରୀ ୟୁଥ୍‍ ଆଫେୟାର୍ସ୍‌ ଝଣ୍ଡା ଧରାଇଦେଇ  ସଙ୍ଗଠନ ଦାୟିତ୍ୱ ତୁଲାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଅରୁଣ ସାହୁ: ନବୀନଙ୍କ ମନ୍ତ୍ରିମଣ୍ଡଳର ଆଉ ଜଣେ ଚର୍ଚ୍ଚିତ ମନ୍ତ୍ରୀ ହେଉଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ୨୦୧୪ରେ ସେ ଆଇନ୍ ଓ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ହୋଇଥିଲେ । କିନ୍ତୁ ପଞ୍ଚାୟତ ଭୋଟରେ ଅରୁଣ ତାଙ୍କ କମାଲ ଦେଖାଇ ପାରି ନଥିବାରୁ ବିଜେପିର ଭୋଟହାର ବୃଦ୍ଧି ପାଇଥିଲା ବୋଲି ଦଳରେ ଚର୍ଚ୍ଚା ହେଉଥିଲା। ଏଥିପାଇଁ ନବୀନ ତାଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ଏହାଛଡା ୨୦୧୫ ନବକଳେବର ବିଭ୍ରାଟରେ ଅରୁଣ ବିବାଦୀୟ ହୋଇ ପଡିଥିଲେ । ଆଇନ୍ ମନ୍ତ୍ରୀ ହୋଇଥିଲେ ମଧ୍ୟ ଆଇନ୍‌କୁ ହାତକୁ ନେଉଥିବା କିଛି ଲୋକଙ୍କୁ ସେ ଘଣ୍ଟ ଘୋଡ଼ା‌ଉଥିବାର ଅଭିଯୋଗ ହୋଇଥିଲା । ସେତେବେଳେ ଅରୁଣଙ୍କ ଇସ୍ତଫା ଦାବି ଜୋର୍ ଧରିଥିଲା । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମନ୍ତ୍ରୀ ପଦ ଯିବା ପୂର୍ବରୁ ଦଳର ହାଉକମାଣ୍ଡ ତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପାଇଁ କହିଛନ୍ତି । ଅରୁଣଙ୍କୁ ଛାତ୍ରବ୍ୟାପାର ଦେଖିବା ପାଇଁ କୁହାଯାଇଛି।

ପ୍ରଣବ ପ୍ରକାଶ ଦାସ : ୨୦୦୯ରୁ ଯାଜପୁର ବିଧାନସଭାରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ନବୀନଙ୍କ ଗୁଡବୁକରେ ରହିଥିଲେ। ଯାଜପୁର ଜିଲ୍ଲା ବରିଷ୍ଠ ନେତାଙ୍କୁ ପଛରେ ପକାଇ ପ୍ରଣବ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ହେଲେ ନବୀନଙ୍କ ଗୋଟିଚାଳନା ବେଳେ ବବି ନିଜ ପୋଜିସନ୍‌ ସମ୍ଭାଳି ରଖିପାରିଲେ ନାହିଁ। ଯାଜପୁର ଜିଲ୍ଲାରେ ନେତା ନେତାଙ୍କ ମଧ୍ୟରେ ସମନ୍ୱୟ ରଖିବାରେ ବବି ବିଫଳ ହୋଇଥିଲେ । ବିଶେଷକରି ବ୍ୟାସନଗର ପୌର ପରିଷଦକୁ ନେଇ ଦେଖାଦେଇଥିବା ବିବାଦରେ ବବି ଛନ୍ଦି ହୋଇଯାଇଥିଲେ। ଏଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡିଛି ।

 

ପ୍ରଦୀପ କୁମାର ପାଣିଗ୍ରାହୀ : ଗଞ୍ଜାମ ଜିଲା ଗୋପାଳପୁର ଆସନରୁ ନିର୍ବାଚିତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କ ମନ୍ତ୍ରିତ୍ୱ ସମୟରେ ଉଚ୍ଚ ଶିକ୍ଷା ବିଭାଗର ସେଭଳି ବିଶେଷ କିଛି ଉନ୍ନତି ହୋଇନାହିଁ। ବରଂ ଅଧ୍ୟାପକମାନେ ରାଜରାସ୍ତାକୁ ଓହ୍ଲାଇ ଥରକୁ ଥର ସରକାରଙ୍କୁ ହଲାପଟା କରିଛନ୍ତି । ସେପଟେ ଗଞ୍ଜାମର ଆନ୍ନା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନବୀନ ବାବୁ ପୁଣି ମନ୍ତ୍ରୀ ପରିଷଦରେ ସାମିଲ୍‌ କରିଥିବାରୁ ପ୍ରଦୀପ ବଳି ପଡ଼ିବା କଥା କୁହାଯାଉଛି।

 

ସୁଦାମ ମାର୍ଣ୍ଡି : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଛାଡି ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ସୁଦାମ ମାର୍ଣ୍ଡି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ ହୋଇଥିଲେ । ମାତ୍ର ପଞ୍ଚାୟତ ଭୋଟ ମାର୍ଣ୍ଡିଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ମୋଟ ୫୬ ଜିଲ୍ଲାପରିଷଦ ଆସନରୁ ବିଜେପି ୪୯ଟି ଅକ୍ତିଆର କରି ନେଇଥିଲା । ବିଜେଡିକୁ ୫ଟିରେ ସନ୍ତୁଷ୍ଟ ରହିବାକୁ ପଡିଲା । ଏଥିପାଇଁ ମାର୍ଣ୍ଡିଙ୍କ ସାଂଗଠନିକ କାଯ୍ୟଦକ୍ଷତାକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଥିଲେ ଫଳରେ ତାଙ୍କୁ ମନ୍ତ୍ରୀ ପଦକୁ ଅଲ୍‌ବିଦା କରିବାକୁ ପଡ଼ିଛି।

 

(ପ୍ରସ୍ତୁତି : ସରୋଜ)

 

LEAVE A REPLY

Please enter your comment!
Please enter your name here