-ଶ୍ୱେତ ସୁନ୍ଦର ସାମନ୍ତରା

(ଶ୍ୱେତସୁନ୍ଦର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଗୋଟିଏ ଜାତୀୟ ଟେଲିଭିଜନ ନେଟୱର୍କର ପୂର୍ବତନ ବାର୍ତ୍ତା ସମ୍ପାଦକ)

ଆମ ରାଜ୍ୟରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା କମ ନୁହେଁ। ଓଡ଼ିଆ ଟିଭି ନ୍ୟୁଜ୍‌ ଚ୍ୟାନେଲ ସଂଖ୍ୟା ବି କମ ନୁହେଁ । କିନ୍ତୁ ଓଡ଼ିଆ ଟେଲିଭିଜନ ଚ୍ୟାନେଲ୍‌ ଦେଖି ଖବର ଜାଣିବାକୁ ଚାହୁଁଥିବା ଦର୍ଶକଙ୍କ ସଂଖ୍ୟା ନଗଣ୍ୟ। ଅନୁଭୂତି ଓ ଅନୁଶୀଳନ ଭିତ୍ତିରେ କୁହାଯାଇପାରେ ଯେ, ଅଧିକାଂଶ ଦର୍ଶକ ଟେଲିଭିଜନରେସିରିଏଲ୍‌, ସିନେମା, କ୍ରିକେଟ କିମ୍ବା କାର୍ଟୁନ ଦେଖିବାକୁ ବେଶି ପସନ୍ଦ କରନ୍ତି। ଅନେକଙ୍କ ପାଇଁ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଆଜି ବି ଅଲୋଡ଼ା । କେତେକ ଦର୍ଶକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରିତ ବ୍ୟଙ୍ଗ, ହାସ୍ୟରସ ଓ ଅପରାଧ ଉପରେ ଆଧାରିତ କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରିଥାଆନ୍ତି ସତ, ହେଲେଖବର ଜାଣିବାକୁ ହେଲେ ହିନ୍ଦୀ ବା ଇଂଲିଶ ଚ୍ୟାନେଲ ଖୋଜି ବସନ୍ତି । କାରଣ, ଆଜି ବି ଅଧିକାଂଶ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌, ଦର୍ଶକଙ୍କ ରୁଚି ଓ ଆବଶ୍ୟକତାକୁ ପ୍ରାଥମିକତା ଦେଲା ଭଳି ମନେହୁଏ ନାହିଁ।

ଆଜିକାଲି ଯୁଗର ଦ୍ୱାହି ଦେଇ ଖବର ପରିବେଷଣର ଧାରାରେ ମନଇଚ୍ଛା ପରିବର୍ତ୍ତନ, ଅଯଥା କଥାକୁ ଘଷିମାଜି ଚମକ ସୃଷ୍ଟିର ଉଦ୍ୟମ, ଅହେତୁକ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନର ପ୍ରଚେଷ୍ଟା, ଅକାରଣ ଅନୁକରଣ, ସୃଜନଶୀଳତା ଆଢୁଆଳରେ ମୌଳିକତାକୁ ଅଣଦେଖା ଏବଂ ସର୍ବୋପରି ସାଧାରଣ ଦର୍ଶକଙ୍କୁ ଉପେକ୍ଷା ହିଁ ଆଜି ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ର ଗ୍ରହଣୀୟତାକୁ ଗ୍ରାସ କରିବାରେ ଲାଗିଛି। ଭରସା ତୁଟିବା ଭଳି ସ୍ଥିତିରେ ଦର୍ଶକ ଏବେ ବିକଳ୍ପ ମାଧ୍ୟମ ଖୋଜିଲେଣି । କାହିଁକି ଏ ସ୍ଥିତି? ଆସନ୍ତୁ, ଅତୀତରୁ ହିଁ ଆରମ୍ଭ କରିବା ।

ଦିନ ଥିଲା, ଟେଲିଭିଜନ ଖବର କହିଲେ ଦୂରଦର୍ଶନରେ ପ୍ରସାରିତ ବୁଲେଟିନ୍‌କୁ ବୁଝାଯାଉଥିଲା । 2002ରେ ଆତ୍ମପ୍ରକାଶ କଲା ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲ୍‌, ଇଟିଭି-ଓଡ଼ିଆ । ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ଖବର ପ୍ରସାରଣ । ଖବର ପାଇଁ ସ୍ୱତନ୍ତ୍ର ବିଭାଗ ଗଠିତ ହୋଇଥିଲା । ଏହିଠାରୁ ହିଁ ଟିଭି ଖବର ପ୍ରସାରଣ ସଂପର୍କିତ ପ୍ରଥମ ଅନୁଭୂତି ହାସଲ କରିଥିଲେ ଓଡ଼ିଆ ସାମ୍ବାଦିକମାନେ । ପରେ ପରେ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ଗଢ଼ି ଉଠିଲା । ଚବିଶ ଘଣ୍ଟିଆ ନ୍ୟୁଜ୍‌ ଚ୍ୟାନେଲ ବି ଆରମ୍ଭ ହେଲା । ଆଉ ସବୁ ଚ୍ୟାନେଲ୍‌ରେ ବାଣ୍ଟି ହୋଇରହିଲା ଇଟିଭିର ଅଭିଜ୍ଞତା ।

ଆଜି ସମସ୍ତ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲର ଅଧିକାଂଶ ପ୍ରମୁଖ ପଦପଦବୀରେ ଥିବା ବ୍ୟକ୍ତିମାନେ ଏକଦା ସହକର୍ମୀ ଥିଲେ । ଗୋଟିଏ ସଂସ୍ଥାରେ, ଗୋଟିଏ ଚ୍ୟାନେଲ ପାଇଁ କାମ କରୁଥିଲେ । ତେଣୁ ଚ୍ୟାନେଲ୍‌-ଚ୍ୟାନେଲ୍‌ ମଧ୍ୟରେ ପ୍ରତିଯୋଗିତାର ଧାରା ନୂଆ ରୂପ ନେଲା । ଆଖି ଆଗରେ ଦର୍ଶକ ରହିଲେନି । ରହିଲେ ପୂର୍ବତନ ସହକର୍ମୀମାନେ । ଆଉ ସେମାନେ କାମ କରୁଥିବା ଚ୍ୟାନେଲ୍‌ । ଯେଉଁ ସ୍ଥାନରେ ଦର୍ଶକଙ୍କୁ ରଖି ବିଚାର କରିବା କଥା ସେହି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ରଖାଗଲା । ସେମାନେ ଏମିତି କଲେ ତ ଆମେ ବି ଏମିତି କରିବା ।

ବଡ଼ ଖବର, ବ୍ରେକିଂ ନ୍ୟୁଜ୍‌ର ପରିଭାଷା ବଦଳିଲା। ଏଠି ବି ପ୍ରତିଯୋଗିତା। କିଏ କେତେ ଅଧିକ ଖବରକୁ ବଡ଼ ଖବର କହି ପାରିବ। ‘ଏଇଟା କି ବଡ଼ ଖବର ମ’ କହି ଦର୍ଶକ ପଛେ ନାକ ଟେକନ୍ତୁ। କିଏ କେତେ ବ୍ରେକିଂ ନ୍ୟୁଜ୍‌ ଦେଇପାରିବ। ଦର୍ଶକଙ୍କୁ କୁହାଗଲା ଯେ ଆପଣ ଏ ଖବର ଦେଖୁଛନ୍ତି କେବଳ ଆମ ଚ୍ୟାନେଲ୍‌ରେ। ଫାଷ୍ଟ୍‌ ଭିଜୁଆଲ। ପ୍ରତିଦ୍ୱନ୍ଦ୍ୱୀ ଚ୍ୟାନେଲ ବି ସେଇ ଏକା କଥା କହିଲେ। ଫାଷ୍ଟ୍‌ ଭିଜୁଆଲ।

ଏଇଟା କୁଆଡ଼େ ଆଜିକାଲିର ଧାରା । ସବୁ ବଡ଼ ବଡ଼ ଚ୍ୟାନେଲ୍‌ କୁଆଡ଼େ ଏମିତି କରନ୍ତି ।

ପ୍ରତିଯୋଗିତାର ଏ ଧାରା ଆଜି ବି ଚାଲିଛି । ବେଳେବେଳେ ଟେଲିଭିଜନ ପରଦାରେ ସ୍ପଷ୍ଟ ଦିଶୁଛି ବ୍ୟକ୍ତିଗତ ଆକ୍ରୋଶର ରୂପରେଖ । ଅନ୍ୟକୁ ଭୁଲ ପ୍ରମାଣିତ କରିବା ପାଇଁ କେହି ଜଣେ ଗର୍ଜୁଛି ତ ଉତ୍ତର ଦେବାକୁ ଯାଇ ଆଉ ଜଣେ ଆହୁରି ଜୋରରେ ଗର୍ଜୁଛି । ଆଉ ଦର୍ଶକମାନେ ଏ ସବୁଠୁ ବହୂ ଦୂରରେ । କାହିଁକି ନା ସେମାନେ ଜାଣିଗଲେଣି, ଏଠି ନମସ୍କାର ବି କୁହାଯାଏ ଫିଙ୍ଗି ଦେଲା ଭଳି। ଅତ୍ୟୁତ୍ସାହରେ ଏ ସବୁ ହୁଏ ।

ଏଇଟା ହିଁ ତ ଆଜିକାଲିର ଷ୍ଟାଇଲ୍‌ । ସବୁ ବଡ଼ ବଡ଼ ଚ୍ୟାନେଲ୍‌ କୁଆଡ଼େ ଏମିତି କରନ୍ତି ।

ଆଲୋଚନା କହିଲେ ପରଦା ଉପରେ ମାଡ଼ଗୋଳ ଭଳି । କଥା କଟାକଟି ନ ହେଲେ କି ଆଲୋଚନା । ଜଣେ ଅନ୍ୟ ଜଣଙ୍କ ଉପରେ ଚଢ଼ି କଥା ନ କହିଲେ ନ ହୁଏ । ଷ୍ଟୁଡିଓ ବାହାରେ ପଛେ ହାତ ମିଳାଇ ଚାଲିଯିବେ, ଭିତରେ ଏତିକି ଅଭିନୟ ତ କରିବାକୁ ପଡ଼ିବ । ଦର୍ଶକ ଶୁଣିଲେ କି ନାହିଁ, ବୁଝିଲେ କି ନାହିଁ, ସେ ସବୁକୁ କିଏ ପଚାରେ ।

ଆଲୋଚନା ତ ଏମିତି ହୁଏ । ସବୁ ବଡ଼ ବଡ଼ ଚ୍ୟାନେଲ୍‌ କୁଆଡ଼େ ଏମିତି କରନ୍ତି ।

ଦର୍ଶକମାନଙ୍କୁ ଅଣଦେଖା କରି ଚାଲିଛି ଏମିତି ଏକ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା । ଫଳ ହେଉଛି ଦର୍ଶକ ବି ଏ ପ୍ରତିଯୋଗିତାକୁ ଅଣଦେଖା କରି ଚାଲିଛନ୍ତି । ସପ୍ତାହର ହେଉ ବା ମାସର, ଲୋକପ୍ରିୟତାର ଶୀର୍ଷରେ ରହୁଥିବା ଶହେ ଟେଲିଭିଜନ କାର୍ଯ୍ୟକ୍ରମ ଭିତରେ କଦବା କେମିତି ସ୍ଥାନ ପାଉଛି ନ୍ୟୁଜ୍‌ ବୁଲେଟିନ୍‌ ।

ଏବେ ଆସନ୍ତୁ ଏଭଳି ଅବକ୍ଷୟର ଆଉ ଏକ ବଡ଼ କାରଣ ଜାଣିବା। ତା ହେଲା ଅଣ-ଓଡ଼ିଆଙ୍କ ଦ୍ୱାରା ପରିଚାଳିତ ନ୍ୟୁଜ୍‌ ଚ୍ୟାନେଲ୍‌ । ରାଜ୍ୟରେ ବିଜ୍ଞାପନ ରାଜସ୍ୱ ମିଳିବାର ସୁଯୋଗ ଖୁବ କମ୍‌ ବୋଲି ଜାଣି ସୁଦ୍ଧା ଅଣ-ଓଡ଼ିଆମାନେ ନ୍ୟୁଜ୍‌ ଚ୍ୟାନେଲ୍‌ ଖୋଲିଛନ୍ତି । ଓଡ଼ିଶା ପ୍ରତି ଦରଦ ହେଉ ବା ଓଡ଼ିଆ ସାମ୍ବାଦିକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ହେଉ, ଏହା ସେମାନଙ୍କର ବଡ଼ପଣ ବୋଲି ଧରି ନେବାକୁ ହେବ । ଏ କଥା ବି ଠିକ୍‌ ହୋଇପାରେ ଯେ ଏହି ଅଣ-ଓଡ଼ିଆ ଚ୍ୟାନେଲ ମାଲିକମାନେ ରାଜ୍ୟରେ ଚାଲିଥିବା ସେମାନଙ୍କର ଅନ୍ୟ ବ୍ୟବସାୟକୁ ଆଖିରେ ରଖି ଚ୍ୟାନେଲ୍‌ ଖୋଲିଛନ୍ତି । କିନ୍ତୁ ଏଥିରେ ବି କୌଣସି ଅସ୍ୱାଭାବିକତା ନାହିଁ ।ଆମ ଦେଶରେ ଯେ କୌଣସି ବ୍ୟକ୍ତି ଯେ କୌଣସି ସ୍ଥାନକୁ ଯାଇ ବ୍ୟବସାୟ କରିପାରନ୍ତି । ଯଦି କୌଣସି ଏକ ବ୍ୟବସାୟର ଅଭିବୃଦ୍ଧି ଲକ୍ଷ୍ୟ ନେଇ ଅନ୍ୟ ଏକ ବ୍ୟବସାୟ କରାଯାଏ ତେବେ କାହାର କିଛି ଆପତ୍ତି ନ ରହିବା କଥା । କିନ୍ତୁ ରାଜ୍ୟରେ ଅଣ-ଓଡ଼ିଆଙ୍କ ଦ୍ୱାରା ପରିଚାଳିତ ଟିଭି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ଦେଖିଲେ ମନେ ହୁଏନାହିଁ ଯେ ଏମାନେ କେବଳ ବ୍ୟାବସାୟିକ ଲକ୍ଷ୍ୟ ରଖି ଓଡ଼ିଶା ଆସିଛନ୍ତି । ମନେହୁଏ ଏମାନେ କେବଳ ଦର୍ଶକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାର ଲକ୍ଷ୍ୟ ନେଇ ଆସିଛନ୍ତି, ଯାହା କି ସଂପୂର୍ଣ୍ଣ ଅସ୍ୱାଭାବିକ ।

ଟିଭି ନ୍ୟୁଜ୍‌ ଚ୍ୟାନେଲର ବିଷୟବସ୍ତୁକୁ କେତେ ଦୂର ପର୍ଯ୍ୟନ୍ତ ତଳକୁ ଖସାଯାଇପାରେ ତାହା ଏମାନଙ୍କ ମଧ୍ୟରୁ କାହାରି କାହାରିଠାରୁ ଶିଖିବା କଥା । ଭୂତକଥା ହେଉ କି ଅତୃପ୍ତ ଆତ୍ମାର କାହାଣୀ, ଦେହଜୀବୀଙ୍କ ବୟାନ ହେଉ କି ରୂପଜୀବୀଙ୍କ ଆତ୍ମକଥା । ଆଉ ସବୁଠାରୁ କଦର୍ଯ୍ୟ କାହାଣୀ ରାଜଧାନୀରେ ପୁରୁଷ ବେଶ୍ୟା ବା କଲ୍‌ବୟ । ଇଣ୍ଟରନେଟ୍‌ରୁ ସଂଗୃହୀତ ବିବାଦୀୟ ତଥ୍ୟ ଉପରେ ଆଧାରିତ ଏହି କାହାଣୀକୁ ନାଟକୀୟ ଢଙ୍ଗରେ ଉପସ୍ଥାପନ କରାଗଲା । ଜଣେ ମହିଳା ସାମ୍ବାଦିକ ଗ୍ରାହକ ସାଜି ତଥାକଥିତ କଲ୍‌ବୟଙ୍କ ସହ ମୂଲଚାଲ କଲେ । ଏହାକୁ ଭାଗ ଭାଗ କରିପ୍ରସାରିତ କରାଯିବା ପରେ ସ୍ୱାଭାବିକ ଭାବେ ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କଲେ ।

ଏଭଳି ଅରୁଚିକର ଖବର ପରିବେଷଣ ଦ୍ୱାରା ସବୁ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଯେ ପ୍ରଭାବିତ ହେଲେ, ଏଥିରେ ସନ୍ଦେହ ନାହିଁ । ଟେଲିଭିଜନ ନ୍ୟୁଜ୍‌କୁ ପରିବାରର ସମସ୍ତେ ଏକାଠି ବସି ଦେଖନ୍ତି ବୋଲି ଭୁଲିଗଲେ ଚଳିବନି। କଲ୍‌ବୟ କଥା ଛାଡ଼ନ୍ତୁ, କେଉଁ ସମ୍ବେଦନଶୀଳ ଦର୍ଶକ ଚାହିଁବେ ଘରେ ବସି ବଳାତ୍କାର ପୀଡ଼ିତାଙ୍କ ବୟାନ ଶୁଣିବାକୁ ଭାବନ୍ତୁ ତ । ଓଡ଼ିଶାରେ ହଟଚମଟ ସୃଷ୍ଟି କରି ପତିଆରା ଜମେଇବାକୁ ଅଣ-ଓଡ଼ିଆଙ୍କ ପ୍ରୟାସ କେବଳ ଯେ ବିଫଳ ହୋଇଛି ତା ନୁହେଁ, ଏହା ସହିତ ଅନ୍ୟ ଚ୍ୟାନେଲଗୁଡ଼ିକ ମଧ୍ୟ ବିଶ୍ୱସନୀୟତା ହରାଇ ବସିଛନ୍ତି । ଟିଆର୍‌ପି ଲୋଭରେ ସାମ୍ବାଦିକତାରୁ ନୈତିକତାକୁ ବାଦ ଦେଇଥିବା ଏହି ଚ୍ୟାନେଲଗୁଡ଼ିକ ଆଜି ଟିଆର୍‌ପି ଦୌଡ଼ରେ ବହୁ ପଛରେ ରହିଛନ୍ତି। ତଥାପି, ପ୍ରକୃତି ଛାଡ଼ିନାହିଁ । ଆଜି ବି ଗୋଠ ମାତିଲେ ଖଣ୍ଡିଆ ମାତୁଛି ।

ଅଧିକାଂଶ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଉପରୁ ଦର୍ଶକଙ୍କ ଭରସା ତୁଟିଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ସମୟ ସହିତ ତାଳ ଦେବା ନାଁରେ ଦର୍ଶକଙ୍କୁ ପଛରେ ଛାଡ଼ିଯାଇଥିବା ଏହି ଚ୍ୟାନେଲଗୁଡ଼ିକ ଏବେ ନିଷ୍ପ୍ରଭ ହୋଇଗଲେଣି । ମୁହଁରେ ରଙ୍ଗ ମାଖି ଚିତ୍କାର କରୁଥିବା ଲୋକର କଥା ଶୁଣୁଛି ମୁହଁରୁ ରଙ୍ଗ ଛଡ଼ାଇ ସାରିଥିବା ଲୋକଟି ।

ଦର୍ଶକମାନେ ଏବେ ବିକଳ୍ପ ମାଧ୍ୟମ ଖୋଜିଲେଣି । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ଦର୍ଶକମାନେ ଆଉ ଟିଭି ଆଗରେ ବସି ଗର୍ଜ୍ଜନ ଶୁଣିବାକୁ ରାଜି ନୁହନ୍ତି । ସମସ୍ତେ ଡିଜିଟାଲ ଦୁନିଆରେ ପାଦ ଥାପିଲେଣି । ଏବେ ତ ହାତମୁଠାରେ ଖବର । ଆଙ୍ଗୁଠି ଟିପରେ ଖବର ।

(ଏହି ଲେଖାରେ ପ୍ରକାଶିତ ସମସ୍ତ ମତ ଓ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ନିଜସ୍ୱ।)

4 COMMENTS

  1. ବିକଳ୍ପ ମାଧ୍ୟମ ହେଲା ଏପରି ଡିଜିଟାଲ୍ ଅନ୍ ଲାଇନ୍ ପତ୍ରିକା, ସୋସିଏଲ୍ ମିଡିଆ!

  2. ଏହି ଅଭିନବ ପ୍ରୟାସ ପାଇଁ ଅଭିନନ୍ଦନ ଓ ଶୁଭକାମନା ।।

Comment