ଶ୍ୱେତ ସୁନ୍ଦର ସାମନ୍ତରା

ଜଗତିକରଣର ବିପରୀତ ଗତି – ଆଇଟି କ୍ଷେତ୍ରରେ ନିଯୁକ୍ତି ସଂକୋଚନ ଓ କର୍ମଚାରୀ ଅପସାରଣ ଆଶଙ୍କା।

ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିୟରମାନେ ଏବେ ଚାକିରି ହରାଇବା ଆଶଙ୍କାରେ । ବେଆଇନ ଭାବେ ସେମାନଙ୍କୁ ନିଯୁକ୍ତିରୁ ଅପସାରିତ କରାଯାଉଛି ବୋଲି ଅଭିଯୋଗ ନେଇ ଶ୍ରମ କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚେନ୍ନାଇ ଓ ହାଇଦ୍ରାବାଦରେ ଅବସ୍ଥାପିତ ଦେଶର କେତେକ ପ୍ରମୁଖ ଆଇଟି ସଂସ୍ଥାର କର୍ମଚାରୀ ।

ଫୋରମ୍‌ ଫର ଇନ୍‌ଫର୍ମେସନ ଟେକ୍‌ନୋଲୋଜି ଏମ୍ପ୍ଲଇଜ୍‌ ବ୍ୟାନରରେ ଏକତ୍ର ହୋଇଥିବା ଏହି ଆଇଟି ପ୍ରଫେସନାଲଙ୍କ ଆବେଦନର ମର୍ମ ହେଲା ଯେ ହଜାର ହଜାର କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ ବେଆଇନ ଭାବେ ବାଧ୍ୟ କରାଯାଉଛି । ସେମାନେ ଏଥିରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଆଇଟି, ଦେଶର ଅନ୍ୟତମ ବୃହତ୍‌ କର୍ମଯୋଗାଣ କ୍ଷେତ୍ର। କଗ୍‌ନିଜାଣ୍ଟ, ୱିପ୍ରୋ, ମାଇଣ୍ଡଟ୍ରି ଓ ଇନ୍‌ଫୋସିସ୍‌ ଭଳି ପ୍ରମୁଖ ସଂସ୍ଥାକୁ ନେଇ ଗଢିଉଠିଥିବା ପନ୍ଦର ହଜାର କୋଟି ଡଲାର ମୂଲ୍ୟର ଏହି କ୍ଷେତ୍ରରେ ଏବେ ନିଯୁକ୍ତି ସଂକୋଚନର ଆଭାସ ଦେଖାଦେଇଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି କମ୍ପାନିଗୁଡ଼ିକ କର୍ମଚାରୀ ଅପସାରଣ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମେ ପାଳି ପଡ଼ିଛି ବରିଷ୍ଠ ଓ ମଧ୍ୟମ ସ୍ତରର ପ୍ରଫେସନାଲମାନଙ୍କର । ରିପୋର୍ଟ ଅନୁସାରେ କଗନିଜାଣ୍ଟ୍‌ ପ୍ରାୟ ୬ ହଜାର କର୍ମଚାରୀ ଅପସାରଣ କରିବାକୁ ଯୋଜନା ରଖିଛି । ସେହିଭଳି ଇନ୍‌ଫୋସିସ ପ୍ରାୟ ଏକ ହଜାର ଏବଂ ୱିପ୍ରୋ ପ୍ରାୟ ଦଶ ପ୍ରତିଶତ କର୍ମଚାରୀଙ୍କୁ ସ୍ୱେଚ୍ଛାରେ ଓହରିଯିବାକୁ ପ୍ରସ୍ତାବ ଦେବ ବୋଲି କୁହାଯାଉଛି । ୱିପ୍ରୋର କର୍ମଚାରୀ ସଂଖ୍ୟା ୧ ଲକ୍ଷ ୮୦ ହଜାରରୁ ଅଧିକ । ଏଭଳି ଆଶଙ୍କା ସମ୍ବଳିତ ରିପୋର୍ଟକୁ ଆଇଟି ସଂସ୍ଥାମାନେ ଅସ୍ୱୀକାର କରୁଛନ୍ତି ସତ, କିନ୍ତୁ କାର୍ଯ୍ୟରତ ବହୁ ଇଞ୍ଜିନିୟରଙ୍କ ମତରେ, ଲେ-ଅଫ୍‌ ବା ନିଯୁକ୍ତିରୁ ଅପସାରଣ ଏକ ଅନିବାର୍ଯ୍ୟ ପ୍ରକ୍ରିୟାର ରୂପ ନେଲାଣି ।

କ’ଣ ପାଇଁ ଏ ସ୍ଥିତି ଏବଂ କାହିଁକି ଏ ଆଶଙ୍କା ? ଏହାର ଉତ୍ତରରେ ମୁମ୍ବାଇରେ ଅବସ୍ଥାପିତ ମାନବସମ୍ବଳ କନସଲଟାଣ୍ଚ ତଥା ଥିଙ୍କ୍‌ ଟ୍ୟାଲେଣ୍ଟର ନିର୍ଦ୍ଦେଶକ ଭବାନି ମହାନ୍ତି କହନ୍ତି ଯେ, ଏ ଆଶଙ୍କା ଅମୂଳକ ନୁହେଁ । ଏଭଳି ସ୍ଥିତି ଓ ଆଶଙ୍କାର ବିଭିନ୍ନ ଦିଗ ଓ କାରଣ ରହିଛି । ଏକଦା ବହୁଜନାଦୃତ ଜଗତିକରଣ ପ୍ରକ୍ରିୟା ଏବେ ଓଲଟମୁହାଁ – ଅର୍ଥାତ୍‍ ରିଭର୍ସ ଗ୍ଲୋବାଲାଇଜେସନ୍‌ । ଜଗତିକରଣର ଏହି ବିପରୀତ ଧାରାରେ ଅନେକ କମ୍ପାନି ନିଜସ୍ୱ କ୍ଷେତ୍ରରେ ସୁରକ୍ଷିତ ରହିବାକୁ ଉଚିତ‍ ମଣୁଛନ୍ତି । ଉଦାହରଣସ୍ୱରୂପ, ଆମେରିକୀୟ କମ୍ପାନି କେବଳ ଆମେରିକାରେ ହିଁ ନିଜ ସ୍ଥିତି ସୁରକ୍ଷିତ ରଖିବାକୁ ଚାହୁଁଛି। ଏହା ଫଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ ।

ପରିବର୍ତ୍ତିତ ପରିସ୍ଥିତିରେ ଏବେ ଆଇଟି କମ୍ପାନିଗୁଡ଼ିକର ଅଭିବୃଦ୍ଧି ହାର ଆଶାନୁରୂପ ହେଉନାହିଁ । ବରଂ ଅଭିବୃଦ୍ଧି ଏବେ ପଶ୍ଚାତ୍‌ଗାମୀ ହୋଇଛି, ଯାହାକୁ ଡିଗ୍ରୋଥ୍‌ ବୋଲି କୁହାଯାଉଛି । ଆଜି ଶହ ଶହ ସଂଖ୍ୟାରେ ସଫ୍ଟଓୟାର୍‍ ଆପ୍ଲିକେସନ୍‌ ସୃଷ୍ଟି ହେବା ଫଳରେ କୋଡିଂ ବା ପ୍ରୋଗ୍ରାମିଂ କ୍ଷେତ୍ରରେ ଅଭିଜ୍ଞ ଇଞ୍ଜିନିୟରଙ୍କ ଚାହିଦା କମିଯାଇଛି। ସେହିଭଳି ବ୍ୟାପକ ଅଟୋମେସନ ଏବଂ ରୋବୋଟିକ୍ସର ପ୍ରୟୋଗ ଭଳି ଜ୍ଞାନକୌଶଳକୁ ବିଭିନ୍ନ ସଂସ୍ଥା ଆପଣେଇ ନେଇଛନ୍ତି । ତେଣୁ ବିଭିନ୍ନ କ୍ଷେତ୍ରରେ ଅତୀତରେ ଯେଉଁ ସଂଖ୍ୟାରେ ମାନବସମ୍ବଳର ଆବଶ୍ୟକତା ଥିଲା, ଆଜି ତାହା ଢେର କମିଯାଇଛି ।

ମୋଟାମୋଟି ଭାବେ କହିବାକୁ ଗଲେ ବୈଷୟିକ ଜ୍ଞାନକୌଶଳର ବିକାଶ ସହିତ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ହ୍ରାସ ପାଇବାରେ ଲାଗିଛି । ଶ୍ରୀ ମହାନ୍ତିଙ୍କ କହିବା ଅନୁସାରେ, ଡାଟାବେସ୍‌, ସର୍ଭର ପରିଚାଳନା କ୍ଷେତ୍ରରେ ଅଭିଜ୍ଞ ଇଞ୍ଜିନିୟରମାନଙ୍କ ସେବାର ଆବଶ୍ୟକତା ନାହିଁ କହିଲେ ଚଳେ । ସ୍ୱଳ୍ପ ଅଭିଜ୍ଞତା ଥିବା ବା ନୂଆ ନୂଆ କ୍ୟାରିୟର ଆରମ୍ଭ କରିଥିବା ପ୍ରଫେସନାଲମାନେ ଏହି ଦାୟିତ୍ୱ ତୁଲାଇ ପାରୁଥିବାରୁ କମ୍ପାନିମାନେ ପ୍ରବୀଣ ଓ ଅଭିଜ୍ଞମାନଙ୍କୁ ହଟାଇ ସେହି ଜାଗାରେ ନବୀନମାନଙ୍କ ଦ୍ୱାରା କାମ ଚଳାଇବାକୁ ଉଚିତ ମନେକରୁଛନ୍ତି। ଏହା ଫଳରେ କମ୍ପାନିମାନେ ମାନବସମ୍ବଳ ବ୍ୟୟ ବାବଦରେ ସିଂହ ଭାଗ ବଞ୍ଚାଇବାକୁ ଚାହୁଁଥିବା ସ୍ପଷ୍ଟ।

ଫୋରମ୍‌ ଫର୍‌ ଇନ୍‌ଫର୍ମସନ୍‌ ଟେକ୍‌ନୋଲୋଜି ଏମ୍ପ୍ଲଇଜ୍‌ ମଧ୍ୟ ଠିକ୍‌ ଏହି କଥା କହିଛି । ଫୋରମ୍‌ର ହାଇଦ୍ରାବାଦ ଚାପ୍‌ଟର ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, ଅଧିକ ଦରମା ପାଉଥିବା ଅଭିଜ୍ଞ କର୍ମଚାରୀଙ୍କୁ ଚାକିରିରୁ ହଟାଇ, ସେମାନଙ୍କ ସ୍ଥାନରେ ଅଳ୍ପ ଦରମାରେ ଅନଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । କମ୍ପାନି ଅଧିକ ଲାଭ ପାଇଁ ଏଭଳି କରୁଥିବା ଫୋରମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ।

ସିଧାସଳଖ କହିବାକୁ ଗଲେ କର୍ମଚାରୀ ଅପସାରଣ ଯୋଜନା ପଛର ମୂଳ କାରଣ ହେଉଛି ଖର୍ଚ୍ଚ କାଟ୍‌ ବା କଷ୍ଟ କଟିଂ । ଅଣବୈଷୟିକ ଭାଷାରେ କହିଲେ, ବିଗତ ବର୍ଷଗୁଡ଼ିକରେ ଯେଉଁ ନିର୍ଦ୍ଦିଷ୍ଟ କାମ ପାଇଁ ଇଞ୍ଜିନିୟରମାନଙ୍କୁ କମ୍ପାନି ପକ୍ଷରୁ ମୋଟା ଅଙ୍କର ଦରମା ଦେବାକୁ ପଡୁଥିଲା, ଏବେ ସେହି କାମ ପାଇଁ ଉନ୍ନତ ଜ୍ଞାନକୌଶଳ ଏବଂ ଅଳ୍ପ ଦରମା ନେଉଥିବା ଅନଭିଜ୍ଞ କର୍ମଚାରୀ ଉପଲବ୍ଧ ହେଲେଣି । ତା’ ସାଙ୍ଗକୁ ଜଗତିକରଣ ପ୍ରକ୍ରିୟାରୁ ଓହରିଯାଇ ନିଜ ଦେଶର ମାନବସମ୍ବଳକୁ ନିଜ ଦେଶ ଭିତରେ ଉପଯୋଗ କରିବାକୁ ବିଭିନ୍ନ ରାଷ୍ଟ୍ରର ନିଷ୍ପତ୍ତି ।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏକ ପ୍ରମୁଖ ଆଇଟି ସଂସ୍ଥାରେ କାର୍ଯ୍ୟରତ ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ, କଷ୍ଟ କଟିଂ ଏକ ନିୟମିତ ପ୍ରକ୍ରିୟା । ସେହିଭଳି କର୍ମଚାରୀଙ୍କ ପ୍ରଦର୍ଶନ ଆକଳନ ବା ଆପ୍ରାଇଜାଲ ପରେ ନିଯୁକ୍ତିରୁ ଅପସାରଣ ମଧ୍ୟ ନୂଆକଥା ନୁହେଁ । କିନ୍ତୁ ସାମୂହିକ ଭାବେ ଦକ୍ଷ ଓ ଅଭିଜ୍ଞ କର୍ମଚାରୀଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି । ତାଙ୍କ ମତରେ, ବେଆଇନ ଭାବେ ନୁହେଁ, ନିଯୁକ୍ତି ସର୍ତ୍ତାବଳୀ ଆଧାରରେ ହିଁ ଯାହା କିଛି କରାଯାଇପାରିବ।

କୋଲକାତାରେ ଏକ ପ୍ରମୁଖ ସଂସ୍ଥାରେ କାର୍ଯ୍ୟରତ ଜଣେ ଆଇଟି ପ୍ରଫେସନାଲଙ୍କ କହିବା ଅନୁସାରେ ସେଠାରେ ଚାକିରି ହରାଇବା ଭଳି ଆଶଙ୍କା ଉପୁଜି ନାହିଁ। କିନ୍ତୁ ଅନ୍ୟ କେତେକ ସହରରେ ଏଭଳି ସ୍ଥିତିର ଆଭାସ ସଂପର୍କରେ ସେ ଶୁଣିଛନ୍ତି ।

ନିଯୁକ୍ତି ସଂକୋଚନ ହେଉ ବା କର୍ମଚାରୀ ଅପସାରଣ ଆଶଙ୍କା, ଆଇଟି କ୍ଷେତ୍ରର ଆକର୍ଷଣ ଆଉ ଆଗ ଭଳି ନାହିଁ । ଜଗତିକରଣ ଏବେ ପୁରୁଣା କଥା ।

(ଶ୍ୱେତ ସୁନ୍ଦର ଜଣେ ବରିଷ୍ଠ ସାମ୍ଵାଦିକ ଓ ଏକ ଜାତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲ୍‌ର ପୂର୍ବତନ ବାର୍ତ୍ତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here