ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଟା ପରେ ଏବେ ଇନଫୋସିସ୍‌ର ପାଳି। ଇନଫୋସିସ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ବିଶାଳ ସିକ୍କାଙ୍କ ଆକସ୍ମିକ ଇସ୍ତଫା କମ୍ପାନି ଭିତର ଓ ବାହାର ଦୁନିଆ ଉଭୟରେ ଏକ ମୃଦୁ ଭୂମିକମ୍ପ ସୃଷ୍ଟି କରିଛି।

ବିଶାଳ ସିକ୍କାଙ୍କ ଇସ୍ତଫା ପାଇଁ ବୋର୍ଡ ସିଧାସଳଖ ଭାବେ କମ୍ପାନିର ଅନ୍ୟତମ ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣ ମୂର୍ତ୍ତିଙ୍କ ଆଡକୁ ଆଙ୍ଗୁଠି ଉଠାଇଛି। ବୋର୍ଡର କହିବା କଥା ଯେ ନିର୍ଦ୍ଦିଷ୍ଟ ଭାବରେ କେତେକ ବ୍ୟକ୍ତିଙ୍କୁ କମ୍ପାନିର ପରିଚାଳନା ବୋର୍ଡରେ ସାମିଲ୍ କରିବା ପାଇଁ ନାରାୟଣ ମୂର୍ତ୍ତି ବିଶାଳଙ୍କ ଉପରେ ଚାପ ପକାଇ ଆସୁଥିଲେ। କେବଳ ସେତିକି ନୁହେଁ ବିଭିନ୍ନ ଘଟଣାରେ ବିଶାଳଙ୍କ ପ୍ରତି ମୂର୍ତ୍ତିଙ୍କ ବ୍ୟବହାରକୁ ‘ଲଗାତର ଚାପ’ ବୋଲି ବୋର୍ଡ ବର୍ଣ୍ଣନା କରିଛି।

ଶୁକ୍ରବାର ଦିନ ବିଶାଳ ସିକ୍କାଙ୍କ ଇସ୍ତଫା ପରେ କମ୍ପାନିର ସେୟାର ୯.୬ ପ୍ରତିଶତ ଖସିଯାଇଛି। ଫଳରେ ଏ ବାବଦରେ ମୋଟ୍ ୨୨ହଜାର ୫ ଶହ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ବିଶେଷକରି କମ୍ପାନି ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଆଗାମୀ ଦିନରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇପାରେ।

ବିଶାଳ ସିକ୍କା ଇନଫୋସିସ୍‌ ବୋର୍ଡକୁ ଦେଇଥିବା ଇସ୍ତଫାପତ୍ରରେ ନାରାୟଣ ମୂର୍ତ୍ତିଙ୍କୁ ନାଁ ଉଲ୍ଲେଖ କରିବା ସହ ତାଙ୍କ ପ୍ରତିମୂର୍ତ୍ତିଙ୍କର ‘ଉଦ୍ଦେଶ୍ୟମୂଳକ ଏବଂ ଲଗାତର ବ୍ୟକ୍ତିଗତ ଆରୋପ’ କଥା ଉଠାଇଛନ୍ତି। ହେଲେ ଏହାର ଉତ୍ତରରେ ନାରାୟଣ ମୂର୍ତ୍ତି ସିଧାସଳଖ ଭାବରେ  କୌଣସି ଜବାବ ଦେବାକୁ ପସନ୍ଦ କରିନାହାନ୍ତି। ଏଭଳି ଅଭିଯୋଗ ତାଙ୍କୁ ଏକ ପ୍ରକାର ଧକ୍କା ଦେଇଛି ବୋଲି କହିବା ସହ ଏହାର ଉତ୍ତର ଦେବାକୁ ସେ ଉଚିତ୍ ମଣୁନାହାନ୍ତି ବୋଲି କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ ୨୦୧୪ ମସିହାରେ ସେ ସ୍ୱେଚ୍ଛାକୃତ ଭାବେ କମ୍ପାନିର ବୋର୍ଡରୁ ବାହାରି ଯାଇଥିଲେ। ସେ ତାଙ୍କ ପାଇଁ କୌଣସି ଅର୍ଥ କିମ୍ବା ତାଙ୍କ ପିଲାଙ୍କ ପାଇଁ କୌଣସି ପଦବୀ ବା କ୍ଷମତା ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଶୁକ୍ରବାର ଦିନ ଏହି ଘଟଣାକୁ ନେଇ ଇନଫୋସିସ୍ ପରିବାରରେ ଅଭିଯୋଗ, ପ୍ରତି-ଅଭିଯୋଗ, ଚର୍ଚ୍ଚା ଏବଂ ଗଣମାଧ୍ୟମକୁ ମନ୍ତବ୍ୟ ଆଦି ଜାରି ରହିଥିଲା। କର୍ପୋରେଟ୍ ବିଶେଷଜ୍ଞମାନେ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ବର୍ଣ୍ଣନା କରୁଛନ୍ତି।

ଗୁରୁବାର ଦିନ ବିଶାଳ ସିକ୍କା ଇନଫୋସିସ୍‌ର ଟପ୍ ଲିଡରସିପ୍‌ ତଥା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ଏଥିରେ ଅତି ଭାବପ୍ରବଣ ଭାବେ ସେ ତାଙ୍କ ପ୍ରତି କମ୍ପାନିରେ ଚାଲିଥିବା ଉଦ୍ଦେଶ୍ୟମୂଳକ ତଥା ବ୍ୟକ୍ତିଗତ ଆରୋପ ପ୍ରସଙ୍ଗ ଉଠାଇଥିଲେ। ସେହିପରି ନାରାୟଣ ମୂର୍ତ୍ତି ଏବଂ କମ୍ପାନିର କେତେକ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ବିଶାଳ ସିକ୍କା ସିଇଓ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ବରଂ ସେ ସିଟିଓ ପଦବୀରେ ରହିବା ଉଚିତ ବୋଲି ମନ୍ତବ୍ୟ ଦେଇଥିବା ବିଷୟ ମଧ୍ୟ ମୁଖ୍ୟ ଚର୍ଚ୍ଚାର କାରଣ ହୋଇଥିଲା।

କିଛି ଦିନ ତଳେ ଟାଟା କମ୍ପାନିରେ ଏହାର ମଙ୍ଗୁଆଳ ରତନ ଟାଟା ତଥା କମ୍ପାନିର ଏମଡି ଓ ସିଇଓ ସାଇରସ୍ ମିସ୍ତ୍ରିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ପଦାକୁ ଆସିଥିଲା। ଏହି ଘଟଣାରେ ସାଇରସକୁ କମ୍ପାନିରୁ ବାହାରି ଯିବାକୁ ପଡ଼ିଲା। ଇନଫୋସିସ୍‌ର ଘଟଣା ଏବେ ଟାଟା କାହାଣୀଠୁ ବଳିଯାଇଛି।

ସିକ୍କାଙ୍କ ଇସ୍ତଫା ପରେ ଏବେ ୟୁବି ପ୍ରବୀଣ ରାଓଙ୍କୁ ମଧ୍ୟବର୍ତ୍ତିକାଳୀନ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି। ଆଗାମୀ ମାର୍ଚ୍ଚ ସୁଦ୍ଧା କମ୍ପାନିର ଫୁଲ୍‌ଟାଇମ୍ ଏମଡି ଓ ସିଇଓ ନିଯୁକ୍ତ କରାଯିବ।

ନାରାୟଣ ମୂର୍ତ୍ତି ଓ ବିଶାଳ ସିକ୍କାଙ୍କ ମଧ୍ୟରେ ସମସ୍ୟାର କାରଣ ଯାହା ହେଉ ନା କାହିଁକି ତେବେ ଗୋଟିଏ କଥା ସତ ଯେ ଦୁଇଜଣଙ୍କ ମଧ୍ୟରେ ଏକ ସାଂସ୍କୃତିକ ଲଢ଼େଇ (କଲ୍‌ଚରାଲ୍ କ୍ଲାସ) ବେଶ୍ କିଛି ଦିନରୁ ଚାଲିଥିଲା।

Tags: Vishal Sikka, Infosys, N.R. Narayan Murthy, TATA, Cultural Class, Cyrus Pallonji Mistry, Cyrus Mistry, Ratan Tata

Comment