ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଟା କମ୍ପାନିକୁ ବଡ଼ ଝଟ୍‌କା ଦେଲା ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)। ଟାଟା ସନ୍‌ସର ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଇବା ନିଷ୍ପତ୍ତିକୁ ଏନ୍‌ସିଏଲ୍‌ଟି ଅବୈଧ ଘୋଷଣା କରିଛି। ଏଥିସହିତ ଏନ୍‌ସିଏଲ୍‌ଟି ସାଇରସଙ୍କୁ ପୁଣିଥରେ ଟାଟା ସନ୍‌ସର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେବା ପାଇଁ କମ୍ପାନିକୁ ନିର୍ଦ୍ଦେଶ ଦେଇଛି।

ଏହା ସାଇରସ ମସ୍ତ୍ରୀଙ୍କ ପାଇଁ ଏକ ବଡ଼ ବିଜୟ ସାବ୍ୟସ୍ତ ହୋଇଛି। ୨୦୧୬ ମସିହାରେ ରତନ ଟାଟା ଏବଂ କମ୍ପାନି ବୋର୍ଡ ପ୍ରତି ଦୁର୍ବ୍ୟବହାର ଅଭିଯୋଗରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍‌ସର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହାକୁ ବିରୋଧ କରି ସାଇରସ୍‌ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ରେ ଏକ ମାମଲା ରୁଜୁ କରିଥିଲେ।

ବୁଧବାର କମ୍ପାନି ନେଇଥିବା ନିଷ୍ପତ୍ତିକୁ ଭୁଲ୍‌ ଦର୍ଶାଇଛି ଏନ୍‌ସିଏଲ୍‌ଟି। ସେହିପରି ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ କମ୍ପାନିର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବାର ନିଷ୍ପତ୍ତିକୁ ମଧ୍ୟ ଅବୈଧ କହିଛି। ଏହା ସହିତ କମ୍ପାନିର ନୂଆ ଅଧ୍ୟକ୍ଷ ଭାବେ ସାଇରସ ମିସ୍ତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଏନ୍‌ସିଏଲ୍‌ଟି ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ୨୦୧୨ ମସିହାରେ ରତନ ଟାଟା ଅବସର ନେବା ପରେ ସାଇରସ୍‌ ମିସ୍ତ୍ରୀ ଟାଟା ସନ୍‌ସର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। କମ୍ପାନିର କାର୍ଯ୍ୟଭାର ସମ୍ଭାଳିବାର କିଛି ଦିନ ପରେ କମ୍ପାନିର ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କ ସହ ସାଇରସ୍‌ଙ୍କ ଚିନ୍ତାଧାରା ଅମେଳ ହୋଇଥିଲା। ଏମିତିକି ସାଇରସଙ୍କ ନିଷତ୍ତିରେ ରତନ ଟାଟା ମଧ୍ୟ ଖୁସି ନଥିବା ଶୁଣିବାକୁ ମିଳିଥିଲା।

୨୦୧୬ ମସିହା ଅକ୍ଟୋବର ୨୪ରେ ଦୁର୍ବ୍ୟବହାର ଅଭିଯୋଗରେ ସାଇରସଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସାଇରସ ନିଜ ପିତା ପାଲନଜୀ ମିସ୍ତ୍ରୀଙ୍କ ଦୁଇଟି କମ୍ପାନି ସାଇରସ୍‌ ଇନ୍‌ଭେଷ୍ଟମେଣ୍ଟ ଏବଂ ଷ୍ଟାଲିଙ୍ଗ୍‌ ଇନ୍‌ଭେଷ୍ଟଷମଣ୍ଟ କର୍ପୋରେସନ ପକ୍ଷରୁ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲରେ ଟାଟା କମ୍ପାନି ବିରୋଧରେ ମାମଲା ଦାୟର ହୋଇଥିଲା। ଆଜି ଏନ୍‌ସିଏଲ୍‌ଟି ଏହାର ଶୁଣାଣି କରି ସାଇରସ୍‌ଙ୍କୁ କମ୍ପାନିର ଅଧ୍ୟକ୍ଷ ଭାବେ ପୁଣିଥରେ ନିଯୁକ୍ତି ଦେବା ଟାଟା ସନ୍‌ସର ବୋର୍ଡ ଅଫ୍‌ ଡାଇରେକ୍ଟରକୁ ନିର୍ଦ୍ଦେଶ ଦେଇଛି।

Comment