ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ବିଜେଡି ମୁଖପାତ୍ର ସୁଲତା ଦେଓ, ବିଜେପି ମିଡିଆ ସଂଯୋଜକ ଦିଲ୍ଲୀପ ମଲ୍ଲିକ ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ।

ରାଜ୍ୟର ମୋଟ ୧୧୦ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ଥର ମେୟର ଏବଂ ଚେୟାରମ୍ୟାନ ନିର୍ବାଚନ ସିଧାସଳଖ କରାଯିବାକୁ ନିଷ୍ପତ୍ତି ହୋଇଛି। କାଉନସିଲର ଏବଂ କର୍ପୋରେଟର ପାଇଁ  ଇଭିଏମରେ ମତଦାନ କରାଯିବ। ପ୍ରତି ବୁଥକୁ ଦୁଇଟି ଲେଖାଏଁ ଇଭିଏମ୍ ମେସିନ ଯୋଗାଇ ଦିଆଯିବ। ଗୋଟିଏ ଇଭିଏମ ଚେୟାରମ୍ୟାନ ଏବଂ ମେୟର ପାଇଁ ଓ ଅନ୍ୟଟି କାଉନସିଲର ଏବଂ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ରହିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ। ଖର୍ଚ୍ଚ ତାଲିବା ଦେବାକୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି। ପ୍ରାର୍ଥୀମାନଙ୍କ ସତ୍ୟପାଠ ଦାଖଲକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଏବଂ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁଲ ତଥ୍ୟ ଥିଲେ କିମ୍ବା ସତ୍ୟପାଠ ଦାଖଲ ନକଲେ ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର ନାକଚ କରାଯିବ ବୋଲି କୁହାଯାଇଛି।

ଭୋଟର ତାଲିକା ସଂଶୋଧନକୁ ନେଇ ବୈଠକରେ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗର ସମୟ ସୀମାକୁ ୬ ଦିନ ପରିବର୍ତ୍ତେ ୧୦ ଦିନ ବୃଦ୍ଧି କରିବା ଏବଂ ୩ ଦିନ ମଧ୍ୟରେ ଆପତ୍ତି ଅଭିଯୋଗର ଶୁଣାଣି କରିବାକୁ ଦଳ ପକ୍ଷରୁ ଦାବି ହୋଇଥିଲା।

ଗତ ଫେବ୍ରୁଆରି ତାରିଖ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁଯାୟୀ ଭୋଟର ତାଲିକା ନିମନ୍ତେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଧାର୍ଯ୍ୟ ହୋଇଥିଲା। ଫେବ୍ରୁଆରି ୧୧ରୁ ୧୬ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବକୁ କୁହାଯାଇଥିଲା।

ନିର୍ବାଚନ ଅଧିକାରୀ ଅପତ୍ତି ଅଭିଯୋଗର ତଦନ୍ତ କରି ୧୮ ତାରିଖ ଚୂଡ଼ାନ୍ତ ଫଇସଲା କରିବା ପରେ ଫେବ୍ରୁଆରି ୨୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସମସ୍ତ ରାଜନୈତିକ ଦଳଙ୍କୁ ସେହିଦିନ ଭୋଟର ତାଲିକା ପ୍ରଦାନ କରିଯିବ। ଆସନ୍ତା ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରାଯିବ। କୌଣସି ନୂଆ ଭୋଟରଙ୍କୁ ଏହି ତାଲିକାରେ ଯୋଡ଼ା ଯିବନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ୪୮ଟି ଏନ୍‌ଏସି, ୫୯ଟି ମ୍ୟୁନିସିପାଲଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ।

Comment