ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସାଇରସ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ସାଇରସ ମିସ୍ତ୍ରୀ ଯାତ୍ରା କରୁଥିବା ଦାମୀ ମର୍ସିଜିଡ କାରର ସେଫ୍ଟି ଫିଚର୍ସକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି।

ସାଇରସ ମିସ୍ତ୍ରୀ ଅହମଦାବାଦରୁ ଅନ୍ୟ ତିନିଜଣଙ୍କ ସହ ଏକ ମର୍ସିଡିଜ କାର୍ ଯୋଗେ ମୁମ୍ବାଇ ଫେରୁଥିଲେ। ଭାରସାମ୍ୟ ହାରଇ କାରଟି ମୁମ୍ବାଇ-ଅହମଦାବାଦ ହାଇୱେ ନିକଟରେ ଥିବା ଏକ ଡିଭାଇଡରେ ପିଟି ହୋଇଯାଇଥିଲା। ପରେ କାରରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସାଇରସ ମିସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା।

ଏହି ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ସହ ଜାହାଙ୍ଗିର ପଣ୍ଡୋଲେ ନାମକ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ମର୍ସିଡିଜ କାରକୁ ଡାକ୍ତର ଅନାହିତା ପଣ୍ଡୋଲେ ଚଲାଉଥିଲେ। ସାଇରସ ମିସ୍ତ୍ରୀ ଏବଂ ଜାହାଙ୍ଗିର ପଣ୍ଡୋଲେ କାରର ପଛ ସିଟରେ ବସିଥିଲେ। କାରରେ ଡାକ୍ତର ଅନାହିତା ପଣ୍ଡୋଲେଙ୍କ ସ୍ଵାମୀ ଡେରିୟସ ପଣ୍ଡୋଲେ ମଧ୍ୟ ଉପସ୍ଥିତ ଥିଲେ। କାରର ପଛ ସିଟରେ ବସିଥିବା ସାଇରସ ମିସ୍ତ୍ରୀ ଏବଂ ଜାହାଙ୍ଗିର ପଣ୍ଡୋଲେ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପଛରେ ବସିଥିବା ସାଇରସ ମିସ୍ତ୍ରୀ ଏବଂ ଜାହାଙ୍ଗିର ପଣ୍ଡୋଲେଙ୍କର ମୃତ୍ୟୁ ହୋଇଥିବାବେଳେ କାର ଚଲାଉ ଥିବା ଡାକ୍ତର ଅନାହିତା ପଣ୍ଡୋଲେ ଏବଂ ତାଙ୍କ ସ୍ଵାମୀ ଡେରିୟସ ପଣ୍ଡୋଲେ ଚିକିତ୍ସାଧୀନ ଅଛନ୍ତି। କୁହାଯାଉଛି ଡାକ୍ତର ଅନାହିକା ପଣ୍ଡୋଲେ ଏବଂ ସାଇରସ ମିସ୍ତ୍ରୀଙ୍କ ମଧ୍ୟରେ ପାରିବାରକ ସମ୍ପର୍କ ରହିଥିଲା।

ସାଇରସ ମିସ୍ତ୍ରୀ ଯେଉଁ କାରରେ ଯାତ୍ରା କରୁଥିଲେ ତା’ର ସେଫ୍ଟି ଫଚର୍ସକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଛି। ସାଇରସ ମିସ୍ତ୍ରୀ ଉଚ୍ଚ ସୁରକ୍ଷା ସମ୍ପନ୍ନ ମର୍ସିଡିଜ ବେଞ୍ଜ ଜିଏଲସି ୨୨୦ ଡି ୪ମ୍ୟାଟିକ୍ ପ୍ରୋଗ୍ରେସିଭ କାରରେ ଯାତ୍ରା କରୁଥିଲେ। ଦୁଇଟି ସେଫ୍ଟି କ୍ରସ ଟେଷ୍ଟରେ ଏନସିଏପି ଏହି କାରକୁ ୫-ଷ୍ଟାର ରେଟିଂ ଦେଇଛି। ୧୯୫୦ ସିସି ଇଂଜିନ ଯୁକ୍ତ ଏହି କାରରେ ୭ଟି ଏୟାରବ୍ୟାଗ ରହିଛି। ଏହି କାରର ମୂଲ୍ୟ ପ୍ରାୟ ୬୭.୯୯ ଲକ୍ଷ ଟଙ୍କା ରହିଛି।

ଦୁର୍ଘଟଣା ପରେ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ ଯାତ୍ରା କରୁଥିବା କାରର ସେଫ୍ଟି ଫିଚର୍ସକୁ ନେଇ ଉଠୁଥିବା ପ୍ରଶ୍ନ

ସୂଚନା ଅନୁସାରେ ସାଇରସ ମିସ୍ତ୍ରୀ କାରର ପଛ ସିଟରେ ବସି ଯାତ୍ରା କରୁଥିଲେ। ଦୁର୍ଘଟଣା ସମୟରେ କାରର ପଛସିଟର ଏୟାରବ୍ୟାଗ ଖୋଲିନଥିଲା। ଯାହା ଫଳରେ ସେ ମୃତ୍ୟୁ ମୁଖରୁ ବଞ୍ଚି ପାରିଲେ ନାହିଁ ବୋଲି କୁହାଯାଉଛି। ଅନ୍ୟ ପଟେ ଏହି କାରରେ ରହିଥିବା ସେଫ୍ଟି ଫିଚର୍ସ ଉପରେ ଏବେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଛି। କାହିଁକି ଏୟାର ବ୍ୟାଗ ଖୋଲିଲା ନାହିଁ? ପଛସିଟରେ ବସିଥିବା ସାଇରସ ମିନ୍ତ୍ରୀ ଏବଂ ଜାହାଙ୍ଗିର ପଣ୍ଡୋଲେ ସିଟବେଲ୍ଟ ଲଗାଇଥିଲେ ନା ଠିକ୍ ଭାବରେ ଲଗାଇ ନଥିଲେ? ଗାଡ଼ିରେ ରହିଥିବା ଅନ୍ୟ ସେଫ୍ଟି ଫିଚର୍ସ ଠିକ୍ ଭାବେ କାମ କରୁନଥିଲା କି? ଏହିପରି ଏନେକ ପ୍ରଶ୍ନ। ତଦନ୍ତ ପରେ ସମସ୍ତ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି କୁହାଯାଉଛି।

Tags: #Accident #RoadAccident #CyrusMistry #CyrusMistryDies #CarCrash

Comment