ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ସାଇରସ ମିସ୍ତ୍ରୀ। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଶିଳ୍ପ ଜଗତ।

ରବିବାର ଦିନ ଅହମଦାବାଦରୁ ମୁମ୍ବାଇ ଫେରିବା ବାଟରେ ନିଜର ଦାମୀ ମର୍ସିଡିଜ ବେଞ୍ଜ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ। କାରରେ ମୋଟ ୪ଜଣ ଯାତ୍ରୀ ଥିବାବେଳେ ପଛରେ ବସିଥିବା ସାଇରସ ମିସ୍ତ୍ରୀ ଏବଂ ଜାହାଙ୍ଗିର ପଣ୍ଡୋଲେଙ୍କର ମୃତ୍ୟୁ ହୋଇଥିଲା। ସାଇରସ ମିସ୍ତ୍ରୀଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଶିଳ୍ପ ଜଗତ।

ଛୋଟ ବୟସରେ ବଡ଼ ସଫଳତା

ବିଜନେସ ଟାଇକୁନ ସାପୁରଜୀ ପାଲୋନଜୀ ମିସ୍ତ୍ରୀଙ୍କ ସାନ ପୁଅ ହେଉଛନ୍ତି ସାଇରସ ମିସ୍ତ୍ରୀ। ସାଇରସ ମିସ୍ତ୍ରୀ ଲଣ୍ଡନରୁ ନିଜ ପାଠପଢ଼ା ସାରି ସମଗ୍ର ବିଶ୍ଵରେ ରହିଥିବା ନିଜର ପାରିବାରିକ ବ୍ୟବସାୟରେ ପାଦ ରଖିଥିଲେ। ନିଜ ନିଷ୍ଠା ଏବଂ ଦକ୍ଷତା ଫଳରେ ତାଙ୍କ ବ୍ୟବସାୟକୁ ନୂତନ ଉଚ୍ଚତା ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ସାଇରସ ମିସ୍ତ୍ରୀ। ଏହା ପରେ ସେ ଟାଟା ଗ୍ରୁପରେ ସାମିଲ ହୋଇଥିଲେ। ଟାଟା ଗ୍ରୁପରେ ସବୁଠାରୁ ଉଚ୍ଚ ପଦବୀରେ ପହଞ୍ଚିବାରେ ସାଇରସ ମିସ୍ତ୍ରୀ ଯୁବ ଏବଂ ବିନା ଟାଟା ସରନେମ ଯୁକ୍ତ ବ୍ୟକ୍ତି ଥିଲେ।

୨୦୧୨ ମସିହାରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ୪ ବର୍ଷ ଧରି ସେ ଏହି ପଦବୀରେ ରହିଥିଲେ। କିନ୍ତୁ ୨୦୧୬ ମସିହାରେ ତାଙ୍କୁ ଏହି ପଦବୀ ହରାଇବାକୁ ପଡ଼ିଥିଲା।

ଟାଟା ସହିତ ବିବାଦ

ଟାଟା ଗ୍ରୁପ ସହ ଆରମ୍ଭ ହୋଇଥିବା ବିବାଦ ପରେ ଚର୍ଚ୍ଚାକୁ ଆସିଥିଲେ ସାଇରସ ମିସ୍ତ୍ରୀ। ଦୀର୍ଘ ସମୟ ଧରି ଟାଟା ସହ ଆଇନ ଗତ ଲଢ଼େଇ ଲଢ଼ିଥିଲେ ସେ। କିନ୍ତୁ ଟାଟା ସକ୍ଷପରେ ଯାଇଥିଲା କୋର୍ଟଙ୍କ ରାୟ। ଟାଟାଠାରୁ ଅଲଗା ହେବା ପରେ ସାଇରସ ମିସ୍ତ୍ରୀ ପୁନର୍ବାର ନିଜ ପାରବାରିକ ବ୍ୟବସାୟ ସମ୍ଭାଳିଥିଲେ।

ଆଇନଗତ ଲଢ଼େଇ ସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ନିଜ ବ୍ୟବସାୟକୁ ଆଗକୁ ନେବା ଉପରେ ରହିଥିଲା। କିନ୍ତୁ ୨୦୨୨ ମସିହା ତାଙ୍କ ଜୀବନର ସବୁଠାରୁ ଅଶୁଭ ବର୍ଷ ସାବ୍ୟସ୍ତ ହେଲା। ଚଳିତ ବର୍ଷ ଜୁନ ମାସ ପ୍ରାରମ୍ଭରେ ତାଙ୍କ ପିତା ସାପୁରଜୀଙ୍କ ବିୟୋଗ ହୋଇଥିବାବେଳେ ସେପ୍ଟେମ୍ବର ୪ ତାରିଖରେ ସେ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି।

ମନେ ରହିବେ ଉଦୀୟମାନ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ

  • ବିଶିଷ୍ଟ ଶିଳ୍ପପତି ପାଲୋନଜୀ ସାପୁରଜୀ ମିସ୍ତ୍ରୀଙ୍କ ସାନପୁଅ ଥିଲେ ସାଇରସ ମିସ୍ତ୍ରୀ।
  • ଏକ ପାର୍ସି ପରିବାରରେ ସାଇରସ ମିସ୍ତ୍ରୀ ୧୯୬୮ ମସିହା ଜୁଲାଇ ୪ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।
  • ମୁମ୍ବାଇର କ୍ୟାଥେଡ୍ରଲ ଆଣ୍ଡ ଜନ କାନନ ସ୍କୁଲରୁ ସାଇରସ ମିସ୍ତ୍ରୀ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ।
  • ୧୯୯୦ରେ ସେ ଲଣ୍ଡନ ଏମ୍ପରିଆଲ କଲେଜରୁ ସିଭିଲ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଇଂଲଣ୍ଡ ବିଜନେସ ସ୍କୁଲରୁ ମ୍ୟାନେଜମେଣ୍ଟରେ ଏମଏସସି କରିଥିଲେ।
  • ୧୯୯୧ ମସିହାରେ ସାପୁରଜୀ ପାଲୋନଜୀ ଗ୍ରୁପର ବୋର୍ଡ ଅଫ ଡାଇରେକ୍ଟରେ ସାମିଲ ହୋଇଥିଲେ ସାଇରସ ମିସ୍ତ୍ରୀ। ଏହା ପରେ ୧୯୯୪ ମସିହାରେ ସେ ସାପୁରଜୀ ପାଲୋନଜୀ ଗ୍ରୁପର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ।
  • ୨୦୦୬ ମସିହାରେ ଟାଟା ଗ୍ରୁପ ସହ ସାମିଲ ହୋଇଥିଲେ ସାଇରସ ମିସ୍ତ୍ରୀ। ସେ ଟାଟା ପାଓ୍ଵାର ଏବଂ ଟାଟା ଇଏଲଏକ୍ସଏସଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।
  • ୨୦୧୧ ମସିହାରେ ସାଇରସ ମିସ୍ତ୍ରୀ ଟାଟା ଗ୍ରୁପର ଡେପୁଟି ଚେୟାରମ୍ୟାନ ଭାବେ ଦାୟିତ୍ଵ ନେଇଥିଲେ। ରତନ ଟାଟାଙ୍କ ଅବସର ଘୋଷଣା ପରେ ୨୦୧୨ ମସିହାରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ସାଇରସ ମିସ୍ତ୍ରୀ ହେଲେ ଟାଟା ସନ୍ସର ଷଷ୍ଠ ଅଧ୍ୟକ୍ଷ।
  • ୨୦୧୬ ମସିହା ଅକ୍ଟୋବର ମାସରେ ନାଟକୀୟ ଢଙ୍ଗରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦବୀରୁ ଅବସର ନେବାକୁ ପଡ଼ିଥିଲା। ଏହାକୁ ନେଇ ସେ ଆଇନର ସାହାରା ନେଇଥିଲେ। କିନ୍ତୁ ରାୟ ତାଙ୍କ ସପକ୍ଷରେ ଯାଇନଥିଲା।
  • ସାଇରସ ମିସ୍ତ୍ରୀ ପରିବାର ନିକଟରେ ଟାଟା କମ୍ପାନିର ସର୍ବାଧିକ ୧୮ ପ୍ରତିଶତରୁ ଅଧିକ ସେୟାର ରହିଛି। 

୧୯୯୨ ମସିହାରେ ସାଇରସ ମିସ୍ତ୍ରୀ ରୋହିକା ଛାଗଲଙ୍କୁ ବିବାହ କରିଥିଲେ। ଲଗଜରୀ କାର ଏବଂ ଘୋଡ଼ା ଚଢ଼ିବାର ସୌକ୍ ଥିଲା ସାଇରସଙ୍କର। ତାଙ୍କ ପାରିବାରିକ ବ୍ୟବସାୟ ପାଲୋନଜୀ ଗ୍ରୁପରେ ପ୍ରାୟ ୨୫,୦୦୦ କର୍ମଚାରୀ କାମ କରନ୍ତି। ତାଙ୍କ ବ୍ୟବସାୟ ଭାରତ ସହ ଅନ୍ୟାନ୍ୟ ଦେଶରେ ଚାଲିଛି।

Tags: #CyrusMistry #Industrialist #TataGroupChairman #Accident #Death

Comment