ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ କମ୍ପାନି ଲ’ ଟ୍ରିବୁନାଲ(ଏନ୍‌ସିଏଲ୍‌ଟି) ଟାଟା କମ୍ପାନିକୁ ଏକ ବଡ଼ ଝଟ୍‌କା ଦେଇଛି। ଏନ୍‌ସିଏଲ୍‌ଟି ଟାଟା ସନ୍‌ସର ଚେୟାରମ୍ୟାନ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଇବା ନିଷ୍ପତ୍ତିକୁ ଭୁଲ କହିଛି। ଏଥିସହିତ ସାଇରସ ମିସ୍ତ୍ରୀଙ୍କୁ ପୁଣିଥରେ ଚେୟାରମ୍ୟାନ୍‌ ପଦରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାଇରସ ମିସ୍ତ୍ରୀ କିଏ? ଯିଏ ପୁଣିଥରେ ହେବେ ଟାଟା କମ୍ପାନିର ଅଧ୍ୟକ୍ଷ, ଆସନ୍ତୁ ଜାଣିବା।

ସାଇରସ ମିସ୍ତ୍ରୀ କିଏ?

ସାଇରସ୍‌ ପାଲୋନ୍‌ଜୀ ମିସ୍ତ୍ରୀ। ସାଇରସ୍‌ ହେଉଛନ୍ତି ଭାରତର ପ୍ରଖ୍ୟାତ ନିର୍ମାଣ ଉଦ୍ୟୋଗୀ ପାଲୋନ୍‌ଜୀ ମିସ୍ତ୍ରୀଙ୍କ ସାନ ପୁଅ। ଭାରତର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପାଲୋନ୍‌ଜୀ ମିସ୍ତ୍ରୀ। ସବୁଠାରୁ ବଡ଼ କଥା ହେଲା, ତାଙ୍କ ପରିବାର ପାଖରେ ଟାଟା କମ୍ପାନିର ସର୍ବାଧିକ ୧୮ ପ୍ରତିଶତରୁ ଅଧିକ ସେୟାର ରହିଛି।

ସାଇରସ ମିସ୍ତ୍ରୀଙ୍କୁ ଜାଣିଥିବା ଲୋକଙ୍କ କହିବା ଅନୁଯାୟୀ, ସେ ହେଉଛନ୍ତି ଜଣେ ବିଚକ୍ଷଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଲାଭ କରିବା ପରେ ଲଣ୍ଡନର ଏମ୍ପରିଆଲ କଲେଜ୍‌ରୁ ଇଞ୍ଜିନିୟରିଂ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ବିଜନେସ୍‌ରୁ ସ୍ନାତକତ୍ତୋର ଲାଗ କରିଥିଲେ।

୧୯୯୧ ମସିହାରେ ନିଜ ପିତାଙ୍କ ଶପୁରଜୀ ପାଲୋନ୍‌ଜୀ ଗ୍ରୁପର ବୋର୍ଡ ଅଫ୍‌ ଡାଇରେକ୍ଟର ପଦରେ ଦାୟିତ୍ୱ ସମ୍ଭାଳିଥିଲେ। ଏହାର ୩ ବର୍ଷ ପରେ ତାଙ୍କୁ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ନେତୃତ୍ୱରେ ଶପୁରଜୀ ପାଲୋନ୍‌ଜୀ କମ୍ପାନିର ଆୟ ୨ କୋଟି ଡଲାରରୁ ବଢ଼ି ୧୫ କୋଟି ଡଲାର ପହଞ୍ଚିଥିଲା। ମିସ୍ତ୍ରୀଙ୍କ ବିଚକ୍ଷଣ ପ୍ରତିଭା ଏବଂ ନମ୍ରତା ଆଚରଣ ଦେଖି ଟାଟା କମ୍ପାନର ମାଲିକ ରତନ ଟାଟା ତାଙ୍କ ଉପରେ ବେଶ୍‌ ପ୍ରଭାବିତ ହୋଇଥିଲେ।

୨୦୧୨ ମସିହାରେ ସାଇରସ୍‌ ମିସ୍ତ୍ରୀ ଟାଟା ସନ୍‌ସର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ। ଏହା ସହିତ ଟାଟା ଏଲେକ୍ସି ଏବଂ ଟାଟା ପାୱାରର ନିର୍ଦ୍ଦେଶକ ପଦ ମଧ୍ୟ ସମ୍ଭାଳିଥିଲେ। ଗୋଟେ ସମୟରେ ସେ ଥିଲେ ରତନ ଟାଟାଙ୍କ ଅତି ପାଖ ଲୋକ। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ବିଚାରଧାରାରେ ପରିବର୍ତ୍ତନ ଦେଖାଦେଲା। ନିଯୁକ୍ତି ମିଳିବାର ଦୁଇ ବର୍ଷ ପରେ ସାଇରସ୍‌ଙ୍କୁ କମ୍ପାନିର ଚେୟାରମ୍ୟାନ୍‌ ପଦରୁ ହଟାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ..

NCLT ଦେଲା ନିର୍ଦ୍ଦେଶ – ସାଇରସ ମିସ୍ତ୍ରୀ ହେବେ ଟାଟା ସନ୍‌ସର ଚେୟାରମ୍ୟାନ୍‌

Comment