ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଗ୍ରୁପର ବିକାଶ ତଥା ସମ୍ପ୍ରସାରଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।   

ରତନ ଟାଟା ଅନେକ ଦିନରୁ ଅସୁସ୍ଥ ଥିଲେ। କିଛି ଦିନ ପୂର୍ବେ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ରତନ ଟାଟାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

୧୯୬୨ ମସିହାରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ। ୧୯୮୧ ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ କରାଯାଇଥିଲା। ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ।

ରତନ ଟାଟା ନିଜ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପର ବ୍ୟାପକ ସମ୍ପ୍ରସାରଣ କରିଥିଲେ। ସେ ୧୯୯୬ ମସିହାରେ ଟାଟା ଟେଲିସର୍ଭିସେସ୍ ତଥା ଟିସିଏସ୍  ଭଳି କମ୍ପାନି ପ୍ରତିଷ୍ଠା କରିଥିଲେ। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟ୍ଲି, କୋରସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନିକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଘରୋଇ କମ୍ପାନିରୁ ଏକ ବିଶ୍ୱସ୍ତରୀୟ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ କରିଥିଲେ।

Tags: #RatanTata #TATAGroup #Industrialist #India

Comment