ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଶିଳ୍ପ ଜଗତର ଉଜ୍ଜ୍ଵଳତମ ତାରକା ରତନ ଟାଟା ଆଉ ନାହାନ୍ତି। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ସେ ଅନ୍ୟ ମାନଙ୍କୁ ବଡ଼ ସ୍ଵପ୍ନ ଦେଖିବାକୁ ସବୁବେଳେ ପ୍ରେରଣା ଦେଉଥିଲେ। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି।

ଟାଟା ଗ୍ରୁପକୁ ବିଶ୍ଵରେ ପରିଚିତ କରିବା‌ରେ ରତନ ଟାଟା ଥିଲେ ପ୍ରମୁଖ ବିନ୍ଧାଣି। ତାଙ୍କର ବ୍ୟବସାୟରେ ବିଚକ୍ଷଣ ଗୋଟି ଚାଳନା ଟାଟାର ବିଶାଳ ସାମ୍ରାଜ୍ୟକୁ ଆହୁରି ସୁଦୃଢ଼ କରିପାରିଛି। ସେ ଟାଟା ଗ୍ରୁପକୁ କେବଳ ଭାରତ ଭିତରେ ସୀମିତ ରଖିବାକୁ ଚାହୁଁ ନଥିଲେ ବରଂ ବିଶ୍ଵର ଏକ ବଡ଼ ବ୍ୟବସାୟିକ ସମୂହରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲେ।

ରତନ ଟାଟା ବିଶ୍ଵର ଏକାଧିକ ବ୍ରାଣ୍ଡ ତଥା କମ୍ପାନିର ଅଧିଗ୍ରହଣ କରି ସେ ସାରା ଦୁନିଆରେ ଟାଟାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜାଗୁଆର, ଲ୍ୟାଣ୍ଡ ରୋଭାର ଭଳି କାର, ଟେଟଲି ଚା’ ତଥା ୟୁରୋପର କୋରସ୍ ଷ୍ଟିଲ ଏହାର ଉଦାହରଣ।

ସେ କେବଳ ଲାଭ ପାଇବା ଆଶାରେ ବ୍ୟବସାୟ କରୁନଥିଲେ। ସମାଜକୁ ଫେରାଇବା ଉପରେ ସେ ସର୍ବଦା ଗୁରୁତ୍ଵ ଦେଉଥିଲେ। ତାଙ୍କର ସେହି ମୂଲ୍ୟବୋଧ ଟାଟା ଗ୍ରୁପର ସବୁ କମ୍ପାନିରେ ଦେଖିବାକୁ ମିଳେ। ଟାଟା ଗ୍ରୁପର ଲାଭାଂଶର ୬୫ ପ୍ରତିଶତ ଅର୍ଥ ସେ ସମାଜ ମଙ୍ଗଳ କାମ ପାଇଁ ଦାନ କରୁଥିଲେ। ତାଙ୍କ ସହଯୋଗରେ ଭାରତରେ ଶିକ୍ଷା, ସ୍ଵାସ୍ଥ୍ୟ ସେବା, ସାମାଜିକ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଅନେକ କାମ ହୋଇଛି।

ରତନ ଟାଟାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରୋଚକ କଥା।  

ପ୍ରାରମ୍ଭିକ ଜୀବନ

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା। ପିତା ନଭଲ ଟାଟାଙ୍କ ଅନୁସାରେ ତାଙ୍କ ପୂରା ନାଁ ଥିଲା ରତନ ନଭଲ ଟାଟା। ସୁନି ଟାଟା ତାଙ୍କ ମାତା ଥିଲେ। ତେବେ ପିତା ମାତା ଅଲଗା ହୋଇଯିବା ପରେ ଜେଜେମା ନଭଜବାଇ ଟାଟା ତାଙ୍କର ଲାଳନପାଳନ କରିଥିଲେ।

ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହି ସମୟରେ ସେ ଆମେରିକା ମଧ୍ୟ କାମ କରିଥିଲେ।

ଭାରତ ଆଗମନ

୧୯୬୦ ମସିହାରେ ଜେଜେମାଙ୍କ ଦେହ ଖରାପ ହେବାରୁ ରତନ ଟାଟା ଆମେରିକାରୁ ଭାରତ ଫେରିଥିଲେ। ୨୧ ବର୍ଷ ବୟସରେ ୧୯୬୧ ମସିହାରେ ସେ ପ୍ରଥମେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ। ସେ ନିଜର କାର୍ଯ୍ୟ ଦକ୍ଷତା ବଳରେ କମ୍ପାନିକୁ ଶିଖରରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ଏହାପରେ ସେ ଟାଟା ଗ୍ରୁପର ଅନ୍ୟ କାରବାର ସହ ଜଡ଼ିତ ହୋଇଥିଲେ।

୧୯୯୧ରେ ଟାଟା ଗ୍ରୁପର ଧରିଲେ ମଙ୍ଗ

ଟାଟା ଗ୍ରୁପରେ ଅନେକ ଦିନ ଜଡ଼ିତ ରହି ରତନ ଟାଟା ଏହାର ବିଭିନ୍ନ କମ୍ପାନିର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ନିଜ କମ୍ପାନିର ଛୋଟ ଛୋଟ କର୍ମଚାରୀଙ୍କୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ କରୁଥିଲେ। ତାଙ୍କ ବ୍ୟବହାର ଓ ଆଚରଣରେ ତାହା ପ୍ରତିଫଳିତ ହେଉଥିଲା। କମ୍ପାନିର ବିଭିନ୍ନ ସମସ୍ୟା ତଥା କର୍ମଚାରୀଙ୍କ ଅସୁବିଧାକୁ ସେ ବ୍ୟକ୍ତଗତ ଭାବେ ସମାଧାନ କରିଥିବାର ନଜିର ରହିଛି। ୧୯୯୧ ମସିହାରେ ଟାଟା ଗ୍ରୁପର ତତକାଳୀନ ଅଧ୍ୟକ୍ଷ ଜେ ଆର ଡି ଟାଟା ରତନଙ୍କୁ ନିଜ ଉତ୍ତରାଧିକାରୀ ବାଛିଥିଲେ।

ରତନ ଟାଟା ୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପର ଅଧ୍ୟକ୍ଷ ରହିଥିଲେ। ଏହି ସମୟରେ ସେ ଗ୍ରୁପକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ସହ ବିଶ୍ଵରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ୧୯୯୬ରେ ରତନ ଟାଟା ଟେଲିକମ୍ କମ୍ପାନୀ ଟାଟା ଟେଲିସର୍ଭିସେସର ସ୍ଥାପନା କରିଥିଲେ। ଏହାସହ କ୍ଷତିରେ ଚାଲୁଥିବା ଗ୍ରୁପର ଅନେକ କମ୍ପାନିକୁ ସେ ପୁଣି ଲାଭରେ ଚଳାଇଥିଲେ। ତାଙ୍କ ସମୟରେ ଟାଟା ଗ୍ରୁପର କାରବାର ୪୦ ଗୁଣା ବଢ଼ିଥିବାବେଳେ ଲାଭାଂଶ ୫୦ ଗୁଣା ବୃଦ୍ଧି ପାଇଥିଲା।

୧୯୯୮ ମସିହାରେ ସେ ଦେଶର ସବୁଠୁ ଛୋଟ ଗାଡ଼ି ଟାଟା ଇଣ୍ଡିକା ଲଞ୍ଚ କରିଥିଲେ। ଏହାପରେ ସେ ଭାରତର ସାଧାରଣ ଲୋକଙ୍କ ପାଇଁ କାର ବନେଇବାର ସ୍ଵପ୍ନ ଦେଖିଥିଲେ। ୨୦୦୮ ମସିହାରେ ଲକ୍ଷେ ଟଙ୍କିଆ ଟାଟା ନାନୋ କାର ଦେଶବାସୀଙ୍କୁ ଭେଟି ଦେଇଥିଲେ। ଏହାସହ ଟାଟା ମୋଟର୍ସ ବ୍ରିଟେନର ଦାମୀ କାର ବ୍ରାଣ୍ଡ ଜାଗୁଆର, ଲ୍ୟାଣ୍ଡ ରୋଭାରକୁ ଅଧିଗ୍ରହଣ କରିଥିଲା।

୩୦ ଲକ୍ଷ କୋଟି ଟଙ୍କାର ‘ଟାଟା’ ସା‌ମ୍ରାଜ୍ୟ
ଟାଟା ଗ୍ରୁପର ବ୍ୟବସାୟକୁ ୩୬୫ ବିଲିଅନ ଡଲାର ବା ପ୍ରାୟ ୩୦.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇଥିଲେ ରତନ ଟାଟା। ଆଜି ଭାରତରେ ଗ୍ରୁପ୍‌ ଅଧୀନରେ ଥିବା କମ୍ପାନିଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଲୋକ ଚାକିରି କରୁଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ଟାଟା ଷ୍ଟିଲ୍‌, ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌), ଟାଟା ମୋଟର୍ସ, ଇଣ୍ଡିଆନ ‌ହୋଟେଲ୍ସ, ଏୟାର ଇଣ୍ଡିଆ, ଜାଗୁଆର ଆଣ୍ଡ୍‌ ଲ୍ୟାଣ୍ଡ ରୋଭର, ଟାଇଟାନ, ତନିସ୍କ, ଇନଫାଇନାଇଟି ରିଟେଲ (କ୍ରୋମା), ଟ୍ରେଣ୍ଟ୍‌ (ୱେ‌ଷ୍ଟସାଇଡ୍‌, ଜୁଡିଓ ଏବଂ ଜାରା) ଆଦି ପ୍ରମୁଖ ରହିଛି।

୨୦୦୦ ମସିହାରେ ଟାଟା ଗ୍ରୁପ ବ୍ରିଟେନର ଟେଟଲି ଚା’ କମ୍ପାନିକୁ ୪୫୦ ନିୟୁତ ଡଲାରରେ କିଣିଥିଲା। ଏହାପରେ ୨୦୦୭ରେ ୟୁରୋପର ଇସ୍ପାତ କମ୍ପାନି କୋରସକୁ ୬.୨ ବିଲିଅନ ପାଉଣ୍ଡରେ ଏବଂ ୨୦୦୮ରେ ବ୍ରିଟେନର ଜାଗୁଆର ଓ ଲ୍ୟାଣ୍ଡ ରୋଭର କାର କମ୍ପାନିକୁ ୨.୩ ବିଲିଅନ ଡଲାରରେ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ୍।

ବଦାନ୍ୟ ବ୍ୟକ୍ତି ଥିଲେ ରତନ ଟାଟା
ରତନ ଟାଟାଙ୍କୁ ସାରା ବିଶ୍ଵ ଅନ୍ୟତମ ବଦାନ୍ୟ ବ୍ୟକ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ କଥାବାର୍ତ୍ତା ଯେମିତି ସରଳ ଥିଲା ସମାଜ ପ୍ରତି କର୍ତ୍ତ୍ୟବ୍ୟ ଲାଗି ସେ ବେଶ୍ ଦାୟିତ୍ଵବାନ ଥିଲେ। କେବଳ ଲାଭ ପାଇବା ଆଶାରେ ସେ ବ୍ୟବସାୟ କରୁନଥିଲେ। ସମାଜକୁ ଫେରାଇବା ଉପରେ ସେ ସର୍ବଦା ଗୁରୁତ୍ଵ ଦେଉଥିଲେ। ଟାଟା ଗ୍ରୁପର ଲାଭାଂଶର ୬୫ ପ୍ରତିଶତ ଅର୍ଥ ସେ ସମାଜ ମଙ୍ଗଳ କାମ ପାଇଁ ଦାନ କରୁଥିଲେ।

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ରଟନ ଟାଟା ପଦକ୍ଷେପ ନେଇଥିଲେ। ଟାଟା ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଲାଗି ଜେ ଏନ୍ ଟାଟା ଏଣ୍ଡାଓମେଣ୍ଟ, ସାର ରତନ ଟାଟା ସ୍କଲାରସିପ୍ ଓ ଟାଟା ସ୍କଲାରସିପ୍‌ ଆଦି ପ୍ରଦାନ କରାଯାଇଛି। ସେହିପରି ଗ୍ରୁପ୍ ସହଯୋଗରେ ଭାରତରେ ଶିକ୍ଷା, ସ୍ଵାସ୍ଥ୍ୟ ସେବା, ସାମାଜିକ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଅନେକ କାମ କରାଯାଉଛି।

ରତନ ଟାଟା ନିଜ ବାସଭବନ ପାଖରେ କୁକୁର ତଥା ଅନ୍ୟ ପଶୁମାନଙ୍କୁ ଖାଦ୍ୟ ଖୁଆଉଥିବାର ମଧ୍ୟ ଦେଖିବାକୁ ମିଳେ। ମୁମ୍ବାଇରେ ଥିବା ତାଜ ମହଲ୍‌ ପ୍ୟାଲେସ୍‌ ହୋଟେଲର ଦ୍ଵାର କୁକୁରଙ୍କ ଲାଗି ଖୋଲା ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବର୍ଷା ଓ ଖରାପ ପାଣିପାଗ ପରିସ୍ଥିତିରେ ସେମାନଙ୍କୁ ଆଶ୍ରୟ ଦେବାକୁ ସେ କହୁଥିଲେ।  

ଅବିବାହିତ ଥିଲେ ରତନ

ଏତେ ବଡ଼ ବ୍ୟବସାୟିକ ସାମ୍ରାଜ୍ୟର ମୁଖିଆ ହୋଇଥିଲେ ମଧ୍ୟ ରତନ ଟାଟା ଆଜୀବନ ଅବିବାହିତ ରହିଥିଲେ। ସେ ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ମଧ୍ୟ ତାଙ୍କୁ ଏଥିରେ ସଳଫତା ମିଳିପାରି ନଥିଲା। ପ୍ରେମରେ ବିଫଳ ହୋଇଥିବା ସେ ନିଜେ ସ୍ଵୀକାର କରିଥିଲେ।

ଆମେରିକାରେ ଥିବା ବେଳେ ରତନ ଟାଟା ପ୍ରେମରେ ପଡ଼ିଥିଲେ। ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗି ଯାଇଥିଲା। ପରେ ଜେଜେମା ନଭଜବାଇ ଟାଟା ଏକାଧିକ ବାର ତାଙ୍କର ବିବାହ ଯୋଜନା ହୋଇଥିଲେ ମଧ୍ୟ ସେ ବିବାହ କରି ନଥିଲେ।

ଓଡ଼ିଶା ସହ ରତନ ଟାଟାଙ୍କ ସମ୍ପର୍କ

ଓଡିଶା ସହିତ ରତନ ଟାଟାଙ୍କ ସମ୍ପର୍କ ବହୁତ ପୁରୁଣା। ସେ ୧୯୯୫ ମସହାରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ। ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାସହ କଳିଙ୍ଗ ନଗରରେ ଟାଟା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା।

୨୦୧୮ ମସିହାରେ ଓଡ଼ିଶାର ଲୋକଙ୍କୁ ଘର ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ଟ୍ରଷ୍ଟ ବୁଝାମଣା ସ୍ଵାକ୍ଷର କରିଥିଲା। ଏହି ଅବସରରେ ସେ ଓଡ଼ିଶା ଆସିଥିଲେ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହିତ ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡ଼ା ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଟାଟା ଗ୍ରୁପ୍ ଅନେକ ସହାୟତା କରିଛି।  

ଶିଳ୍ପ ତଥା ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହାସହ ଦେଶ ବିଦେଶର ଅନେକ ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇଛନ୍ତି। ରତନ ଟାଟାଙ୍କ ଭଳି ମହାନ ଶିଳ୍ପପତିଙ୍କୁ ଏ ଯାଏଁ ଭାରତରତ୍ନ ଉପାଧି ମିଳିନି ସତ, ହେଲେ ସେ ଥିଲେ ଭାରତର ଅସଲ ରତ୍ନ।  

Tags: #RatanTata #TATAGroup #Industrialist #India

LEAVE A REPLY

Please enter your comment!
Please enter your name here