ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟାଗ୍ରୁପ୍‍ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ – ୨୦୨୧ ପ୍ରଦାନ କରାଯାଇଛି। ସୋମବାର ରତନ ଟାଟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ୍‍ ନେତୃତ୍ୱ କ୍ଷେତ୍ରରେ ସୃଷ୍ଟି କରିଥିବା ଉଦାହରଣ ପାଇଁ ରତନ ଟାଟାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିବାପରେ ରତନ ଟାଟା ଖୁସି ବ୍ୟକ୍ତ କରିଥିଲେ। ଏହା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ସେ କହିଥିଲେ।

“ରତନ ଟାଟା ଭାରତର ଏକ ଜଣାଶୁଣା ନାଁ ଏବଂ ସେ ଜଣେ ଅତି ଭଲ ବ୍ୟକ୍ତି। ତାଙ୍କ ସମାଜସେବା ଓ ନେତୃତ୍ୱ ମୋତେ ପିଲାଦିନୁ ପ୍ରଭାବିତ କରିଛି। ତାଙ୍କୁ ଆଜି ଏହି ସମ୍ମାନ ପ୍ରଦାନ କରି ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି”, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

୨୦୨୧ରେ ରତନ ଟାଟାଙ୍କୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ଅନୁରୋଧ କରିଥିଲେ। ସେ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ରତନ ଟାଟା ବାହାରକୁ ଯାଉ ନ ଥିବାରୁ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ଗ୍ରାମି ପୁରସ୍କାର ବିଜେତା କଣ୍ଠଶିଳ୍ପୀ ରିକି କେଜ୍‍ ଯୋଗ ଦେଇଥିଲେ।

Tags: #RatanTata #KISSHumanitarianAwards #DrAchyutaSamanta #Philanthropy

Comment