ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ ଦେଶରେ ଏବେ ଅନେକ ଲୋକ ନୂଆ ନୂଆ ଷ୍ଟାର୍ଟଅପ କରି ହାସଲ କରୁଛନ୍ତି ଅନେକ ସଫଳତା। ସେମାନେ ନିଜର ଜ୍ଞାନକୁ ବ୍ୟବସାୟିକ ରୂପ ଦେଇ ହେଉଛନ୍ତି ସଫଳ। ନିଜର ଉଦ୍ୟୋଗ ବଳରେ ଅର୍ଜନ କରୁଛନ୍ତି ଅନେକ ଟଙ୍କା। ଏହି ଭଳି ଦୁଇଜଣ ଉଦ୍ୟୋଗୀ ହେଉଛନ୍ତି ଆଦିତି ଭୋସଲେ ୱାଲୁଞ୍ଜ ଓ ଚେତନ ୱାଲୁଞ୍ଜ। ସେମାନେ ନିଜର ଷ୍ଟାର୍ଟଅପ ‘ରିପୋସ୍ ଏନର୍ଜି’ ନାମରେ ଗଢ଼ି ପାରିଛନ୍ତି ୧୮୦ କୋଟି ଟଙ୍କାର କମ୍ପାନି। ଆରମ୍ଭରେ ଏହି ଷ୍ଟାର୍ଟଅପକୁ ଭାରତର ସଫଳ ଉଦ୍ୟୋଗୀ ରତନ ଟାଟାଙ୍କ ଟାଟା ଗ୍ରୁପ୍ ତରଫରୁ ମିଳିଥିଲା ପ୍ରୋତ୍ସାହନ।
ଆଦିତି ଓ ଚେତନ ୨୦୧୭ରେ ‘ରିପୋସ୍ ଏନର୍ଜି’ ନାମରେ ଷ୍ଟ୍ରାର୍ଟଅପ ଆରମ୍ଭ କରିଥିଲେ। ନିଜ ଷ୍ଟାର୍ଟଅପରେ ପୁଞ୍ଜିନିବେଶ କରିବା ପାଇଁ ରତନ ଟାଟାଙ୍କୁ ଚିଠି ଲେଖିଥିଲେ। ନିଜ କମ୍ପାନିର କାର୍ଯ୍ୟପ୍ରଣାଳୀ ଓ ବ୍ୟବସାୟ ସମ୍ବନ୍ଧରେ ସେମାନେ ଚିଠିରେ ଜଣାଇଥିଲେ। ସେମାନଙ୍କର ପରିଶ୍ରମ ଓ ବ୍ୟବସାୟିକ ଜ୍ଞାନ ରତନ ଟାଟାଙ୍କୁ ଆକୃଷ୍ଟ କରିଥିଲା। ୨୦୨୨ ମସିହାରେ ଟାଟା ଗ୍ରୁପ୍ ଏହି ଷ୍ଟାର୍ଟଅପରେ ୫୬ କୋଟି ଟଙ୍କା ନିବେଶ କରିଥିଲା।
“୨୦୧୭ ମସିହାରେ ଷ୍ଟାର୍ଟଅପ ଆରମ୍ଭ କରିବା ସମୟରେ ଆମ ପାଖରେ ବିଶେଷ ସମ୍ବଳ ନଥିଲା। କମ୍ପାନି ଆରମ୍ଭ କରିବା ପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଆମେ ଷ୍ଟାର୍ଟଅପ ବାବଦରେ ଏକ ୩-ଡି ପ୍ରେଜେଣ୍ଟେସନ କରି ରତନ ଟାଟାଙ୍କ ପାଖକୁ ପଠାଇଥିଲୁ। ସେ ଆମ ଷ୍ଟାର୍ଟଅପର କାର୍ଯ୍ୟପ୍ରଣାଳୀ ଦେଖି ବହୁତ ଖୁସି ହୋଇଥିଲେ ଏବଂ ଆମକୁ ଦେଖା କରିବା ପାଇଁ ମଧ୍ୟ ଡକାଇଥିଲେ”, କହିଛନ୍ତି ଆଦିତି ଭୋସଲେ ୱାଲୁଞ୍ଜ।
‘ରିପୋସ୍ ଏନର୍ଜି’ ହେଉଛି ଏକ ଅନଲାଇନ ତେଲ ବିତରଣ କମ୍ପାନି। ଏହି ଷ୍ଟାର୍ଟଅପ ନିଜର ଜ୍ଞାନକୌଶଳ ଓ ନୂତନ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ପେଟ୍ରୋଲିୟମ ଦ୍ରବ୍ୟକୁ ଲୋକମାନଙ୍କ ନିକଟରେ ଉପଲବ୍ଧ କରାଉଛି। ଏଥିଲାଗି କମ୍ପାନି ଅନଲାଇନରେ ଅର୍ଡର ଗ୍ରହଣ କରିଥାଏ। ‘ରିପୋସ୍ ଏନର୍ଜି’ ଏବେ ଭାରତର ୧୮୮ଟି ସହରରେ ସେବା ଯୋଗାଉଛି। ଏଥିଲାଗି କମ୍ପାନି ପକ୍ଷରୁ ୨୦୦୦ଟି ତେଲ ବିତରଣ ବାହନ କାର୍ଯ୍ୟ କରୁଛି।
ଟାଟା ଗ୍ରୁପ୍ ସହାୟତାରେ ‘ରିପୋସ୍ ଏନର୍ଜି’ ଏବେ ଏକ ବଡ଼ କମ୍ପାନି ପାଲଟିଛି। ୨୦୨୧- ୨୨ ଆର୍ଥିକବର୍ଷରେ ଏହା ୬୫ କୋଟିର ବ୍ୟବସାୟ କରିଥିଲା। ଏବେ କମ୍ପାନି ବଡ଼ ଇଲେକଟ୍ରିକ ଯାନ କ୍ଷେତ୍ରରେ କାମ କରିବା ଆରମ୍ଭ କରିଛି। ଆଗକୁ କମ୍ପାନି ନିଜର ବ୍ୟବସାୟକୁ ୩୦୦ କୋଟିରୁ ଅଧିକ କରିବା ପାଇଁ ଲକ୍ଷ୍ୟ ରଖିଛି।
Tags: #ReposEnergy #OnlineOilDistributionStartup #TataGroup #RatanTata #Investment #Mumbai