ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା। ହେଲେ ତାଙ୍କୁ ପ୍ରେମରେ ସଳଫତା ମିଳିପାରି ନଥିଲା। ଏକ ସାକ୍ଷାତକାର ବେଳେ ନିଜେ ଏହା କହିଥିଲେ ରତନ ଟାଟା।
ରତନ ଟାଟା ବ୍ୟବସାୟରେ ଆକାଶ ଛୁଆଁ ସଫଳତା ପାଇଛନ୍ତି ସତ, ହେଲେ ପ୍ରେମରେ ବିଫଳ ହୋଇଥିବା ସେ ସ୍ଵୀକାର କରିଛନ୍ତି। ଯେଉଁ ୪ ଜଣ ଝିଅଙ୍କୁ ରତନ ଟାଟା ପ୍ରେମ କରୁଥିଲେ, ସେମାନଙ୍କ ମଧ୍ୟରୁ କେହିବି ତାଙ୍କ ଜୀବନ ସାଥୀ ହୋଇପାରି ନଥିଲେ। ସାରା ଜୀବନ ସେ ଅବିବାହିତ ରହିଥିଲେ।
ଆମେରିକାରେ ଥିବା ବେଳେ ରତନ ଟାଟା ପ୍ରେମରେ ପଡ଼ିଥିଲେ। ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗି ଯାଇଥିଲା। ଥରେ ନୁହେଁ, ଚାରି ଚାରି ଥର ତାଙ୍କ ଜୀବନରେ ଏମିତି ହିଁ ଘଟିଥିଲା।
୧୯୩୭ ଡିସେମ୍ବର ୨୮ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରୁ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ।
୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୦ ମସିହାରେ ତାଙ୍କୁ ଟାଟା ଗ୍ରୁପର ପରିଚାଳନା ଦାୟିତ୍ଵ ମିଳିଥିଲା। ଏହା ପରେ ୧୯୯୧ରେ ସେ ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ଶୀର୍ଷ ପାହାଚ ଅତିକ୍ରମ କରିଥିବା କୁହାଯାଉଛି।
ଟାଟା ଗ୍ରୁପ୍ ଅଧୀନରେ ୧୦୦ରୁ ଅଧିକ କମ୍ପାନି ରହିଛି। ଚା’ଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲ, ଷ୍ଟିଲ କମ୍ପାନି, ଲକ୍ଷେ ଟଙ୍କିଆ ନାନୋ କାର୍ ଏବଂ ଉଡ଼ା ଜାହାଜ ପର୍ଯ୍ୟନ୍ତ ସବୁକିଛି ଟାଟା କମ୍ପାନି ପ୍ରସ୍ତୁତ କରୁଛି।
ରତନ ଟାଟା ବହି ପଢ଼ିବାକୁ ପସନ୍ଦ କରୁଥିଲେ। ସେ ବିଭିନ୍ନ ଲୋକଙ୍କ ସଫଳତା କାହାଣୀ ପଢ଼ିବାକୁ ଅଧିକ ପସନ୍ଦ କରିଥିଲେ। ଅଧିକ କଥା ହେବାକୁ ପସନ୍ଦ କରୁନଥିଲେ ରତନ ଟାଟା। ତେଣୁ ବିଭିନ୍ନ ସାକ୍ଷାତକାର ସମୟରେ ସେ ନିଜ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା କରିବାକୁ ଚାହୁଁନଥିଲେ।
Tags: #RatanTata #Industrialist #TATAGroup #India #Relationship


















