ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସବୁଠାରୁ ପୁରୁଣା ଏୟାରଲାଇନ୍ସ ଏୟାର ଇଣ୍ଡିଆ ୪୭୦ଟି ବିମାନ କିଣିବାକୁ ଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଆମେରିକାର ବୋଇଂ ଓ ୟୁରୋପୀୟ ବିମାନ ନିର୍ମାତା ଏୟାରବସ କମ୍ପାନି ସହ ଚୁକ୍ତି ସ୍ଵାକ୍ଷର ହୋଇଛି। ଏୟାର ଇଣ୍ଡିଆ ଏୟାରବସ ଠାରୁ ୨୫୦ଟି  ଓ ବୋଇଂ କମ୍ପାନିରୁ ୨୨୦ଟି ବିମାନ କିଣିବ। ଏଥିଲାଗି ଏୟାରଲାଇନ୍ସ ୧୦୦ ବିଲିୟନ ଡଲାର ଖର୍ଚ୍ଚ କରିବ। ଏହା ବିଶ୍ଵର ଅନ୍ୟତମ ବୃହତ ବିମାନ ଚୁକ୍ତି ସାଜିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଏୟାର ଇଣ୍ଡିଆ କିଣିବାକୁ ଯାଉଥିବା ୪୭୦ଟି ବିମାନ ମଧ୍ୟରୁ ୪୦୦ଟି ଏୟାରବସ ଏ-୩୨୦ ଓ ବୋଇଂ ୭୩୭ ଶ୍ରେଣୀର କ୍ଷୁଦ୍ର ବିମାନ ରହିଛି। ଏହି ବିମାନଗୁଡ଼ିକରେ ଇଂଲଣ୍ଡର ରୋଲ୍ସ ରଏସ ଓ ଆମେରିକାର ଜେନେରାଲ ଇଲେକଟ୍ରିକ୍ କମ୍ପାନିର ଇଞ୍ଜିନ ବ୍ୟବହାର କରାଯିବ।

ଏୟାରଲାଇନ୍ସ ଦୁଇ ବିମାନକମ୍ପାନିଠୁ ୭୦ଟି ଅଧିକ ଯାତ୍ରୀ କ୍ଷମତା ବିଶିଷ୍ଟ ବିମାନ କିଣିବ। ୨୦୨୩ ମସିହା ଶେଷ ଭାଗରେ ଏୟାର ଇଣ୍ଡିଆକୁ ବିମାନ ମିଳିବ ଆରମ୍ଭ ହେବ।

ଏୟାର ଇଣ୍ଡିଆ ଓ ଏୟାରବସ ମଧ୍ୟରେ ଚୁକ୍ତି ସ୍ଵାକ୍ଷର କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ। ଏହାଛଡା ବୋଇଂ କମ୍ପାନି ସହ ଚୁକ୍ତି ସ୍ଵାକ୍ଷର ହେବାପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟେଲିଫୋନରେ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଚୁକ୍ତି ସ୍ଵାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଟାଟା ଗ୍ରୁପ୍ ମାଲିକ ରତନ ଟାଟା, ଟାଟା ଗ୍ରୁପ୍ ସଭାପତି ଏନ୍ ଚନ୍ଦ୍ରଶେଖରନ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡା ଏୟାରବସ ଓ ବୋଇଂ କମ୍ପାନିର ଅନେକ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏୟାର ଇଣ୍ଡିଆ କମ୍ପାନିକୁ ଜେ ଆର ଡି ଟାଟା ୧୯୩୫ ମସିହାରେ ଆରମ୍ଭ କରିଥିଲେ। ପ୍ରଥମେ ଏହାର ନାମ ଟାଟା ଏୟାରଲାଇନ୍ସ ଥିଲା ପରେ କେନ୍ଦ୍ର ସରକାର ଏହାର ରାଷ୍ଟ୍ରୀୟକରଣ କରି ଏହାର ନାମ ଏୟାର ଇଣ୍ଡିଆ ରଖିଥିଲେ। ୨୦୨୨ ମସିହା ଜାନୁଆରି ମାସରେ ଟାଟା ଗ୍ରୁପ୍ ପୁଣିଥରେ ଏହି ଏୟାରଲାଇନ୍ସକୁ ନିଜ ଅଧୀନକୁ ନେଇଛି।

Tags: #AirIndia #AircraftDeal #Boeing #AirBus #France #USA #TATAGroup #India

Comment