ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵକପରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହାପରେ ଖେଳାଯାଇଥିବା ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକବିଲାଟି ୩-୩ ଗୋଲରେ ଡ୍ର ରହିଛି। ରୋମଞ୍ଚକଭରା ଉଭୟ ମ୍ୟାଚକୁ ଭୁବନେଶ୍ୱର ଦର୍ଶକ ଆନନ୍ଦରେ ଉପଭୋଗ କରିଛନ୍ତି।

ସୋମବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ସରିବା ପରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ବେଳେ ଗ୍ରୁପ୍ ‘ଏ’ରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ। ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ଫ୍ରାନ୍ସ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲା। ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାରଲେଟ୍ ପେନାଲ୍ଟି କର୍ଣ୍ଣରରୁ ଏହି ଗୋଲ ଦେଇଥିଲେ। ଦକ୍ଷିଣ ଆଫ୍ରିକା ଦଳ କିଛି ସମୟ ମଧ୍ୟରେ ଏହି ଗୋଲକୁ ବରାବର କରି ଦେଇଥିଲା।

ଶେଷ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମ୍ୟାଚ ଶେଷ ହେବାକୁ ଆଉ ୪ ମିନିଟ ଥିବା ବେଳେ ଭିକ୍ଟର ଚାରଲେଟ୍ ଆଉ ଏକ ଗୋଲ ଦେଇ ଫ୍ରାନ୍ସକୁ ବିଜୟୀ କରାଇଥିଲେ। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ସେ ‘ମ୍ୟାନ ଅଫ ଦି ମ୍ୟାଚ’ ହୋଇଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚପରେ ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଗ୍ରୁପ୍ ମ୍ୟାଚ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଆରମ୍ଭରୁ ଉଭୟ ଦଳ ବହୁତ ସୁନ୍ଦର ପ୍ରଦର୍ଶନ କରିଥିଲେ। ପ୍ରଥମେ ଅଷ୍ଟ୍ରେଲିଆ ଗୋଲ ଦେଇ ଖାତା ଖୋଲିବା ବେଳେ ଆର୍ଜେଣ୍ଟିନା ଏହାକୁ ସୁଝି ଦେଇଥିଲା।

ମ୍ୟାଚର ୫୬ ମିନିଟ ବେଳେ ଆର୍ଜେଣ୍ଟିନା ୩-୨ ଗୋଲରେ ଆଗୁଆ ଥିଲା। ଏହାର ପରବର୍ତ୍ତୀ ମିନିଟରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ଡ୍ର କରାଇଥିଲେ। ତାଙ୍କର ଏହି ଗୋଲ ଅଷ୍ଟ୍ରେଲିଆକୁ ପରାଜୟରୁ ରକ୍ଷା କରିଥିଲା। ଏହି ମ୍ୟାଚରେ ଆର୍ଜେଣ୍ଟିନାମାର୍ଟିନ ଫେରିରୋ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଛନ୍ତି।

Tags: #HockeyMen’sWorldCup #Groupstage #France #SouthAfrica #Win #Australia #Argentina #draw #Hockey #India #Odisha

LEAVE A REPLY

Please enter your comment!
Please enter your name here