ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣିଥରେ ଫେରିବ ଅନ୍ତର୍ଜାତୀୟ ହକି। ମାର୍ଚ୍ଚ ୧୦ ତାରିଖରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ପ୍ରୋ-ଲିଗ। ଏଥିଲାଗି ସୋମବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ରବିବାର ହକି ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା।

ରାଉରକେଲାରେ ହେବାକୁ ଥିବା ହକି ପ୍ରୋ-ଲିଗରେ ୬ ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚଗୁଡ଼ିକରେ ଭାରତ, ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପର ମଧ୍ୟରେ ମୁକାବିଲା କରିବେ। ଲିଗରେ ପ୍ରତ୍ୟେକ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ।

ବିଶ୍ଵକପ ମ୍ୟାଚ ଭଳି ରାଉରକେଲାରେ ହେବାକୁ ଥିବା ପ୍ରୋ-ଲିଗ୍‌ରେ ମଧ୍ୟ ଭାରତ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭାରତର ମ୍ୟାଚରେ ବିର୍ସାମୁଣ୍ଡା ଷ୍ଟାଡିୟମର ୱେଷ୍ଟ ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରହିଛି।  ସେହିପରି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ନର୍ଥ‌ ଓ ସାଉଥ୍ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ-ଜର୍ମାନି ମଧ୍ୟରେ ମ୍ୟାଚ ପାଇଁ ୱେଷ୍ଟ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରହିଛି। ଏହାଛଡ଼ା ଇଷ୍ଟ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୨୦୦ ଟଙ୍କା  ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ରଖାଯାଇଛି। ଲୋକମାନେ ବୁକିଂ ୱେବସାଇଟ୍ ଟିକେଟଜିନି.କମ ମାଧ୍ୟମରେ ଟିକେଟ୍ କିଣି ପାରିବେ।

“ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ୨୦୨୩ର ସଫଳ ଆୟୋଜନ ପରେ, ଏବେ ଏଫଆଇଏଚ ପ୍ରୋ-ଲିଗ ସହ ରାଜ୍ୟକୁ ପୁଣିଥରେ ଅନ୍ତର୍ଜାତୀୟ ହକି ଫେରିଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସହିତ, ଆମେ ଭାରତ ତଥା ଅନ୍ତର୍ଜାତୀୟ ସ୍ତରରେ ହକିର ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛୁ। ଏହି ଲିଗକୁ ପ୍ରଶଂସକମାନେ ଅନେକ ଉପଭୋଗ କରିବେ ଏବଂ ଦଳମାନେ ପୁଣି ରାଉରକେଲାରେ ଖେଳିବାକୁ ଆସି ଖୁସି ହେବେ”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ହକି ପ୍ରୋ ଲିଗର ୨୦୨୨-୨୩ ସଂସ୍କରଣର ପଏଣ୍ଟ ଟେବଲରେ ଭାରତ ବର୍ତ୍ତମାନ ଇଂଲଣ୍ଡ ପଛକୁ ଦ୍ଵିତୀୟ ସ୍ଥାନରେ ଅଛି। ଭାରତ ପ୍ରୋ ଲିଗରେ ଟେବଲ ଟପ କଲେ ଚମ୍ପିୟାନ ହେବ। ପ୍ରୋ-ଲିଗର ପୂର୍ବ ସଂସ୍କରଣରେ ଭାରତ ତୃତୀୟ ସ୍ଥାନରେ ରହିଥିଲା।

୨୦୨୨ ନଭେମ୍ବର ମାସରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ପ୍ରୋ-ଲିଗ ମ୍ୟାଚ ଖେଳଯାଇଥିଲା। ଏଥିରେ ଭାରତୀୟ ଦଳ ସ୍ପେନ ଓ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିଥିଲା।

Tags: #FIHProLeague #Hockey #India #Australia #Germany #BirsamundaStadium #Rourkela #Odisha

Comment