ଓଡ଼ିଶାଲାଇଭ୍ ବ୍ୟୁରୋ

- ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର
- ଦଳର ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା
- ଓଡ଼ିଶାର ଅମିତ ରୋହିଦାସଙ୍କ ପାଇଁ ୪ କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର
ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ସ୍ପେନ ବିପକ୍ଷରେ ଦମଦାର ବିଜୟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏହି ଦଳରେ ଥିବା ଏକମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ୪ କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିବେ ଓଡ଼ିଶା ସରକାର। ସେହିପରି ଦଳର ସବୁ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

“ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ବିଜୟ କୋଟି କୋଟି ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଚଳିତ ଅଲିମ୍ପିକ୍ସର ଉଭୟ ଭାରତ ଓ ସ୍ପେନ ହକି ସେମିଫାଇନାଲରେ ପରାଜିତ ହୋଇଥିଲେ। ଏହାପରେ ଗୁରୁବାର ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା।
Tags: #ParisOlympics #Hockey #IndiavsSpain #BronzeMedal #CashPrize #Odisha #HockeyIndia #Sports


















