ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ହେବାକୁଥିବା ଏଫଆଇଏଚ୍ ପ୍ରୋ-ଲିଗ ହକି ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ। ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରିତ ସିଂହଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଏହି ଦଳରେ ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ଡିଫେଣ୍ଡର ନିଲମ ସଂଜୀପ ଖେସ ସାମିଲ ହୋଇଛନ୍ତି।

ପ୍ରୋ-ଲିଗ ପାଇଁ ଅନ୍ୟତମ ଦକ୍ଷ ଖେଳାଳି ହାର୍ଦିକ ସିଂହଙ୍କୁ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ହକି ବିଶ୍ଵକପରେ ଭାରତୀୟ ଦଳର ଉପଅଧିନାୟକ ଥିବା ଅମିତ ରୋହିଦାସ ଏଥର ଦଳରୁ ବାଦ ପଡ଼ିଛନ୍ତି। ଏହି ୨୦ ଜଣିଆ ଦଳରେ ହାର୍ଦିକ ସିଂହଙ୍କ ସହ ବିବେକ ସାଗର ପ୍ରସାଦ, ଦିଲପ୍ରିତ ସିଂହ, ରାଜ କୁମାର ପାଲଙ୍କ ଭଳି ଖେଳାଳି ମିଡଫିଲ୍ଡର ରହିଛନ୍ତି।

ଅନ୍ୟପଟେ ଦଳରେ ସୁଖଜିତ ସିଂହ, ଅଭିଷେକ ଓ ଏସ କର୍ଥୀଙ୍କ ଭଳି ଫରୱାର୍ଡ ଖେଳାଳି ସାମିଲ ହୋଇଛନ୍ତି। ସେହିପରି ହରମନପ୍ରିତ ସିଂହଙ୍କ ସହ ଯୁଗରାଜ ସିଂହ, ନିଲମ ସଂଜୀପ ଖେସ, ମନପ୍ରୀତ ସିଂହ, ମନଜିତ ସିଂହଙ୍କ ଭଳି ଖେଳାଳି ଦଳର ଡିଫେନ୍ସକୁ ସମ୍ଭାଳିବେ।

ପ୍ରୋ- ଲିଗରେ ଭାରତୀୟ ଦଳ ପାଇଁ ଡେଭିଡ ଜନ, ଶିବେନ୍ଦ୍ର ସିଂହ ଓ ବି ଜେ କାରିଆପ୍ପାଙ୍କୁ ଅନ୍ତରୀଣ କୋଚ ଭାବେ ନିଯୁକ୍ତ କରାଯାଇଛି। ଦଳର ମୁଖ୍ୟ କୋଚ ନିଯୁକ୍ତ ନହେଲା ଯାଏଁ ଏମାନେ ପ୍ରଶିକ୍ଷକ ଦାୟିତ୍ଵରେ ରହିବେ।

“ପ୍ରୋ-ଲିଗ ପାଇଁ ଜାତୀୟ ଚୟନକର୍ତ୍ତାମାନେ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଏକ ଯୁବ ଦଳର ଚୟନ କରିଛନ୍ତି। ସେମାନଙ୍କ ମାର୍ଗଦର୍ଶନ କରିବା ପାଇଁ ଦଳରେ ଅନୁଭବୀ ଖେଳାଳି ମଧ୍ୟ ରହିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏବେ ଦଳ ପାଇଁ ମୁଖ୍ୟ କୋଚ ନିଯୁକ୍ତ କରାଯାଇନଥିବାରୁ ଲିଗରେ ଖେଳାଳିମାନେ ଅନ୍ତରୀଣ କୋଚମାନଙ୍କଠାରୁ ପ୍ରଶିକ୍ଷଣ ନେବେ। ଦଳ ଲିଗରେ ଭଲ କରିବ ବୋଲି ମୋର ଆଶା ଅଛି”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ମାର୍ଚ୍ଚ ୧୦ ତାରିଖରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ପ୍ରୋ-ଲିଗ ୨୦୨୨-୨୩ ସଂସ୍କରଣର ମ୍ୟାଚ। ଏଠାରେ ହେବକୁ ଥିବା ୬ଟି ମ୍ୟାଚରେ ଭାରତ, ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପର ମଧ୍ୟରେ ମୁକାବିଲା କରିବେ। ମାର୍ଚ୍ଚ ୧୫ ତାରିଖରେ ରାଉରକେଲାରେ ଏହି ଲିଗ ଶେଷ ହେବ।

Tags: #FIHProLeague #Hockey #IndianTeam #Australia #Germany #BirsaMundaStadium #Rourkela #Odisha

Comment