ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ହକି ବିଶ୍ଵକପ ସେମି ଫାଇନାଲ ମୁକବିଲା। ଶୁକ୍ରବାର ରୋମାଞ୍ଚ ଭରା ପ୍ରଥମ ସେମି ଫାଇନାଲ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଜର୍ମାନୀ ପ୍ରଥମ ଦଳ ଭାବେ ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଜର୍ମାନୀର ନିକଲାସ୍ ୱେଲେନ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଛନ୍ତି। ଏଥିସହ ବିଶ୍ଵକପ ଇତିହାସରେ ପଞ୍ଚମ ଥର ଲାଗି ଫାଇନାଲ ଖେଳିବ ମ୍ୟାଟ୍ସ ଗ୍ରାମବୁସଙ୍କ ଦଳ ଜର୍ମାନୀ।

ସୋମବାର ଅପରାହ୍ଣ ୪ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ଅଷ୍ଟ୍ରେଲିଆ-ଜର୍ମାନୀ ମ୍ୟାଚ। ବିଶ୍ଵକପ ଫାଇନାଲ ଯିବା ଲକ୍ଷ୍ୟରେ ଦୁଇ ଦଳ ଓହ୍ଲାଇଥିଲେ ମଇଦାନକୁ। ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଉଭୟ ଦଳର ଖେଳାଳମାନେ ପଡ଼ିଆରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ମ୍ୟାଚର ପ୍ରଥମ ଭାଗରେ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ଦେଖାଇ ଦୁଇଟି ଗୋଲ ଦେଇ ମ୍ୟାଚରେ ଅଗ୍ରଣୀ ହୋଇଥିଲା। ଦଳ ପାଇଁ ଜେରେମି ହେୱାର୍ଡ ୧୧ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ।

ମ୍ୟାଚର ଦ୍ଵିତୀୟ ଭାଗରେ ଜର୍ମାନୀ ଭଲ ପ୍ରଦର୍ଶନ କରିଥିଲା। ମ୍ୟାଚରେ ଦଳର ତରକା ଷ୍ଟ୍ରାଇକର ଗୋଞ୍ଜାଲୋ ପିଲାଟ୍ ଲଗାତର ୩ଟି ଗୋଲ ଦେଇଥିଲେ। ସେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରରୁ ହାଟ୍ରିକ ଗୋଲ ଦେଇଥିଲେ। ତାଙ୍କାର ଶେଷ ଗୋଲ ଜରିଆରେ ଜର୍ମାନୀ ଦଳ ମ୍ୟାଚକୁ ୩-୩ ଗୋଲରେ ବରାବର କରିଥିଲା।

ମ୍ୟାଚର ଶେଷ ମୂହୁର୍ତ୍ତରେ ଯେତେବେଳେ ଉଭୟ ଦଳକୁ ଜିତିବା ପାଇଁ ଆଉ ଗୋଟିଏ ଗୋଲର ଆବଶ୍ୟକତା ଥିଲା, ସେହି ସମୟରେ ଚମକିଥିଲେ ଜର୍ମାନୀର ନିକଲାସ୍ ୱେଲେନ। ସେ ମ୍ୟାଚ ଶେଷ ହେବାକୁ ଆଉ ୫ ସେକେଣ୍ଡ ଥିବା ବେଳେ ବିଜୟୀ ଗୋଲ ଦେଇଥିଲେ।

ବିଶ୍ଵକପ ଇତିହାସରେ ଜର୍ମାନୀ ଅନ୍ୟତମ ସଫଳ ଦଳ। ପୂର୍ବରୁ ଦଳ ୪ ଥର ବିଶ୍ଵକପର ଫାଇନାଲ ଖେଳି, ୨ ଥର ବିଶ୍ୱବିଜୟୀ ହୋଇଛି। ଦଳ ୨୦୦୨ ଓ ୨୦୦୬ରେ ହକି ବିଶ୍ଵକପ ଜିତିସାରିଛି। ଚଳିତ ବିଶ୍ଵକପ ଫାଇନାଲରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Tags: #HockeyMen’sWorldCup #SemiFinal #Germany #Wins #Australia #KalingaStadium #Final #Hockey #India #Odisha

Comment