ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ବିଶ୍ଵର ଶ୍ରେଷ୍ଠ ୧୬ଟି ଦଳ ଏହି ବିଶ୍ଵକପରେ ଭାଗ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ଦଳ ବିଜୟ ମୁକୁଟ ପିନ୍ଧିବ। ବିଶ୍ଵକପରେ ୧୬ଟି ଦଳଙ୍କୁ ଚାରିଟି ଗ୍ରୁପ୍ ବା ପୁଲରେ ରଖାଯାଇଛି। ଏ,ବି,ସି,ଡି ଭାବେ ୪ଟି ଗ୍ରୁପ୍ ଏଥର ବିଶ୍ଵକପରେ ରହିଛି। ବିଶ୍ଵକପର ଗ୍ରୁପ୍ ପର୍ଯ୍ୟାୟରେ ଗୋଟିଏ ଦଳ ଗ୍ରୁପରେ ଥିବା ଅନ୍ୟ ୩ଟି ଦଳସହ ମ୍ୟାଚ ଖେଳିବ।

ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଆସିବା, ଦଳମାନଙ୍କୁ ଏକ ବଡ଼ ସୁବିଧା ଦେବ। ପ୍ରତି ଗ୍ରୁପରେ ଟପ୍ କରିଥିବା ଦଳ କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଗ୍ରୁପରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ ଏକ ଅତିରିକ୍ତ କ୍ରସ୍ଓଭର ମ୍ୟାଚ ଖେଳିବେ। ଏଥିରେ ବିଜୟୀ ଦଳ ପରେ କ୍ୱାର୍ଟର ଫାଇନାଲକୁ ଯିବ।

ବିଶ୍ଵକପ ୨୦୨୩ର ଗ୍ରୁପ୍ ‘ଏ’ ରେ ରହିଛନ୍ତି ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଚାଲନ୍ତୁ ଜାଣିବା ଏହି ଗ୍ରୁପରେ ଥିବା ଦଳମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ।

ଅଷ୍ଟ୍ରେଲିଆ

‘କୁକାବୁରାସ୍’ ନାମରେ ଖ୍ୟାତ ଅଷ୍ଟ୍ରେଲିଆ ହକି ଦଳ ହେଉଛି ବିଶ୍ଵ ହକିର ଏକ ଉଲ୍ଲେଖନୀୟ ଦଳ। ବିଗତ ୩୦ ବର୍ଷ ଧରି ବିଶ୍ୱ ହକି ମାନ୍ୟତାର ଶ୍ରେଷ୍ଠ ଚାରିଟି ଦଳ ମଧ୍ୟରେ ରହିଆସିଛି ଅଷ୍ଟ୍ରେଲିଆ। ଅଲିମ୍ପିକ୍ ହେଉ ବା ହକି ବିଶ୍ୱକପ, ହକି ପ୍ରୋ ଲିଗ୍ ଅଥବା କମନୱେଲଥ୍ ଗେମ୍ସ, ହକି ସହ ସମ୍ବନ୍ଧିତ ପ୍ରାୟ ସବୁ ଟାଇଟଲ ହାସଲ କରିଛି ଦଳ। ଅଷ୍ଟ୍ରେଲିଆ ୩ ଥର ପୁରୁଷ ହକି ବିଶ୍ଵକପ ଟାଇଟଲର ଅଧିକାରୀ ହୋଇଛି।

ଚଳିତ ବିଶ୍ଵକପରେ ଦଳ ନିଜର ଚତୁର୍ଥ ଟାଇଟଲ ଲକ୍ଷ୍ୟରେ ଲଢେଇ କରିବ। ଦଳରେ ବ୍ଲେକ୍ ଗୋଭର୍ସ, ଟମ୍ ୱିକହମ୍, ଜେରେମି ହେୱାର୍ଡସ ଏବଂ ଫ୍ଲିନ୍ ଓଗ୍ଲିଭିଙ୍କ ଭଳି ଅନୁଭବି ଖେଳାଳି ରହିଛନ୍ତି। ସେହିପରି ନାଥନ୍ ଇଫ୍ରାମ୍ସ ଏବଂ ଜ୍ୟାକବ ଆଣ୍ଡରସନ ବିଶ୍ଵକପ ମଝିରେ ଦଳରେ ଯୋଗ ଦେବେ। ୨୦୨୩ ବିଶ୍ଵକପରେ ଦଳ ଏଡି ଓକେଣ୍ଡେନଙ୍କ ନେତୃତ୍ଵରେ ଖେଳିବ। କୋଲିନ ବ୍ୟାଚ ଦଳର ମୁଖ୍ୟ କୋଚ୍ ଅଛନ୍ତି।

 ଆର୍ଜେଣ୍ଟିନା

ରିଓ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଲାଭ କରିଥିବା ଆର୍ଜେଣ୍ଟିନା, ସମଗ୍ର ଆମେରିକୀୟ ମହଦ୍ଵୀପରେ ହକିର ଏକ ମହାଶକ୍ତି। ଆର୍ଜେଣ୍ଟିନା ୧୪ ଥର ପ୍ୟାନ ଆମେରିକାନ ଗେମ୍ସ ଜିତିଛି। ‘ଲସ୍ ଲିଓନ୍ସ’ ପରିଚିତ ଏହି ଦକ୍ଷିଣ ଆମେରିକୀୟ ଦଳ ନିଜର ଖେଳ ଶୈଳୀ ଏବଂ ଅବିଶ୍ୱସନୀୟ ଦକ୍ଷତା ବଳରେ ପୃଥିବୀର ଯେକୌଣସି ଦଳକୁ ଅସୁବିଧାରେ ପକାଇ ଦିଏ।

ଚଳିତ ବିଶ୍ଵକପରେ ଦଳ ଅଧିନାୟକ ମ୍ୟାଟିଆସ୍ ରେ ଙ୍କ ନେତୃତ୍ଵରେ ଖେଳିବାକୁ ଯାଉଛି। ଆର୍ଜେଣ୍ଟିନାର ପୂର୍ବତନ ଗୋଲକିପର ମାରିଆନୋ ରୋନକୋନିଙ୍କ ଦ୍ଵାରା ଦଳ ପ୍ରଶିକ୍ଷିତ ହେଉଛି। ମ୍ୟାଟିଆସ୍ ରେଙ୍କ ଛଡା ଅଗସ୍ତିନ୍ ମ୍ୟାଲି, ଅଗଷ୍ଟିନ ବୁଗାଲୋ, ଲୁକାସ୍ ଭିଲାଙ୍କ ଭଳି ଅନୁଭବୀ ଖେଳାଳି ରହିଛନ୍ତି।ଏବେ ଆର୍ଜେଣ୍ଟିନା ହକି ଦଳ, ଦେଶର ଫୁଟବଲ ଦଳ ଭଳି ପୁଣି ଏସୀୟ ମାଟିରେ ଆଉ ଏକ ବିଶ୍ଵକପ ଜିତିବ କି ନାହିଁ ତାହା ସମୟ କହିବ।

ଫ୍ରାନ୍ସ

ହକି ବିଶ୍ଵକପରେ ଫ୍ରାନ୍ସ ଚତୁର୍ଥଥର ଲାଗି ଅଂଶଗ୍ରହଣ କରିବ। ‘ଲେସ୍ ବ୍ଲୁସ୍’ ନାମରେ ପରିଚିତ ଏହି ଦଳ ବର୍ତ୍ତମାନ ନିଜକୁ ଗଢୁଛି। ଦଳର ପ୍ରଦର୍ଶନରେ ଧୀରେ ଧୀରେ ଉନ୍ନତି ହେଉଛି। ଏଫ୍ଆଇଏଚ୍ ହକି ପ୍ରୋ ଲିଗର ୨୦୨୧-୨୨ ସଂସ୍କରଣରେ ଫ୍ରାନ୍ସ ଦଳ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଆର୍ଜେଣ୍ଟିନା ବିପକ୍ଷରେ ବିଜୟୀ ହୋଇଥିଲା।

ୱେଲ୍ସର କାର୍ଡିଫଠାରେ ହୋଇଥିବା ୟୁରୋପୀୟ ଯୋଗ୍ୟତା ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫ୍ରାନ୍ସ ହକି ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୨୦୨୩ ବିଶ୍ଵକପରେ ଦଳ ଭିକ୍ଟର ଚାରଲେଟଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ଫ୍ରେଡ ସୋଏଜ ଦଳର ମୁଖ୍ୟ କୋଚ ଅଛନ୍ତି।

ଦକ୍ଷିଣ ଆଫ୍ରିକା

ହକି ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ସପ୍ତମଥର ଲାଗି ଅଂଶଗ୍ରହଣ କରିବାକୁ ଯାଉଛି। ୨୦୨୨ର ଏଫଆଇଏଚ୍ କପ୍ ଅଫ ନେସନ୍ସ ଟୁର୍ଣ୍ଣାମେଣ୍ଟ ଜିତିଥିବା ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ନିଜର ସବୁଠାରୁ ଭଲ ପର୍ମରେ ଅଛି। ଦାୟାନ କ୍ୟାସିମଙ୍କ ନେତୃତ୍ଵରେ ଚଳିତ ବିଶ୍ଵକପରେ ଖେଳିବ ଦକ୍ଷିଣ ଆଫ୍ରିକା।

ବିଶ୍ଵକପରେ ଦାୟାନ କ୍ୟାସିମ ଓ ତାଙ୍କ ଭାଇ ମୁସ୍ତଫା କ୍ୟାସିମ ଦକ୍ଷିଣ ଆଫ୍ରିକା ଦଳର ପୋଷ୍ଟର ବୟ ସାଜିବେ। ଏହାଛଡ଼ା ଅନୁଭବୀ ଷ୍ଟ୍ରାଇକର ଟେଭିନ୍ କୋକ ଓ ଜେଥ୍ରୋ ଇଷ୍ଟାଇସଙ୍କ ପ୍ରତିଭା ଏଥରର ବିଶ୍ଵକପରେ ଦେଖିବାକୁ ମିଳିବ।

Tags: #Men’sHockeyWorldCup #GroupA #Australia #Argentina #France #SouthAfrica #Hockey #India #Odisha

 

Comment