ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ବିଶ୍ଵକପ ପ୍ରାରମ୍ଭରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଦଳମାନେ ନିଜ ନିଜ ଗ୍ରୁପରେ ବିରୋଧୀ ଦଳ ସହ ପ୍ରତିଦ୍ଵନ୍ଦ୍ଵିତା କରିବେ। ଗ୍ରୁପ ପର୍ଯ୍ୟାୟ ଖେଳି ଦଳ ନକଆଉଟ ପର୍ଯ୍ୟାୟକୁ ଯିବେ। ପ୍ରଥମ ଦିବସରେ ୪ଟି ମ୍ୟାଚ ଖେଳାଯିବ। ଦିନର ପ୍ରଥମ ୩ଟି ମ୍ୟାଚ ପରେ ସନ୍ଧ୍ୟାରେ ଭାରତ ଓ ସ୍ପେନ ମଧ୍ୟରେ ମ୍ୟାଚ ଦେଖିବାକୁ ମିଳିବ।

ଶୁକ୍ରବାର ବିଶ୍ଵକପର ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଗ୍ରୁପ ‘ଏ’ର ଏହି ମ୍ୟାଚଟି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟା ବେଳେ ଆରମ୍ଭ ହେବ। ଅଧିନାୟକ ମ୍ୟାଟିୟସ୍ ରେଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଖେଳିବାକୁ ଆସିବ, ଅନ୍ୟପଟେ ଦାୟାନ କ୍ୟାସିମଙ୍କ ନେତୃତ୍ଵରେ ଖେଳିବ ଦକ୍ଷିଣ ଆଫ୍ରିକା।

ବିଶ୍ଵକପର ଦ୍ଵିତୀୟ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ ସରିବା ପରେ ଅପରାହ୍ଣ ୩ଟା ବେଳେ ଗ୍ରୁପ ‘ଏ’ର ଏହି ମ୍ୟାଚଟି ଖେଳାଯିବ। ବିଶ୍ଵକପରେ ଏଡି ଓକେଣ୍ଡେନ୍ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଲାବେଳେ, ଫ୍ରାନ୍ସ ଭିକ୍ଟର ଚାରଲେଟଙ୍କ ଅଧିନାୟକତ୍ଵରେ ଫ୍ରାନ୍ସ ବିଶ୍ଵକପରେ ଖେଳିବ।

ଭୁବନେଶ୍ୱରରେ ପ୍ରଥମ ଦୁଇଟି ମ୍ୟାଚ ପରେ ଶୁକ୍ରବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମୁହାଁ ମୁହିଁ ହେବେ। ଗ୍ରୁପ ‘ଡି’ର ଏହି ମ୍ୟାଚଟି ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ। ଏହି ମ୍ୟାଚରେ ୱେଲ୍ସ ପ୍ରଥମଥର ପାଇଁ ହକି ବିଶ୍ଵକପ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ।

ଦିନର ସବୁ ମ୍ୟାଚ ପରେ ଶୁକ୍ରବାର ସନ୍ଧ୍ୟାରେ ଭାରତ ଓ ସ୍ପେନ ମୁକାବିଲା ହେବ। ଏହି ମ୍ୟାଚ ଖେଳି ଭାରତ ନିଜର ବିଶ୍ଵକପ ଅଭିଯାନ ଆରମ୍ଭ କରିବ। ଗ୍ରୁପ ‘ଡି’ର ଏହି ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ ଖେଳାଯିବ। ହରମନପ୍ରିତ ସିଂହଙ୍କ ଭାରତର ନେତୃତ୍ୱ ନେବେ। ମ୍ୟାଚରେ ଦେଖିବାକୁ ମିଳିବ ଓଡ଼ିଆ ପୁଅ ଅମିତ ରୋହିଦାସ ଓ ନିଲାମ ସଞ୍ଜିପ ଖେସଙ୍କ ଝଲକ। ସେହିପରି ମାର୍କ ମିରାଲ୍ସ ସ୍ପେନ ଦଳର ନେତୃତ୍ୱ ନେବେ।

Tags: #Men’sHockeyWorldCup #Groupstage #India #Spain #Australia #France #Argentina#SouthAfrica #Hockey #India #Odisha

Comment