ଓଡ଼ିଶାଲାଇଭ୍ ବ୍ୟୁରୋ:

ଓଡ଼ିଶା ସହିତ ବିଦେଶର ସମ୍ପର୍କ ଏବେ ନୂଆନୂଆ ରୂପ ନେବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ପାଇଁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବିଭିନ୍ନ ଦେଶକୁ ସିଧାସଳଖ ଯାତ୍ରା କରିବା ପାଇଁ ସୁଯୋଗ ସୃଷ୍ଟି କରିଥିବା ବେଳେ ଏବେ ଓଡ଼ିଶାରୁ ଜାତ ପଦାର୍ଥ ମଧ୍ୟ ବିଦେଶକୁ ଯିବା ପାଇଁ ପ୍ରସ୍ତୁତ ହେଉଛି। ବିଗତ କିଛି ଦିନ ଧରି ଓଡ଼ିଶା ସରକାର ଏବଂ ବିଭିନ୍ନ ସଂସ୍ଥା ଏହି ସଂଯୋଗ କାର୍ଯ୍ୟରେ ଲାଗିବା ଫଳରେ ଓଡ଼ିଶାର ବାଣିଜ୍ୟ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ଦେଖାଦେଇଛି। ସେହି ସମ୍ଭାବନାଟି ହେଉଛି ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଆମ୍ବ ରପ୍ତାନୀ।

ଦକ୍ଷିଣ ଏସିଆର ଦେଶଗୁଡ଼ିକୁ ମୁଖ୍ୟତଃ ବଙ୍ଗଳାଦେଶରୁ ଆମ୍ବ ଯାଇଥାଏ। ଏବେ ଏ କ୍ଷେତ୍ରରେ ଓଡ଼ିଶା ଏକ ପ୍ରତିଦ୍ୱନ୍ଦ୍ୱୀ ହୋଇ ଛିଡ଼ା ହୋଇଛି। ଆଉ ଏହା ସମ୍ଭବ ହୋଇପାରିଛି କେବଳ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ମିଳୁଥିବା କାର୍ଗୋ ସୁବିଧା ଯୋଗୁଁ। ମାଲେସିୟାର ଏୟାରଏସିଆ ବିମାନ ଚାଳନା କମ୍ପାନି ଏପ୍ରିଲ୍ ୨୬ ତାରିଖରେ କୁଆଲା ଲାମପୁରକୁ ସିଧାସଳଖ ବିମାନ ଯାତ୍ରା ଆରମ୍ଭ କରିଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିମାନରେ ଓଡ଼ିଶାଜାତ ସାମଗ୍ରୀ କିଭଳି ପଠାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ମାଲେସିୟା ଏବଂ ଆଖପାଖ ଦେଶକୁ ବର୍ତ୍ତମାନ ଓଡ଼ିଶାର ଆମ୍ବ ଯିବାରେ ଆଉ କୌଣସି  ପ୍ରତିବନ୍ଧକ ରହିବ ନାହିଁ।

ଓଡ଼ିଶା ସରକାରଙ୍କର ହର୍ଟିକଲଚର ବିଭାଗ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ ଫଳୁଥିବା ପ୍ରଚୁର ଆମ୍ବକୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ରପ୍ତାନୀ କରିବା ସକାଶେ ଏକ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି। କିଛି ଇ-ମାର୍କେଟିଂ ସଂସ୍ଥା ଏବଂ ଓଡ଼ିଶା କୃଷି ବିପଣନ ବୋର୍ଡ (ଓଏଏମବି) ସହିତ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା ଚାଲିଛି ବୋଲି ଉଦ୍ୟାନ କୃଷି ବିଭାଗର ସହନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ କହିଛନ୍ତି।

ଏହା ଫଳରେ ଓଡ଼ିଶାର ଆମ୍ବଚାଷୀମାନେ କେବଳ ଯେ ଉପକୃତ ହେବେ ତାହା ନୁହେଁ ଓଡ଼ିଶା ଆମ୍ବର ଚାହିଦା ମଧ୍ୟ ଅନ୍ୟ ଦେଶରେ ବୃଦ୍ଧି ପାଇବ। ଓଡ଼ିଶାର ଆମ୍ବର ପ୍ରକାର ଭେଦ ଓ ନାମକରଣ କଥା ଛାଡନ୍ତୁ, ବିଦେଶୀକୁ ସାମଗ୍ରୀର ରପ୍ତାନୀ ପାଇଁ ଯେଉଁସବୁ ମାନଦଣ୍ଡ ରହିଛି ତାହାକୁ ମଧ୍ୟ ଏହା ପୂରଣ କରିଥାଏ। ଖାଲି ଆବଶ୍ୟକ ଏଥିପାଇଁ ଉପଯୁକ୍ତ ବଜାର ସନ୍ଧାନ କରିବା। କୃଷି ବିପଣନ ବୋର୍ଡର ପରାମର୍ଶଦାତା ବରଦା ପ୍ରସନ୍ନ ଚୌଧୁରୀଙ୍କ କହିବା ଅନୁସାରେ ଆମ୍ବ ରପ୍ତାନୀ ପାଇଁ ବିଭିନ୍ନ ସଂସ୍ଥା ସହିତ କଥାବାର୍ତ୍ତା ଚାଲିଛି ଓ ଆଗାମୀ ଦିନରେ ଏହାର ଏକ ସ୍ପଷ୍ଟ ରୂପରେଖ ମିଳିବ।

ଆମ୍ବ ବିକ୍ରି ଓ ରପ୍ତାନୀ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଢ଼େଙ୍କାନାଳ ଫ୍ରୁଟ୍ସ ଓ ଭେଜିଟେବୁଲ୍ସ ମାର୍କେଟିଂ କମ୍ପାନି ନାମରେ ଏକ ସଂସ୍ଥା ଗଢ଼ାଯାଇଛି। ଏହି ସଂସ୍ଥାର କାମ ଆମ୍ବ ଓ ଅନ୍ୟାନ୍ୟ ଫଳର ପ୍ରକ୍ରିୟାକରଣ କରିବା ଓ ତା’ର ଉପଯୁକ୍ତ ପ୍ୟାକେଜିଂ କରିବା। ଆମ୍ବ ରପ୍ତାନୀ ପାଇଁ ଅନଲାଇନ୍ ଟ୍ରେଡିଂ ସଂସ୍ଥା ଏନଇଏମଏଲ ସହିତ ମଧ୍ୟ ଓଡ଼ିଶା ସରକାର କଥାବାର୍ତ୍ତା ଆରମ୍ଭ କରିଛନ୍ତି।

ଦେଶ ଭିତରେ ଓଡ଼ିଶାର ଆମ୍ବର ବିକ୍ରି କଥା ଯେତେବେଳେ ଉଠେ ମୁଖ୍ୟତଃ ଏହା ଉତ୍ତର ଭାରତ ଓ ମୁମ୍ବାଇକୁ ଯାଇଥାଏ। ଏବେ ଯଦି ବିଦେଶକୁ ଆମ୍ବ ରପ୍ତାନୀ ହୁଏ ତାହାହେଲେ ଓଡ଼ିଶାର ଚାଷୀମାନଙ୍କ ଆୟ ବହୁଗୁଣିତ ହେବ ଏବଂ ଉତ୍ପାଦର ପ୍ରକୃତ ମର୍ଯ୍ୟାଦା ସେମାନେ ପାଇପାରିବେ।

ପ୍ରତିବର୍ଷ ଓଡ଼ିଶାରୁ ପ୍ରାୟ ୮ ଲକ୍ଷ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ପରିମାଣ ଦୃଷ୍ଟିରୁ ଓଡ଼ିଶା ଭାରତରେ ଷଷ୍ଠ ରାଜ୍ୟ ଯେଉଁଠାରୁ ସର୍ବାଧିକ ଆମ୍ବ ଉତ୍ପାଦନ ହୁଏ। ଓଡ଼ିଶାରୁ ମୁଖ୍ୟତଃ ଆମ୍ବ୍ରପଲ୍ଲୀ, ଦଶେରୀ, ମଲିକା, କେଶରୀ ଓ ଲେଙ୍ଗଡ଼ା ଆଦି ଆମ୍ବ ଉତ୍ପାଦନ ହୁଏ ଏବଂ ଏହାର ମୋଟ ଉତ୍ପାଦନ ପ୍ରାୟ ୪୦%। ଜିଲ୍ଲା ହିସାବରେ ଦେଖାଗଲେ ୫/୬ଟି ଜିଲ୍ଲାରେ ପ୍ରଚୁର ଆମ୍ବ ହୁଏ। ଏଗୁଡ଼ିକ ହେଲା: ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର ଓ ବୌଦ୍ଧ।

ଭାରତର ଆମ୍ବ ବିଶେଷକରି ମଧ୍ୟପ୍ରାଚ୍ୟ, ଦକ୍ଷିଣପୂର୍ବ ଦେଶ, ଆମେରିକା ଓ ୟୁରୋପୀୟ ଦେଶମାନଙ୍କୁ ରପ୍ତାନୀ ହୋଇଥାଏ। କୃଷି ପ୍ରକ୍ରିୟାକରଣ ଓ ଖାଦ୍ୟ ରପ୍ତାନୀ ପ୍ରାଧିକରଣ ବା ଆପେଡ଼ାର ତଥ୍ୟ ଅନୁସାରେ ଆଗାମୀ ଦିନରେ ଭାରତରୁ ଆମ୍ବର ରପ୍ତାନୀ ୫୦ ହଜାର ଟନ୍‌କୁ ଛୁଇଁବ। ବିଦେଶରେ ଭାରତୀୟ ଆମ୍ବର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଓଡ଼ିଶାର ଆମ୍ବଚାଷୀମାନେ ଏହି ବର୍ଦ୍ଧିତ ବ୍ୟବସାୟର ଅଂଶିଦାର ହେବା ନିଶ୍ଚିତରେ ଖୁସିର କଥା।

1 COMMENT

  1. Good news & Required more promote for mango & others. Odisha media should be strong in national & international.

Comment