ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ମୁଖପାତ୍ର ବିଶ୍ୱ ରଞ୍ଜନ ମହାନ୍ତିଙ୍କ ସହ ରାଜ୍ୟ ରାଜନୀତିର ସ୍ଥିତି ବିଶେଷକରି କଂଗ୍ରେସ ଦଳର ସାମ୍ପ୍ରତିକ ଆଭ୍ୟନ୍ତରୀଣ ଅବସ୍ଥାକୁ ନେଇ ଏକ ବିଶେଷ ସାକ୍ଷାତକାର

ରାଜ୍ୟ କଂଗ୍ରେସର ବର୍ତ୍ତମାନର ସ୍ଥିତି କ’ଣ?

ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଲାନି। ଏହା ଆମ ପାଇଁ ଏକ ସତର୍କଘଣ୍ଟି। ହେଲେ ତା’ ମାନେ ନୁହେଁ ଯେ, କଂଗ୍ରେସକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଇତିହାସ କହୁଛି ମଝିରେ ମଝିରେ ଲୋକ କଂଗ୍ରେସକୁ ଶିକ୍ଷା ଦେଇଥାନ୍ତି। ଏହି ଶିକ୍ଷାରୁ କଂଗ୍ରେସ କିଛି ଶିଖିଥାଏ ଏବଂ ଆଗକୁ ବଢ଼ିଥାଏ। ପଞ୍ଚାୟତ ନିର୍ବାଚନ ମଧ୍ୟ ଆମ ପାଇଁ ଏକ ଶିକ୍ଷା। ରାଜ୍ୟରେ ଖୁବ୍‍ଶୀଘ୍ର କଂଗ୍ରେସ ସଙ୍ଗଠିତ ହେବାକୁ ଯାଉଛି। ଏକ ନୂଆ ରୂପରେ ଦଳ ଲୋକଙ୍କ ସମ୍ମୁଖକୁ ଆସିବ।

କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଛି, ଏହାକୁ ଆପଣ ସ୍ୱୀକାର କରିବେ କି?

କଂଗ୍ରେସ ଏବେ ବି ରାଜ୍ୟରେ ଦୁଇ ନମ୍ବର ସ୍ଥାନରେ ରହିଛି। କାରଣ ଆମକୁ ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ମିଳିଛି। ଯଦି ପଞ୍ଚାୟତ ଫଳାଫଳକୁ ଦୃଷ୍ଟିରେ ରଖି ବିଚାର କରିବା ତାହେଲେ ଜିଲ୍ଲା ପରିଷଦ ନିର୍ବାଚନରେ ଆମେ ତୃତୀୟ ସ୍ଥାନରେ ରହିଛୁ ବୋଲି କୁହାଯାଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟର ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରର ନେତାଙ୍କୁ ନିର୍ବାଚିତ କରିଥାନ୍ତି। ଜିଲ୍ଲା ପରିଷଦ ଭୋଟ ଦଳୀୟ ଚିହ୍ନ ଅନୁଯାୟୀ ହୋଇଥାଏ। ଏଣୁ ଏଥିରେ ଆମେ ତୃତୀୟ ସ୍ଥାନରେ ରହିଛୁ। ତେବେ ୨ କିମ୍ବା ୩ ନମ୍ବର ପାଇଁ ଆମେ ସଂଘର୍ଷ କରୁନାହୁଁ : ଓଡ଼ିଶାରୁ କୁ-ଶାସନ ହଟାଇବା ପାଇଁ ଆମର ସଂଘର୍ଷ ଜାରି ରହିଛି। ତେଣୁ ଆମେ ଦଳୀୟ ଚିହ୍ନ ଅନୁଯାୟୀ ହେଉଥିବା ଭୋଟରେ ପଛରେ ପଡ଼ିଯାଇଛୁ।

ଦଳୀୟ ଚିହ୍ନ ‘ହାତ’ ପ୍ରତି ଭୋଟରଙ୍କ ବିତୃଷ୍ଣା କାହିଁକି?

ଚିହ୍ନ ପ୍ରତି ଭୋଟର ବିତୃଷ୍ଣ ହୋଇନାହାନ୍ତି; ଆମ କ୍ଷେତ୍ରରେ ରହିଥିବା ତ୍ରୁଟି ବିଚ୍ୟୁତି ପ୍ରତି ଲୋକେ ବିତୃଷ୍ଣା ଭାବ ପୋଷଣ କରିଛନ୍ତି। ଏବେ ବି ଗାଁ ଗହଳିରେ ଲୋକେ ହାତ ଚିହ୍ନ ଏବଂ କଂଗ୍ରେସ କଥା ଆଲୋଚନା କରୁଛନ୍ତି।

 କଂଗ୍ରେସ ଭୋଟ ବିଜେପି ନେଇଗଲା ବୋଲି ଚର୍ଚ୍ଚା ହେଉଛିକ’ଣ କହିବେ?

ଓଡ଼ିଶାରେ ଚାଲିଥିବା ୧୭ ବର୍ଷର କୁଶାସନ ବିରୋଧରେ ଏକ ଜନମତ ସୃଷ୍ଟି ହୋଇଛି। ଏଣୁ ଏହାର ଫାଇଦା କଂଗ୍ରେସ ନେବା କଥା। ହେଲେ ବିଜେପି ଏହାର ଫାଇଦା କିଛି ମାତ୍ରାରେ ନେଇଛି। କିନ୍ତୁ କଂଗ୍ରେସ ଭୋଟ ବିଜେପି ନେଇଗଲା ବୋଲି ଯାହା କୁହାଯାଉଛି ତାହା ଠିକ୍‍ ନୁହେଁ। ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନମତ ଭାଗ ଭାଗ ହୋଇଯାଇଛି ବୋଲି ସ୍ୱୀକାର କରିବାକୁ ପଡିବ।

ଦଳର ଏହି ପରିଣାମ ସମ୍ପର୍କରେ କେନ୍ଦ୍ର ନେତା ଅବଗତ ଅଛନ୍ତି କି?

ନିଶ୍ଚିନ୍ତ ଭାବେ ଅବଗତ ଅଛନ୍ତି। ନିକଟରେ ରାହୁଲ ଗାନ୍ଧି ଓଡ଼ିଶାର କିଛି ଆଗଧାଡ଼ିର ନେତାଙ୍କୁ ଡାକି ଦିନତମାମ୍‍ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ତା’ର ମଧ୍ୟ କାରଣ ଖୋଜା ହୋଇଥିଲା। ଦଳ କେମିତି ଲୋକାଭିମୁଖୀ ହେବ ତାକୁ ନେଇ ଚର୍ଚ୍ଚା ହୋଇଥିଲା।

ଓଡ଼ିଶା କ୍ଷେତ୍ରରେ ରାହୁଲ କି ପଦକ୍ଷେପ ନେବେ?

ଆଗାମୀ ଦିନରେ ରାହୁଲ ଗାନ୍ଧି ଓଡ଼ିଶା କଂଗ୍ରେସ ସଙ୍ଗଠନକୁ ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବେ। ଦଳକୁ ପୁଣିଥରେ ସଙ୍ଗଠିତ କରିବା ପାଇଁ ଉଦ୍ୟମ କରିବେ।

ସଭାପତି ପରିବର୍ତ୍ତନ ନେଇ ସ୍ୱର ଉଠୁଛି, ଏଥିରେ ଆପଣଙ୍କ ମତ କ’ଣ?

ସଭାପତି ବଦଳିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ମୁଁ ଏକମତ ନୁହେଁ। କାରଣ ନେତୃତ୍ୱ ପରିବର୍ତ୍ତନ ହୋଇଗଲେ ଯେ ସଙ୍ଗଠନ ଠିକ୍‍ଠାକ୍‍ ହୋଇଯିବ ତାହା କହିବା ଠିକ୍‍ ନୁହେଁ। ଦୀର୍ଘ ୧୭ ବର୍ଷ ମଧ୍ୟରେ ବାରମ୍ବାର ନେତୃତ୍ୱରେ ପରିବର୍ତ୍ତନ ହୋଇଛି। ହେଲେ ଦଳ କିଛି ବି ଲାଭ ପାଇନି। ନେତୃତ୍ୱ ପରିବର୍ତ୍ତନ ଏବଂ ସଙ୍ଗଠନ ମଜବୁତ କରିବା ଅଲଗା ଅଲଗା କଥା।

ପଞ୍ଚାୟତ ବିଫଳତା ପାଇଁ ସଭାପତି ଦାୟୀ କି?

କେବଳ ଜଣଙ୍କୁ ଦାୟୀ କରିଦେଲେ ଚଳିବ ନାହିଁ। କାରଣ ନିର୍ବାଚନ ଲଢ଼ିବା ଜଣଙ୍କର କାମ ନୁହେଁ। ଏଥିପାଇଁ ଆମେ ସମସ୍ତେ ଦାୟୀ। ନେତୃତ୍ୱ ବଦଳାଇବା ଗୋଟେ ବ୍ୟାପାର, ସଙ୍ଗଠନ ସଜାଡିବା ହେଉଛି ଆଉ ଏକ ବ୍ୟାପାର।

୧୭ ବର୍ଷ ଭିତରେ କଂଗ୍ରେସ ସଙ୍ଗଠନ କାହିଁକି ସୁଦୃଢ଼ ହୋଇପାରିନି?

ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ୧୯୯୦ରେ ବିଜୁବାବୁ ୧୨୩ ଆସନରେ ଜିତି ସରକାର ଗଠନ କରିଥିଲେ। ସେତେବେଳେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇଯାଇଥିଲା। କେହି କେବେ ଭାବି ନ ଥିଲେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ। କିନ୍ତୁ ପରେ ଆମେ ଏକାଠି ହୋଇ ୧୯୯୫ରେ  ସରକାର ଗଠନ କରିଥିଲୁ। ଏକ ଦୃଢ଼ ନିର୍ବାଚନ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଥିଲା। ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ହାୱା ବହୁଥିବା ସତ୍ତ୍ୱେ ୨୦୦୦ ନିର୍ବାଚନରେ କଂଗ୍ରେସର ଭୋଟ ହାର ଭଲ ଥିଲା। କିନ୍ତୁ ବିଜେପି-ବିଜେଡି ମେଣ୍ଟ ଯୋଗୁଁ କଂଗ୍ରେସ କ୍ଷତି ସହିଥିଲା। ସେହିପରି ୨୦୦୪ରେ ବିଜେଡିର ୩ ପ୍ରତିଶତ ଭୋଟ ହାର କମି ଯାଇଥିଲା। କିନ୍ତୁ ୨୦୦୯ ଏବଂ ୨୦୧୪ ନିର୍ବାଚନ କଂଗ୍ରେସକୁ ଏକ ଶିକ୍ଷା ଦେଇଛି। ଏହି ଦୁଇ ନିର୍ବାଚନରେ ଆମର କିଛି ଦୋଷ ଦୁର୍ବଳତା ରହିଥିଲା ଏବଂ ସରକାରୀ ଦଳର ଅର୍ଥ ବଳ ହିଁ କଂଗ୍ରେସ ପାଇଁ ବିପର୍ଯ୍ୟୟର ବଡ଼ କାରଣ ହୋ‍ଇଥିଲା।

ରାହୁଲ ଗାନ୍ଧି ଜଣେ ଯୁବକ ହୋଇଥିଲେ ମଧ୍ୟ ଯୁବ ଭୋଟରଙ୍କୁ ବାନ୍ଧି ରଖିବାରେ ସଫଳ ହେଉନାହାନ୍ତି କାହିଁକି?

ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ଅମଳରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା। ରାଜୀବ ଗାନ୍ଧି ସେତେବେଳେ ଯୁବ ଭୋଟରଙ୍କୁ ସଶକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ହେଲେ ଯୁବ ଭୋଟର ରାଜୀବଙ୍କ ସପକ୍ଷରେ ଭୋଟ ଦେଇ ନଥିଲେ। ବର୍ଷେ ଦେଢ଼ ବର୍ଷ ପରେ ଯୁବକମାନେ ଚିନ୍ତା କଲେ ଯେ, ଆମେ ଯାହା କରିଛୁ ଭୁଲ୍‍ ନିଷ୍ପତ୍ତି ନେଇଛୁ। କିନ୍ତୁ ପରେ ରାଜୀବ ଗାନ୍ଧିଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେହି ସମସ୍ୟା ଏବେ ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଯୁବକମାନଙ୍କ ପାଇଁ ରାହୁଲ ବହୁ ପଦକ୍ଷେପ ନେଇଛନ୍ତି। ହେଲେ ଉପା ସରକାରର ଶେଷ ଦୁଇ ବର୍ଷ ବିଭିନ୍ନ ଗଣମାଧ୍ୟମରେ ଯେଉଁ ପ୍ରଚାର ପ୍ରସାର ଚାଲିଲା ସେଥିପାଇଁ ଯୁବ ଭୋଟର ବାଟ ହୁଡ଼ି ଯାଇଛନ୍ତି। ଆଗାମୀ ଦିନରେ ସବୁ ଠିକ୍‍ଠାକ୍‍ ହୋଇଯିବ।

ହାଇକମାଣ୍ଡ ସଂସ୍କୃତି ଯୋଗୁଁ କଂଗ୍ରେସ କ୍ଷତିଗ୍ରସ୍ତ ହେଉଛି କି?

ରାଜୀବ ଗାନ୍ଧିଙ୍କ ପରେ ଗାନ୍ଧି ପରିବାରର କୌଣସି ସଦସ୍ୟ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇପାରି ନାହାନ୍ତି। ତା’ଛଡା ହାଇକମାଣ୍ଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ଯେଉଁଥିରେ ଦେଶବାସୀଙ୍କ କ୍ଷତି ହୋଇଛି। ବିରୋଧୀ ଦଳ ଅପପ୍ରଚାର କରି ଭୋଟରଙ୍କୁ ବିଭ୍ରାନ୍ତି କରିଛନ୍ତି। ରାହୁଲ ଗାନ୍ଧିଙ୍କ ପାଖରେ ଯୁବ ସୁଲଭ ଗୁଣ ରହିଛି। ସ୍ୱାଧୀନତା ପୂର୍ବରୁ କଂଗ୍ରେସରେ ଯେଉଁ ସଂସ୍କୃତି ଥିଲା ତାହା ଏବେ ବି ବଳବତ୍ତର ରହିଛି।

ନିକଟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ୩ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛନ୍ତିଏ ସମ୍ପର୍କରେ କ’ଣ କହିବେ?

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପୂର୍ତ୍ତି ଉତ୍ସବ କେବଳ ଉତ୍ସବରେ ପରିଣତ ହୋଇଯାଇଛି। ସରକାରୀ ଅର୍ଥରେ ଏମାନେ ପୂର୍ତ୍ତି ପାଳନ କରୁଛନ୍ତି। ୧୭ ବର୍ଷର ରାଜ୍ୟ ସରକାର ଏବଂ ୩ ବର୍ଷର କେନ୍ଦ୍ର ସରକାର ଲୋକଙ୍କ ପାଇଁ କ’ଣ କରିଛନ୍ତି? ଯବାନ, ନୌଯବାନ ଏବଂ କିଷାନ୍‍ର ସ୍ଲୋଗାନ ଦେଇ ବିଜେପି  କ୍ଷମତାକୁ ଆସିଛି। ହେଲେ କେବଳ ୨୦୦ ଯବାନ କାଶ୍ମୀରରେ ପ୍ରାଣ ହରାଇଛନ୍ତି। ମାଓବାଦୀ, ଆତଙ୍କବାଦୀଙ୍କ ହିଂସାକାଣ୍ଡ ବଢ଼ିଛି। ଚାଷୀ ଆତ୍ମହତ୍ୟା ଏ ଦେଶରେ ବଢ଼ିଛି। କେନ୍ଦ୍ର ସରକାର ହେଉଛନ୍ତି ସୁଟ୍‍ବୁଟ୍‍ର ସରକାର। ସାଧାରଣ ଲୋକଙ୍କ ପାଇଁ ଏ ସରକାର କିଛି କରିନାହାନ୍ତି। ରାଜ୍ୟ ସରକାର ମଧ୍ୟ ଓଡ଼ିଶାବାସୀଙ୍କୁ ଠକିଛନ୍ତି। ୧୭ ବର୍ଷ ତଳେ ଯେଉଁ ସମସ୍ୟାକୁ ନେଇ ଆଲୋଚନା ହେଉଥିଲା ଏବେ ବି ସେହି ସମସ୍ୟା ରାଜ୍ୟରେ ରହିଛି। ରାଜକୋଷର ଆୟ ବଢ଼ିନି।

ମୋଦିଙ୍କ ହାୱାରେ ୨୦୧୯ରେ କଂଗ୍ରେସର ସତ୍ତା ରହିବ ତ?

କିଛି ଅନ୍ଧ ଭକ୍ତ ମୋଦିଙ୍କ ହାୱାକୁ ନେଇ ଚର୍ଚ୍ଚା କରୁଛନ୍ତି। ହେଲେ ହାୱା କେବେ ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ରହିନି। ହାୱା କ୍ଷଣିକ ସମୟ ପାଇଁ ଆସେ। କଂଗ୍ରେସ ସଂଘର୍ଷରୁ ଜନ୍ମ ନେଇଛି। ନୂଆ ଉତ୍ସାହ ଓ ନୂଆ ଶକ୍ତିକୁ ନେଇ କଂଗ୍ରେସ ଯେମିତି ଆଗରୁ ଚାଲିଥିଲା ଏବେ ବି ଚାଲିଛି। କଂଗ୍ରେସ କୌଣସି ହାୱାକୁ ବିଶ୍ୱାସ କରେନି କି ଭୟ କରେନି ।

ବିଶ୍ୱ ରଞ୍ଜନ ମହାନ୍ତିଙ୍କ ସମ୍ପର୍କରେ

ଏକ ସାଧାରଣ ପରିବାରରୁ ରାଜନୀତିକୁ ଆସିଛନ୍ତି ବିଶ୍ୱ ରଞ୍ଜନ ମହାନ୍ତି। କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜାତୀୟ ସ୍ତରରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ବିଶ୍ୱରଞ୍ଜନ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସହ ମୁଖପାତ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଥିବା ବେଳେ ସେ କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ପ୍ରଭୃତି ରାଜ୍ୟର ଯୁବ କଂଗ୍ରେସ ଦାୟିତ୍ୱରେ ରହି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୧୪ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ପୁରୀ ଜିଲା ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ଲଢ଼ିଥିଲେ।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here