ଡକ୍ଟର ଭାସ୍କର ମିଶ୍ର
ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ଉତ୍ସବ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ଶ୍ରୀଜୀଉମାନଙ୍କର ଏହି ସ୍ନାନ ମହୋତ୍ସବ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରାର ପ୍ରାଚୀନତା ସଂପର୍କରେ ସ୍କନ୍ଧ ପୁରାଣ, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବାମଦେବ ସଂହିତା ଇତ୍ୟାଦି ପ୍ରାଚୀନ ପୁରାଣ ଗ୍ରନ୍ଥମାନଙ୍କରେ ସବିଶେଷ ବର୍ଣ୍ଣନା ରହିଥିବା ପ୍ରମାଣ ମିଳେ। ଯାତ୍ରା ଭାଗବତରେ ଉଲ୍ଲେଖ ରହିଅଛି ଯେ,
“ଜ୍ୟେଷ୍ଠେମାସି ସିତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍। ସ୍ନାପୟେତ୍ତୀର୍ଥ ତୋୟେନ ସର୍ବମଙ୍ଗଳ ସିଦ୍ଧୟେ।।”
ଏହି ଯାତ୍ରାରେ ରତ୍ନ ସିଂହାସନାଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀକୁ ବିଜେ କରିଥାନ୍ତି। ଅତୀତରେ ସ୍ନାନ ମଣ୍ଡପଟି କାଠରେ ନିର୍ମିତ ହୋଇ ଏକ ମଞ୍ଚ ସଦୃଶ ହେଉଥିବାରୁ ସ୍ନାନଯାତ୍ରା ‘ମଞ୍ଚା ସ୍ନାନ’ ନାମରେ କଥିତ ହେଉଥିଲା। ଜନଶ୍ରୁତି ଅନୁଯାୟୀ ସ୍ନାନ ଉତ୍ସବରେ ବ୍ୟବହୃତ ଜଳମାନ ଅତୀତରେ ଭାରତବର୍ଷର ସବୁ ତୀର୍ଥମାନଙ୍କରୁ ସଂଗୃହୀତ ହୋଇ ଏକ ସୁବର୍ଣ୍ଣ ପାତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଉଥିଲା।
କାଳକ୍ରମେ ପ୍ରତିବର୍ଷ ସବୁ ତୀର୍ଥମାନଙ୍କରୁ ଜଳ ଆଣିବା ସମ୍ଭବପର ହୋଇପାରି ନଥିବାରୁ ସେ ଜଳକୁ ସୁବର୍ଣ୍ଣ ପାତ୍ରରେ ରଖି ଶ୍ରୀମନ୍ଦିର ବାହାର ବେଢ଼ାସ୍ଥ, ଶୀତଳାଙ୍କ ନିକଟରେ ଥିବା ସୁନା କୂପରେ ବୁଡ଼ାଇ ରଖାଯାଇଥିଲା। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀ ପୂର୍ବଦିନରେ ଏହି କୂପର ଜଳରେ ଚୁଆ, ଚନ୍ଦନ, କର୍ପୂର ଆଦି ପକାଯାଇ ଅଧିବାସ କରାଯାଇଥାଏ। ଲୋକମୁଖରେ ଏହି କୂପର ନାମ ‘ସୁନା କୂପ’। ବର୍ଷସାରା ଏହି କୂପ ଉପରେ ଏକ ଢ଼ାଙ୍କୁଣି ପକା ଯାଇଥାଏ।
ସ୍ନାନ ଯାତ୍ରା ବିଧି:
ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ଶେଷ ହେବା ପରେ ବିଗ୍ରହମାନଙ୍କର ମୁଖ ବସ୍ତ୍ରାଚ୍ଛାଦିତ ହେବା ପରେ ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଚାରମାର ବନ୍ଧା ଯାଇଥାଏ। ତତ୍ପରେ ମହାସ୍ନାନ ଓ ବେଶ, ବଡ଼ସିଂହାର ଓ ପହୁଡ଼ ଆଳତି ବଢ଼ିବା ପରେ ଠାକୁରମାନଙ୍କ ନିଦ୍ରାଭଙ୍ଗ ପୂର୍ବକ ଶ୍ରୀଦେବୀ ଓ ମଦନମୋହନ ଦକ୍ଷିଣି ଘରକୁ ଏବଂ ଭୁଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ ହୁଅନ୍ତି।
ସେହି ରାତ୍ରରେ ଠାକୁରମାନଙ୍କ ସେନାପଟା ଲାଗି ବଢ଼ି ଯାଇଥାଏ। ଏଥିରେ ପଟା, ବାହୁଟି, କାନୁଆସି, ଘୋଡ଼, ଶୁକ୍ଳ ଚାଦର, ମୁଠି ମାଠ, କୁସୁସୀ ଚାଦର, ପତନି, ବୋଇ ରାଣୀ ଦ୍ୱାରା ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ବିଧି ପୂର୍ବକ ଶ୍ରୀଜୀଉମାନଙ୍କ ମଙ୍ଗଳାର୍ପଣ ନୀତି ବଢ଼ିବା ପରେ ଡୋର ଲାଗି ହୋଇ ଘଣ୍ଟ, ଛତ୍ର, କାହାଳି ସହ ଧାଡ଼ି ପହଣ୍ଡି ବିଜେ ହୋଇ ଯଥାକ୍ରମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ସ୍ନାନ ବେଦୀ ଉପରେ ଅଧିଷ୍ଠିତ କରାଯାଇଥାଏ।
ତତ୍ପରେ ମଦନମୋହନଙ୍କୁ ମହାଜନମାନେ ହସ୍ତରେ ବିଜେ କରି ସ୍ନାନ ମଣ୍ଡପ ଉପରକୁ ନେଇଥାନ୍ତି। ଏହାପରେ ପାଳିଆ ସେବାୟତମାନେ ତିନି ବାଡ଼ରେ ଠାକୁରମାନଙ୍କ ଆରତୀ କରିଥାନ୍ତି। ଅବକାଶ, ତଡ଼ପ ଉତୁରୀ ଓ ମଇଲମ ଇତ୍ୟାଦି ପରେ ମୁଖ ପଖାଳ ସେବକ ପିଢ଼ା, ଖଟୁଳି, ରୂପାଗରା, ପିଙ୍ଗଣ, ସୁନା ଜିଭ ଛେଲା, ଦାନ୍ତକାଠି, ଦହି, କର୍ପୂର, ପୂଷ୍ପ ଇତ୍ୟାଦି ଯଥା ସ୍ଥାନରେ ରଖିବା ପରେ ଦତ୍ତ ମହାପାତ୍ରମାନେ କର୍ପୂର ଜଳ ଓ ଶୁକ୍ଳ ବସ୍ତ୍ରରେ ଶ୍ରୀମୁଖ ପୋଛି ଥାଆନ୍ତି।
ସ୍ନାନଯାତ୍ରାର ମୁଖ୍ୟତଃ ଦୁଇଟି ନୀତିର ବିଶେଷତ୍ୱ ରହିଛି। ଗୋଟିଏ ସ୍ନାନ ନୀତି ଅନ୍ୟଟି ହାତୀ ବେଶ। ସ୍ନାନନୀତି ପୂର୍ବରୁ ପ୍ରତିହାରୀ ସେବକମାନେ ସ୍ନାନମଣ୍ଡପର ଚତୁଃପାର୍ଶ୍ୱରେ ଟେରା ବାନ୍ଧିବା ପରେ ସୁଆରବଢ଼ୁ ପାଣି ପକାଇ ମଣ୍ଡପଟିକୁ ପରିଷ୍କାର କରିଥାନ୍ତି ଏବଂ ପତ୍ରିବଡୁ ସ୍ନାନବେଦୀର ସିଂହାସନ ଉପରେ ପୂଜାପାଠ କରିଥାନ୍ତି। ଏହି ସମୟରେ ଠାକୁରମାନେ ବୋଇରାଣୀ ସଜ ଲାଗି ହୋଇଥାନ୍ତି। ସ୍ନାନବେଦୀ ଅନୁଷ୍ଠିତ ହେବା ସମୟରେ ପ୍ରତିହାରୀ ସେବକମାନେ ଜଳବିଜେ କରିବା ପାଇଁ ହାତରେ ଯୋଡ଼ି ବେତ ଧରି ଡାକିଥିବା ପରେ ଗରାବଡ଼ୁ ସେବକମାନେ ମୁହଁରେ ଗାମୁଛା ଦେଇ ତୁଣ୍ଡି ବାନ୍ଧି ଜଳ ବିଜେ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ପୂର୍ବରୁ ଶୀତଳା ଦେବୀ ସମ୍ମୁଖସ୍ଥ ସ୍ୱର୍ଣ୍ଣକୂପରୁ ୧୦୮ ଗଡ଼ୁ (କୁମ୍ଭ)। ଜଳ ଅଧିବାସ ଘର ସରଘରକୁ ଅଣାଯାଇଥାଏ।
ଏହି ୧୦୮ ଗରା ବା ଗଡ଼ୁ ଜଳ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ୩୫ ଗଡୁ, ଶ୍ରୀ ବଳଭଦ୍ରଙ୍କ ୩୩ ଗଡ଼ୁ, ଶ୍ରୀ ସୁଭଦ୍ରାଦେବୀଙ୍କ ୨୨ ଗଡ଼ୁ ଓ ଶ୍ରୀ ସୁଦର୍ଶନଙ୍କ ନିମନ୍ତେ ୧୮ ଗଡ଼ୁ ଜଳ ପୃଥକ ପୃଥକ ଭାବେ ଚନ୍ଦନ, କର୍ପୂର, କେଶର ଆଦି ମିଶ୍ରିତ ହେବା ପରେ ନବବସ୍ତ୍ର ଓ ନଡ଼ିଆ ଇତ୍ୟାଦି ସଂସ୍ଥାପନ ପୂର୍ବକ ଅଧିବାସିତ ହୋଇରହିଥାଏ। ଗରାବଡ଼ୁ ସେବକମାନେ ଗଡ଼ୁ ଧରି ଜଳ ବିଜେ କରିବା ସମୟରେ ଘଣ୍ଟ, ଛତ୍ର, କାହାଳୀ ଆଗେ ଆଗେ ଥାଆନ୍ତି ଓ ତଳୁଚ୍ଛଙ୍କୁ ପ୍ରଧାନୀ ହାତ ପଇଠ ଦେଇ ଆଗରେ ଯାଆନ୍ତି। ଜଳ ବିଜେ ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ଉକ୍ତ ସ୍ନାନଜଳ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ।
ପୂଜା ଶେଷ ପରେ ସେହି ପବିତ୍ର ଜଳରେ ଦାରୁ ବିଗ୍ରହମାନଙ୍କୁ ସ୍ନାନ କରାଯାଏ। ସ୍ନାନ ନୀତି ଶେଷ ହେବା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରସ୍ତ ସେବକ ରାଜନୀତି ଓ ଛେରାପହଁରା କାର୍ଯ୍ୟ କରିଥାନ୍ତି। ତତ୍ପରେ ମଣ୍ଡପ ଉପରେ ପାଣି ପଡ଼ିଲେ ହାତୀବେଶର ଉପକରଣ ଆସିଥାଏ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ହାତୀ ବେଶ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ଯୋଗାଇଥାନ୍ତି। ସମ୍ପ୍ରତି ବିଗତ ୩ ବର୍ଷ ଧରି ଗୋପାଳ ତୀର୍ଥ ମଠ (ବଳଭଦ୍ରଙ୍କ ନିମନ୍ତେ) ବେଶ ସାମଗ୍ରୀ ଯୋଗାଉନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶଜନିତ ସମସ୍ତ ଖର୍ଚ୍ଚ ଗ୍ରହଣ କରାଯାଉଛି। ଶ୍ରୀ ବିଗ୍ରହମାନଙ୍କର ଏହି ହାତୀ ବେଶ ଅତ୍ୟନ୍ତ ମନମୁଗ୍ଧକର ଓ ଆକର୍ଷଣୀୟ ହୋଇଥାଏ। ସର୍ବଧର୍ମର ଭକ୍ତ ପ୍ରାଣ ଜନତା ବଡ଼ଦାଣ୍ଡରୁ ଠାକୁରମାନଙ୍କର ଏହି ସୁସଜ୍ଜିତ ହାତୀବେଶ ଦର୍ଶନ କରି ଅପାର ଆନନ୍ଦ ଲାଭ କରିଥାନ୍ତି।
ଠାକୁରମାନଙ୍କ ହାତୀ ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ ମହାରାଷ୍ଟ୍ରରୁ ଗଣପତି ଭଟ୍ଟ ନାମରେ ଜଣେ ପ୍ରସିଦ୍ଧ ପଣ୍ଡିତ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ସେ ଗଣେଶଙ୍କର ବଡ଼ ଭକ୍ତ ଥିଲେ। ସ୍ନାନପୂର୍ଣ୍ଣମୀ ଦିନ ଶ୍ରୀମନ୍ଦିରକୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷଲାଭ କଲେ ନାହିଁ। ତେଣୁ ନୈରାଶ୍ୟ ମନରେ ଶ୍ରୀମନ୍ଦିରକୁ ଫେରିବା ବାଟରେ ଶୂନ୍ୟ ବାଣି ଶୁଣି ପୁନଶ୍ଚ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ବିରାଜମାନ ହୋଇଛନ୍ତି। ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତିରେ ବିଭୋର ହୋଇପଡ଼ିଥିଲେ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେହିଠାରେ ପ୍ରାର୍ଥନା କରିଥିଲେ। ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ତଥା ସ୍ନାନବେଦୀରେ ‘ଗଣପତି ବେଶ’ ବା ‘ହସ୍ତୀ ବେଶ’ରେ ଦର୍ଶନ ଦେଇଥିବାର ସ୍ମାରକୀ ରୂପେ ଅଦ୍ୟାବଧି ଏହି ବେଶ ଅନୁଷ୍ଠିତ ହୋଇଆସୁଅଛି।
ଶ୍ରୀ ବିଗ୍ରହମାନଙ୍କୁ ହସ୍ତୀ ବେଶରେ ସଜ୍ଜିତ କରାଯିବା ପରେ ସ୍ନାନ ମଣ୍ଡପ ଉପରେ ଶୋଧ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଏହି ଦିନ ଠାକୁରମାନଙ୍କୁ ଗୋଟିଏ ମାତ୍ର ଭୋଗ ନୈବେଦ୍ୟ ହୋଇଥାଏ। ସ୍ନାନ ମଣ୍ଡପ ଉପରେ ଧୋ ପଖାଳ ହୋଇ ଟେରା ବନ୍ଧାଯିବା ପରେ ସକାଳ ଧୂପର ଭୋଗ ରୋଷ ଘରଠାରୁ ଆନନ୍ଦ ବଜାର ଦେଇ ସ୍ନାନ ମଣ୍ଡପ ଉପରକୁ ଅଣାଯାଏ। ଉକ୍ତ ଦିନ ସୁପରକାରମାନେ ଭୋଗ ନେଇ ମଣ୍ଡପ ଉପରକୁ ଯାଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ। ଭୋଗ ଆସିବା ପୂର୍ବରୁ ରାସ୍ତା ସଫା ହୋଇ ଚୂନପାଣି ପଡ଼ିଥାଏ। ଘଣ୍ଟୁଆ, ବଜନ୍ତରୀ, କାହାଳୀ ବାଦ୍ୟ ବଜାଇଥାନ୍ତି।
ପରମ୍ପରା ଅନୁଯାୟୀ ଏହି ଦିନ ନୂତନ ସୂପରକାର ଯୁବକମାନେ ରୋଷଘରୁ ଭୋଗ ବୋହି ସ୍ନାନମଣ୍ଡପ ଉପରକୁ ଆଣିବା ପରେ ରୋଷଘରେ ରନ୍ଧନ ଓ ରତ୍ନ ସିଂହାସନ ତଥା ଭୋଗ ମଣ୍ଡପକୁ ଭୋଗ ବୋହିପାରିବାର ଅଧିକାର ପାଇଥାନ୍ତି। ସ୍ନାନ ପୂର୍ଣ୍ଣମୀ ଦିନ ସକାଳ ଧୂପରେ ଠାକୁରମାନଙ୍କୁ ଭୋଗ ହେଉଥିବା ବିଭିନ୍ନ ସୁମିଷ୍ଟ ପିଠା ମଧ୍ୟରେ ହଂସକେଳୀ, ପୁଳିପିଠା, ଧଉଳା, ଖଇରଚୂଳ, ଆରିଷା, ମନୋହର, ବଡ଼ା, ଗଜା, ଡାଳିମ୍ବ, କାକେରା, ନାଡ଼ି, ପନ୍ଥିଭୋଗ କୋରା, ମଣ୍ଡା,ଏଣ୍ଡୁରୀ, କଦଳୀ, ପଣସ, ଧୂଆମୁଗ, ପଇଡ଼, ଖଇ, ପଣା, କାନିକା, ଓରିଆ, କ୍ଷୀର, ସାକରା, ମୁଗ ଇତ୍ୟାଦି ପ୍ରଧାନ ଅଟେ।
ସ୍ନାନମଣ୍ଡପରେ ଭୋଗ ହେଉଥିବା କୋଠ ଭୋଗ ତାଲିକା ମଧ୍ୟରେ ନାଡ଼ି – ୧ ମୂର୍ତ୍ତି, ଧଉଳା – ୨ ମୂର୍ତ୍ତି, ଖଇରଚୂଳ -୨ ମୂର୍ତ୍ତି, ସାନ ଆରିସା – ୧୮ ମୂର୍ତ୍ତି, ଅଧିକ ମନୋହର – ୨, ସାନପିଠା -୪, ପୁଳି ପିଠା – ୪, ହଂସକେଳି – ୫, ସାନକାନ୍ତି – ୨୦, ବଡ଼ କାନ୍ତି – ୪, ମାଠପୁଳି – ୨୦, ବଡ଼ବରା – ୧୬, ସାନବରା – ୨୦, ସାନପିଠା – ୧୦, ଗଜା – ୫, ବଡ଼ସାନ ଆରିସା – ୧୬, ପଣସୁଆ – ୪, ବଡ଼ ଡାଳିମ୍ବ – ୪, ବଡ଼ କାକରା – ୮, ବଡ଼ ନାଡ଼ି – ୪, ଘି ନାଡ଼ି – ୪, ବଡ଼ ଆରିସା – ୮, ସାନ କାକରା – ୨୦, ସାନ ଡାଳିମ୍ବ – ୧୨, ବଡ଼ ଅମାଲୁ – ୨୨, ପନ୍ତିଭୋଗ ବାବଦ କୋରା – ୮୦, ମଣ୍ଡା ଏଣ୍ଡୁରୀ – ୮୦, କଦଳୀ ବଡ଼ା – ୧୨, ପଣସ (ସରା) – ୧୨, ଧୂଆମୁଗ ସରା – ୧୨, ପଇଡ଼ – ୧୨, ଖଇସରା – ୨୪, ପଣା ତିନିଗୋଟା, କାନିକା – ୨୩ କୁଡୁଆ, ଓରିଆ – ୧୦, କ୍ଷୀରି – ୪, କ୍ଷୀରିସା ସାକରା – ୪ ମୂର୍ତ୍ତି ଓ ମୁଗ – ୪।
ଏଠାରେ ସୂଚନାଯୋଗ୍ୟ ଯେ ଉପରୋକ୍ତ ଭୋଗ ତାଲିକା ଦେଉଳ କରଣଙ୍କ ପାଖରେ ଥିବା ତାଲିକାରେ ସାମାନ୍ୟ ଅମେଳ ହେଉଅଛି। ଏତଦ୍ ବ୍ୟତୀତ ସୂପକାରମାନେ ବିଭିନ୍ନ ବରାଦି ତଥା ବିକ୍ରୟ ନିମିତ୍ତ ଅନେକ ପ୍ରକାରର ଭୋଗ ଦ୍ରବ୍ୟ ରନ୍ଧନ କରି ଏହି ଧୂପରେ ଭୋଗ କରାଇଥାନ୍ତି। ସମସ୍ତ ଭୋଗଦ୍ରବ୍ୟ ସ୍ନାନମଣ୍ଡପକୁ ଆସିବା ପରେ ମହାପ୍ରଭୁଙ୍କ ବାଡ଼ରେ ପ୍ରସାଦ ଲାଗି ବଢ଼େ ଏବଂ ଦୈନନ୍ଦିନ ସକାଳ ଧୂପ ବିଧି ଭଳି ପୂଜାପଣ୍ଡାମାନେ ଷୋଡଶ ଉପଚାରରେ ଏହି ପୂଜା କରିଥାନ୍ତି। ପୂଜା ଶେଷ ଓ ପାଣି ପଡ଼ିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ। ବନ୍ଦାପନା ନୀତି ଶେଷ ହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା ଦର୍ଶନ ହୋଇଥାଏ। ଦର୍ଶନାର୍ଥୀ ତଥା ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଶ୍ରୀଜୀଉମାନଙ୍କର ପବିତ୍ର ତଥା ଆକର୍ଷଣୀୟ ହସ୍ତୀ ବେଶ ଦର୍ଶନ କରି ଅପାର ଆନନ୍ଦ ପାଇଥାନ୍ତି।
ସର୍ବସାଧାରଣ ବା ସାହାଣମେଲା ଦର୍ଶନ ସରିବା ପରେ ଠାକୁରମାନଙ୍କ ବେଶ ଓ ଲାଗି ହୋଇ ମଇଲମ ବଢ଼େ। ଏହା ପୁଷ୍ପାଞ୍ଜଳି ଓ ଡୋରଲାଗି ହୋଇଥାଏ। ବିଜେ କାହାଳୀ ବାଜିଲେ ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଗୋଟି ପହଣ୍ଡିରେ ଅଣସର ଗୃହକୁ ବିଜେ କରାଯାଇଥାଏ। ସୂଚନାଯୋଗ୍ୟ ଯେ ଠାକୁରଙ୍କ ପହଣ୍ଡିର ଯଥେଷ୍ଟ ପୂର୍ବରୁ ଭିତର କାଠ ଠାରୁ କଳାହାଟ ଦ୍ୱାର ସମ୍ମୁଖସ୍ତ ବଲ୍ଲଭ ପିଣ୍ଡି ପର୍ଯ୍ୟନ୍ତ ବାଉଁଶ ତାଟି ସାହାଯ୍ୟରେ ଏକ ଅଣସର ଗୃହ ନିର୍ମିତ କରାଯାଇଥାଏ। ସମସ୍ତ ଠାକୁର ବାହୁଡ଼ା ପହଣ୍ଡି ବିଜେ କରି ଅଣସର ଗୃହରେ ଅବସ୍ଥାନ କରିବା ପରେ ସ୍ନାନଯାତ୍ରାର ପରିସମାପ୍ତି ଘଟିଥାଏ।
(ସୌଜନ୍ୟ: ଏସ୍ବି ପବ୍ଲିକେସନସ୍ ପକ୍ଷରୁ ପ୍ରକାଶିତ ‘ଶ୍ରୀ ଜଗନ୍ନାଥ ସଂସ୍କୃତି’)