ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବଡ଼ଠାକୁରଙ୍କ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା। ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, “ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ। କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।”

ଅଣବସର ଏକାଦଶୀ ଅର୍ଥାତ ଜୁନ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗରେ ଲାଗି ହେବାକୁ ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକକୁ ଶ୍ରୀମନ୍ଦିର ଗାରଦ ଘରେ ରଖାଯାଇଥିଲା। ତେବେ ବଡ଼ଠାକୁରଙ୍କଠାରେ ମୋଦକ ଲାଗିବା ପୂର୍ବରୁ ଏହା ଚୋରି ହୋଇଯାଇଥିବା ନେଇ ମଙ୍ଗଳବାର ଦିନ ଅଭିଯୋଗ ଆସିଥିଲା।

ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଠିଛି ଲେଖି ଏହି ଘଟଣାର ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଥିଲେ। ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି, ଅଣବସର ଏକାଦଶୀରେ ମହାପ୍ରଭୁଙ୍କ ସର୍ବାଙ୍ଗରେ ଲାଗି ହେବାକୁ ଆସିଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ରହିଥିବା ଦେଖିବାକୁ ମିଳିଥିଲା। ମାରା ହୋଇଯାଇଥିବା ମୋଦକକୁ କିପରି ବଡ଼ଠାକୁରଙ୍କୁ ସମର୍ପଣ କରାଗଲା ବୋଲି ସେ ଏହି ଚିଠରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି କିଏ କେତୋଟି ମୋଦକ ପ୍ରଦାନ କରିଛନ୍ତି ତା’ର ହିସାବ ସେ ଏହି ଚିଠିରେ ଦେଇଛନ୍ତି।

ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, “ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ। ଠାକୁରଙ୍କ ମୋଦକର ଗଣତି କରାଯାଏ ନାହିଁ। ମୋଦକ ଠାକୁରଙ୍କୁ ଲାଗି ହେବା ପୂର୍ବରୁ ଚୋରି ହୋଇଥିବା ନେଇ ଯେଉଁ ମିଥ୍ୟା ଖବର ଆସିଛି, ସେ ସମ୍ପର୍କରେ ମୁଖ୍ୟ ପ୍ରଶାସକ ସ୍ପଷ୍ଟିକରଣ ଦେଇ ସାରିଛନ୍ତି। ଯେଉଁମାନେ ଏଭଳି କଥା କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି, ତଦନ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, ଏହି ଘଟଣାର ତଦନ୍ତ ଜାରି ରହିଛି। ମୋଦକ ଚୋରି ହୋଇଥିବା ନେଇ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନଥିବା ପ୍ରାରମ୍ଭିତ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ଶେଷ ହେବା ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Tags: #DasamulaModak #ShreeJagannath #ShriJagannathTemple #Odisha

Comment