ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ମହାପ୍ରସାଦ ପର୍ଯ୍ୟନ୍ତ ସବୁକିଛି ସ୍ଵତନ୍ତ୍ର। ସେହିପରି ତାଙ୍କ ବସ୍ତ୍ର ଆଭୂଷଣରେ ମଧ୍ୟ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ବୈଦିକ ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ ସାତ ଗୋଟି ଗ୍ରହର ରଙ୍ଗ ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସପ୍ତାହର ସାତ ଦିନରେ ସାତ ରଙ୍ଗର ବସ୍ତ୍ର ପିନ୍ଧା ଯାଇଥାଏ।

ପ୍ରତିଦିନ ଅବକାଶ ନୀତି ବଢ଼ିବା ପରେ  ୩ ଜଣ ପାଳିଆ ପୁଷ୍ପାଳକ ବଡ଼ଠାକୁର ଶ୍ରୀ ବଳଭଦ୍ର , ମା’ ସୁଭଦ୍ରା , ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଶ୍ରୀ ସୁଦର୍ଶନ , ଶ୍ରୀ ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କୁ ବସ୍ତ୍ର ଲାଗି କରିଥାନ୍ତି। ଏହି ସମୟରେ ଚାଙ୍ଗଡ଼ା ମେକାପ ବାରଲାଗି ଲୁଗା ଯୋଗାଇଥାନ୍ତି।

ବିଭିନ୍ନ ଦିନ ଅନୁଯାୟୀ ଶ୍ରୀଜୀଉମାନେ  ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି। ତେବେ ବାର ଅନୁଯାୟୀ କେଉଁ କେଉଁ ପାଟ ପରିଧାନ କରିଥାନ୍ତି ତାହା ନିମ୍ନରେ ଉଲେଖ କରାଗଲା-ରବିବାର– ରବିବାରକୁ ସୂର୍ଯ୍ୟଙ୍କ ବାର ବୋଲି କୁହାଯାଏ। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରବିଙ୍କର ବର୍ଣ୍ଣ ଲାଲ। ତେଣୁ ରବିବାର ଦିନ ଶ୍ରୀଜୀଉଙ୍କୁ ନାଲି ରଙ୍ଗର ପାଟ ପିନ୍ଧାଯାଏ।

ସୋମବାର– ସୋମବାର ଦିନ ଚନ୍ଦ୍ରମାଙ୍କ ରଙ୍ଗ ଅନୁଯାୟୀ ମହାପ୍ରଭୁଙ୍କୁ ଶୁକ୍ଳ ଛିଟ ରଙ୍ଗର ପାଟ ପିନ୍ଧାଯାଏ।

ମଙ୍ଗଳବାର– ମଙ୍ଗଳ ଗ୍ରହ ହେଉଛନ୍ତି ପଞ୍ଚରଙ୍ଗ ବିଶିଷ୍ଟ। ତେଣୁ ଏହି ଦିନ ବିଗ୍ରହମାନଙ୍କୁ ବାରପାଟିଆ ପାଟ ପିନ୍ଧା ଯାଇଥାଏ।

ବୁଧବାର- ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧଙ୍କ ରଙ୍ଗ ହେଉଛି ଶାଗୁଆ ବର୍ଣ୍ଣ। ତେଣୁ ବୁଧବାର ଦିନ ମହାପ୍ରଭୁ ଶାଗୁଆ/ନୀଳ ରଙ୍ଗର ପାଟରେ ଶୋଭା ପାଆନ୍ତି।ଗୁରୁବାର– ଗୁରୁ ବା ବୃହସ୍ପତିଙ୍କ ବର୍ଣ୍ଣ ହଳଦିଆ ହୋଇଥିବାରୁ ଏହି ଦିନ ଶ୍ରୀବିଗ୍ରହ ହଳଦିଆ ରଙ୍ଗର ପାଟ ପରିଧାନ କରନ୍ତି।

ଶୁକ୍ରବାର– ଶୁକ୍ର ଗ୍ରହ ହେଉଛନ୍ତି ଧଳା ବର୍ଣ୍ଣ। ତେଣୁ ଶୁକ୍ରବାର ଦିନ ମହାପ୍ରଭୁଙ୍କୁ ଶୁକ୍ଳ ରଙ୍ଗର ପାଟ ପିନ୍ଧାଇ ବେଶ କରାଯାଏ।

ଶନିବାର– ଶନି ଗ୍ରହଙ୍କ ରଙ୍ଗ ହେଉଛି କଳା। ତେଣୁ ଏହି ଦିନ ମହାପ୍ରଭୁ କଳା ରଙ୍ଗର ପାଟ ପିନ୍ଧିଥାନ୍ତି।

Comment