ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୭ରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ। ଏହା ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ ବସିଛି। ନାଗାର୍ଜୁନ ବେଶ ଦିନ ମନ୍ଦିର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ କୋଭିଡ୍ କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦେଖିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ନାଗାର୍ଜୁନ ବେଶ ଦିନ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟାଯିବ। ଏହି ସମୟରେ ବେଶ ଉପକରଣଗୁଡ଼ିକୁ ମନ୍ଦିର ଭିତରକୁ ନିଆଯିବ। ଏହି ଦିନ ଶ୍ରୀମନ୍ଦିର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। କୋଭିଡ୍ କଟକଣା ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିପାରିବେ ନାହିଁ। କେବଳ ଅନୁମତି ପାଇଥିବା ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।

ଯଦି କୌଣସି ଲୋକ ସେବାୟତ ବେଶ ଧରି ମନ୍ଦିର ଭିତରକୁ ଯିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେହିପରି ମନ୍ଦିର ଭିତରକୁ ମୋବାଇଲ୍ ନେବାକୁ ମନା ହୋଇଛି। ମୋବାଇଲ ଚେକିଂ ପାଇଁ ଏକ ସ୍ଵତନ୍ତ୍ର ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି।କ୍ରିଷନ କୁମାରଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ବସିଥିବା ଶ୍ରୀମନ୍ଦିର ପରିଚାଳନା ସମିତିର ନିଷ୍ପତ୍ତି କ୍ରମେ ଅନ୍‌ଲାଇନ୍ ଦାନ ଉପରେ ଗୁରୁତ୍ଵ ଦିଆଯାଇଛି। ଦେଶ ବାହାରେ ରହୁଥିବା ଲୋକମାନେ ଅନ୍‌ଲାଇନ୍ ମାଧ୍ୟମରେ ମହାପ୍ରଭୁଙ୍କ ପାଇଁ  ଯେପରି ଦାନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ତେବେ ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ କି ନା ସେ ବିଷୟରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ ବୋଲି କ୍ରିଷନ କୁମାର କହିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ଶ୍ରଦ୍ଧାଳୁମାନେ ଯେମିତି ଠାକୁରଙ୍କୁ ଦର୍ଶନ କରୁଛନ୍ତି ତାହା ଚାଲୁ ରହିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ନାଗାର୍ଜୁନ ବେଶ ଦିନ କେଉଁ ସବୁ କଟକଣା ରହିବ ସେନେଇ ତର୍ଜମା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

Comment