ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରବିବାର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହାପରେ ମହାପ୍ରଭୁ ଅଣସର ଘରେ ରହିବେ।

ରବିବାର ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ନୀତି ଚାଲିଥିବାବେଳେ ଜଣେ ସେବାୟତଙ୍କ ଗୋଡ଼ରୁ ରକ୍ତ ଝରି ସ୍ନାନ ମଣ୍ଡପରେ ପଡ଼ିବାରୁ ନୀତିରେ ବିଳମ୍ବ ହୋଇଥିଲା। ଏହାପରେ ଦୁଇଘଣ୍ଟା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା।

ସ୍ନାନ ପୂର୍ଣ୍ଣିମା ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ। ମହାସ୍ନାନ ପରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ଗଜ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ।

ଅନ୍ୟପଟେ ସ୍ନାନ ପୂର୍ଣ୍ଣିମାରେ ରାଜସ୍ଥାନର ଜଣେ ଭକ୍ତ ଦର୍ଶନ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହପରି ସ୍ନାନ ନୀତି ଚାଲୁଥିବାବେଳେ ଜଣେ ବିଦେଶୀ ବାଇଶି ପାହାଚକୁ ଚଢ଼ି ଯାଇଥିବାର ଦେଖା ଯାଇଥିଲା।

ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ମନ୍ଦିର ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରଯାଇଥିଲା।

ଏବେ ଗଜ ବେଶ ନୀତି ସରିବାପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ। ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବା ପରେ ମହାପ୍ରଭୁ ରଥ ଯାତ୍ରା ଦିନ ରଥରେ ବସି ମଉସୀ ଘର ଗୁଣ୍ଡିଚା ମନ୍ଦିରକୁ ଯିବେ।

Tags: #ShriMandira #ShrikhetraPuri #SnanaPurnima #ShriJagannath

 

Comment