ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହେଉଛି ଦଶହରା ପର୍ବ। ମଙ୍ଗଳବାର ଦଶହରା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ସୁନାବେଶ। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ପ୍ରସ୍ତୁତି କରାଯାଇଛି।

ମଙ୍ଗଳବାର ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା ହୋଇଥିଲା। ଏହାପରେ ଭିତର ବେଢ଼ା ପରିକ୍ରମା କରି ମହାପ୍ରଭୁ ହସ୍ତରେ ଆୟୁଧ ଧାରଣ କରିଛନ୍ତି। ଏବେ ଅପରାହ୍ଣରେ ଅବକାଶ ନୀତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ।

ବିଜୟାଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣଙ୍କୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ। ଏହାରି ସ୍ମୃତିରେ ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ।

ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ସମସ୍ତେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।   

ବର୍ଷରେ ମହାପ୍ରଭୁଙ୍କ ୫ଟି ସୁନାବେଶରୁ ଶ୍ରୀମନ୍ଦିରରେ ୪ଟି ହୋଇଥାଏ। ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ଫଗୁ ଦଶମୀ ଓ ଦୋଳପୁର୍ଣ୍ଣିମାରେ ଶ୍ରୀମନ୍ଦିର ଭିତରେ ସୁନାବେଶ ହେଉଥିବାବେଳେ ବାହୁଡ଼ା ଯାତ୍ରାର ପରଦିନ ରଥ ଉପରେ ସୁନାବେଶ ହୋଇଥାଏ।

Tags: #SriMandira #Sunabesa #LordJagannath #Dashara #VijayaDashami #DurgaPuja #Festival #Celebration #Odisha

LEAVE A REPLY

Please enter your comment!
Please enter your name here