ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଅପେକ୍ଷା କରିବାକୁ ପଡ଼ିଥିଲା ନୟାଗଡ଼ ଜିଲ୍ଲାର ଜନସାଧାରଣଙ୍କ ପାଇଁ କେବେ ଗଡ଼ିବ ରେଳ। ଜୁନ୍ ୧୯ ତାରିଖ ନୟାଗଡ଼ବାସୀଙ୍କ ପାଇଁ ମନେରଖିବା ଭଳି ଦିନ। ଭିଡିଓ କନଫରେନ୍‌ସିଂ ଯୋଗେ ରେଳ ମନ୍ତ୍ରୀ ଦିଲ୍ଲୀରୁ ନୟାଗଡ଼କୁ ରେଳ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥର ଅଂଶବିଶେଷ ନୟାଗଡ଼ ଜିଲ୍ଲା ଭାରତର ରେଳ ମାନଚିତ୍ରରେ ସ୍ଥାନ ପାଇବା ଯେତିକି ଖୁସି ଆଣିବ, ଏହି ରେଳପଥର ଇତିହାସକୁ ଖୋଜିଲେ ସେତିକି ନିରାଶ ହେବାକୁ ପଡ଼ିବ। ଯଦି ଭାରତର ରେଳ ଇତିହାସରେ ସର୍ବାଧିକ ଅବହେଳିତ ରେଳଲାଇନକୁ ଖୋଜିବେ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ ହିଁ ପ୍ରଥମେ ନଜରକୁ ଆସିବ।

ବୋଲଗଡ଼ରୁ ନୟାଗଡ଼ ୧୩ କିମି ବିଶିଷ୍ଟ ରେଳଲାଇନକୁ ଲୋକାର୍ପଣ କରିବା ବ୍ୟତୀତ ପ୍ରଭୁ ନୟାଗଡ଼ ଟାଉନ ଷ୍ଟେସନକୁ ମଧ୍ୟ କ୍ଲିକ୍‌ କରି ଉଦ୍‌ଘାଟନ କରିଛନ୍ତି। ବର୍ତ୍ତମାନ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସଦରମହକୁମା ପରସ୍ପର ସହିତ ଯୋଡ଼ି ହୋଇଛନ୍ତି।

ଏହି ୧୩ କିମି ବିଶିଷ୍ଟ ରେଳଲାଇନର ବିଶେଷତ୍ୱ ହେଉଛି ଯେ ଛୋଟ ବଡ଼ ୨୮ଟି ପୋଲ ନିର୍ମାଣ କରାଯାଇଛି ଓ ରେଳ ଲାଇନଟି ୧୩ଟି ଗାଁ ରାସ୍ତା ଦେଇଯାଉଛି। ପ୍ରାୟ ୨୭୦ ଏକର ଜମି ଏଥିପାଇଁ ଅଧିଗ୍ରହଣ କରାଯାଇଛି।

ନୟାଗଡ଼ ପର୍ଯ୍ୟନ୍ତ ରେଳଲାଇନ ପଡ଼ିବା ପରେ ବର୍ତ୍ତମାନ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନର ଅବଶିଷ୍ଟ କାମ ଆଗେଇ ଚାଲିବ। ୧୯୯୪ରେ ଏହି ୨୮୯ କିମି ରେଳଲାଇନକୁ ମଞ୍ଜୁରୀ ମିଳିଥିଲା ସତ ହେଲେ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଏହା ଆଗକୁ ବଢ଼ିବାରେ ଅସମର୍ଥ ହୋଇଥିଲା। ନୟାଗଡ଼ ପର୍ଯ୍ୟନ୍ତ ରେଳ ଚାଲିବା ଫଳରେ ଖୋର୍ଦ୍ଧା ରୋଡ, ବେଗୁନିଆ, ବୋଲଗଡ଼ ଓ ନୟାଗଡ଼ ଏବେ ସଂଯୁକ୍ତ ହୋଇଛନ୍ତି।

ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାକିତକ କାମ କରିବାକୁ ଆଉ ବିଳମ୍ବ ହେବ ନାହିଁ। ତେବେ ସମସ୍ୟା ହେଉଛି ଜମି। ରେଳ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ଯେ ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ପାଇଁ ୩୦୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବତଟ ରେଳ ଅଧିକାରୀଙ୍କ ସହ ଓଡ଼ିଶାଲାଇଭର ଆଲୋଚନା ବେଳେ ଜଣାପଡ଼ିଛି ଯେ ୨୦୨୧ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ କାମ ଶେଷ ହେବ।

ପ୍ରସଙ୍ଗଟିକୁ ଆହୁରି ଅଧିକ ଗଭୀର ଭାବରେ ଦେଖିଲେ ଜଣାପଡ଼ିବ ଯେ କେନ୍ଦ୍ର ସରକାର ଓଡ଼ିଶାର ରେଳ ବିକାଶ ପାଇଁ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ରେଳପଥର ସମ୍ପ୍ରସାରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବାବଦକୁ ଢ଼େର ଅର୍ଥ ଖର୍ଚ୍ଚ ହୋଇଛି। ରାଜ୍ୟରେ ବର୍ତ୍ତମାନ ୩୪ଟି ରେଳ ପ୍ରକଳ୍ପ ଚାଲିଛି। ଗତ ଚାରି ବର୍ଷ ମଧ୍ୟରେ ଓଡିଶାର ରେଳ ବିକାଶ ପାଇଁ ୧୪ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଗାମୀ ଦିନରେ ଆହୁରି ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା କଥା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଶା କରାଯାଉଛି ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ଠିକଣା ବାଟରେ ଚାଲିବ।

LEAVE A REPLY

Please enter your comment!
Please enter your name here