ସାରା ଦେଶ ପାଳିଲା ଅନ୍ତର୍ଜାତୀୟ ଯୋଗ ଦିବସ।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହି ମୂଲ୍ୟବାନ ସମ୍ପଦକୁ ଦୀର୍ଘାୟୁ କରିବା ପାଇଁ ଯୋଗ ହେଉଛି ଏକମାତ୍ର ମାଧ୍ୟମ।

କର୍ମମୟ ଜୀବନ ମଧ୍ୟରୁ ଅଳ୍ପ କିଛି ମୁହୂର୍ତ୍ତ ବାହାର କରି ପ୍ରତିଦିନ ସକାଳୁ ଯୋଗ କରିବା ପାଇଁ ବହୁ ବିଶେଷଜ୍ଞମାନେ ମତ ଦିଅନ୍ତି। ଏଣୁ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ୨୦୧୫ରୁ ଜୁନ୍‍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି।

ଏହି କ୍ରମରେ ବୁଧବାର ସାରା ବିଶ୍ୱ ପାଳନ କରିଛି ତୃତୀୟ ଅନ୍ତର୍ଜାତୀୟ ଯୋଗ ଦିବସ। ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରିଥିବା ବେଳେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଶିବିରରେ ଯୋଗ କରିଛନ୍ତି।

ଜନତା ମଇଦାନରେ ଆୟୋଜିତ ଯୋଗ ଶିବିରକୁ ଶ୍ରୀ ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ଏହି ଶିବିରରେ ଶତାଧିକ ଲୋକ ସାମିଲ ହୋଇ ଯୋଗ କରିଥିବା ଦେଖିବାକୁ ମିଳିଥିଲା। ଜନତା ମଇଦାନର ବିସ୍ତୀର୍ଣ୍ଣ ପଡ଼ିଆରେ ଲୋକେ ଆସନ ଉପରେ ବସି ବିଭିନ୍ନ ପ୍ରକାରର ଯୋଗ କରିଥିଲେ।

ଖାଲି ସେତିକି ନୁହେଁ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଯୋଗ ଦିବସ ଉପଲକ୍ଷେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ଜୟଦେବ ଭବନଠାରେ ଉଦ୍‍ଘାଟନ କରିଛନ୍ତି। ଜାତୀୟ ଆୟୁଷ ମିଶନ ସହାୟତାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,  ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଯୋଗ ଦିବସର ମହତ୍ତ୍ୱ ଉପରେ ଉଦ୍‌ବୋଧନ ଦେଇଥିଲେ।

ସେହିପରି ପୁରୀର ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଯୋଗ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିଥିଲେ। ଏହି ବାଲୁକା କଳାକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା।

ଲକ୍ଷ୍ନୌରେ ଆୟୋଜିତ ଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଟ୍ରାଉଜର ଏବଂ ହାଲକା ଟି ସାର୍ଟ ପିନ୍ଧି ପ୍ରାୟ ୨୦ ମିନିଟ୍‍ ପର୍ଯ୍ୟନ୍ତ ଯୋଗାଭ୍ୟାସ କରିଥିଲେ। ଲକ୍ଷ୍ନୌ ବ୍ୟତୀତ ଦେଶର ଦିଲ୍ଲୀ, ଅହମ୍ମଦାବାଦ ଭୋପାଳ, ଗୌହାଟୀ, ଡେରାଡୁନ୍‍, ଚଣ୍ଡିଗଡ଼ ଭଳି ସହରରେ ମଧ୍ୟ ଯୋଗ ଶିବିର ଆୟୋଜନ କରାଯାଇଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଆୟୋଜିତ ଯୋଗ ଶିବିରରେ ଯୋଗ କରିଥିବା ବେଳେ ୨୦୧୬ରେ ଚଣ୍ଡିଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ।

ଯୋଗ ସାଧନା ଭାରତ ଇତିହାସର ଏକ ପ୍ରମୁଖ ଅଙ୍ଗ। ପୂର୍ବ କାଳରେ ମୁନିଋଷିମାନେ ଏହି ସାଧନା ଦୀର୍ଘ ସମୟ ଧରି କରି ଆସୁଥିଲେ। ଏହି ଧାରାକୁ ଅବ୍ୟାହତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ସେପ୍ଟେମ୍ବର ୨୭ରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇଥିଲେ। ଏଥିରେ ଜାତି ସଂଘର ୧୯୩ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଫଳରେ ୨୧ ଜୁନ୍‌କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ସେହିଦିନ ଘୋଷଣା କରାଯାଇଥିଲା। ସେହିଦିନରୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରେ ଜୁନ୍‍ ୨୧ରେ ଯୋଗ ଦିବସ ଆୟୋଜନ କରାଯାଇ ଆସୁଛି। ବିଶ୍ୱର ପ୍ରାୟ ୧୮୦ଟି ଦେଶ ଯୋଗ ଦିବସ ପାଳନ କରୁଥିବା ଜଣାପଡ଼ିଛି।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here