ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଏମ୍‌ଟି ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ତଥା ଗୋଆ ଆଇଆଇଟିର ବର୍ତ୍ତମାନ ନିର୍ଦ୍ଦେଶକ ଥିବା ଡକ୍ଟର ବରଦାକାନ୍ତ ମିଶ୍ରଙ୍କ ପାଲଟା ପ୍ରଶ୍ନକୁ ନେଇ ଏବେ ଅଡ଼ୁଆରେ ସିବିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ସିବିଆଇ ଯେଉଁ ଏତଲା ଦେଇ ତଦନ୍ତ ଆରମ୍ଭ କରିଛି, ତା’ ପଛରେ ଦେଶର ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ମନ୍ଦ ଉଦ୍ଦେଶ୍ୟକୁ ପ୍ରଫେସର ମିଶ୍ର ସିଧା ଆଙ୍ଗୁଠି ଉଠାଇଛନ୍ତି।

ନିକଟରେ ବରଦାକାନ୍ତଙ୍କ ଗୋଆସ୍ଥିତ ବାସଭବନ, ଭୁବନେଶ୍ୱରସ୍ଥିତ ପୈତୃକ ଘର ଏବଂ ତାଙ୍କ ଭାଇ ପ୍ରଫେସର ଧନଦାକାନ୍ତ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଘର ଉପରେ ସିବିଆଇ ପକ୍ଷରୁ ଏକକାଳୀନ ଚଢ‌ଉ ହୋ‌ଇଥିଲା। ସିବିଆଇ ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ ୨୦୦୫ ମସିହା ବେଳକୁ ପ୍ରଫେସର ମିଶ୍ର ଓ ତାଙ୍କ ସ୍ତ୍ରୀ ଉଭୟଙ୍କର ସମ୍ପତ୍ତିର ଆନୁମାନିକ ମୂଲ୍ୟ ମାତ୍ର ୩.୭୯ ଲକ୍ଷ ଥିବା ବେଳେ ବର୍ତ୍ତମାନ ତାହା ୧ କୋଟି ୧୪ ଲକ୍ଷ ଟପିଯାଇଛି। ଏହି ଅର୍ଥ ପ୍ରଫେସର ମିଶ୍ର ଆୟ ବହିର୍ଭୂତ ରାସ୍ତାରୁ ଅର୍ଜନ କରିଛନ୍ତି ବୋଲି ପ୍ରଶ୍ନ ଉଠାଇ ସିବିଆଇ କେସ୍‌ ଚାଲୁ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସିବିଆଇର ଏତଲା କପି ଅନୁଯାୟୀ ମୂଳ ଅଭିଯୋଗ ‘ଓରାଲ୍‌ ସୋର୍ସ’ରୁ ଆସିଛି। ଅର୍ଥାତ୍‌ କେହି ଜଣେ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ଏହି ବ୍ୟକ୍ତି କିଏ ଏବଂ ସିଏ କି ଉଦ୍ଦେଶ୍ୟ ରଖି ଅଭିଯୋଗ କରିଛନ୍ତି ତାକୁ ଭଲ ଭାବେ ପରୀକ୍ଷା ନକରି ସିବିଆଇ ଭଳି ଏକ ଜାତୀୟ ସ୍ତରୀୟ ତଦନ୍ତକାରୀ ସଂସ୍ଥା ନେଇଥିବା ଆଇନ୍‌ଗତ ପଦକ୍ଷେପକୁ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ବୋଲି ଡକ୍ଟର ମିଶ୍ର ଗଣମାଧ୍ୟମକୁ କହିଛନ୍ତି।

ପ୍ରଫେସର ବରଦାକାନ୍ତ ମିଶ୍ର ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ସେ ଓ ତାଙ୍କ ସ୍ତ୍ରୀ ଦୀର୍ଘ ବର୍ଷ ଆମେରିକାରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଫେସର ମିଶ୍ର ଆଇଆଇଟି କାନପୁରରେ ଅଧ୍ୟାପନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଇଆଇଏମ୍‌ଟିରେ ଅତି ସଫଳତାର ସହ କାର୍ଯ୍ୟ କରି ସେ ନିକଟରେ ଆଇଆଇଟି ଗୋଆର ପ୍ରଥମ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି। ତାଙ୍କ ସାମାଜିକ ସମ୍ମାନକୁ ଜାଣିଶୁଣି କ୍ଷୁର୍ଣ୍ଣ କରିବା ପାଇଁ ଏହା ଏକ ହୀନ ଚକ୍ରାନ୍ତ ବୋଲି ସେ ବର୍ଣ୍ଣନା କରିଛନ୍ତି।

“ଆମର ମୋଟ୍ ସମ୍ପତ୍ତିର ମୂଲ୍ୟ ୨୦୦୫ ମସିହାରେ ୩.୭୯ ଲକ୍ଷ ବୋଲି କିଭଳି ସିବିଆଇ ଅନୁମାନ କଲା ତାହା ତଦନ୍ତସାପେକ୍ଷ। ସାମାନ୍ୟ ବୁଦ୍ଧି ଥିବା ଯେ କୌଣସି ବ୍ୟକ୍ତି ଏକଥାକୁ ହୁଏତ ବିଶ୍ୱାସ କରିବ ନାହିଁ”, କହିଛନ୍ତି ପ୍ରଫେସର ମିଶ୍ର।

ପ୍ରଫେସର ବରଦାକାନ୍ତ ମିଶ୍ରଙ୍କ ସାନ ଭାଇ ଶିକ୍ଷାବିତ୍‌ ଧନଦାକାନ୍ତ ମିଶ୍ରଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ‌ଉ କରିଥିଲା। ଧନଦା ମିଶ୍ର ସିବିଆଇକୁ ଖୋଲାଖୋଲି ଚାଲେଞ୍ଜ କରିବା ସହ କହିଛନ୍ତି ଯେ ଯଦି ଏହି ଅଭିଯୋଗର କିଛି ବି ସତ୍ୟତା ରହିଛ, ତାହା ସିବିଆଇ ସର୍ବସାଧାରଣରେ ଉପସ୍ଥାପନ କରୁ। ଅଭିଯୋଗ କରିଥିବା ବ୍ୟକ୍ତି କିଏ, ତାଙ୍କୁ ସାମ୍ନାକୁ ଅଣାଯାଉ ଓ ତାଙ୍କ ସହ ମୁହାଁମୁହିଁ କଥା ହେବାକୁ ସେ ପ୍ରସ୍ତୁତ ବୋଲି ପ୍ରଫେସର ଧନଦା ମିଶ୍ର ସୋସିଆଲ୍‌ ମିଡିଆରେ ନିଜ ବକ୍ତବ୍ୟ ରଖିଛନ୍ତି।

ମିଶ୍ର ପରିବାରଙ୍କ ସିବିଆଇକୁ ଏହି ଖୋଲାଖୋଲି ଚାଲେଞ୍ଜ ଦେଶର ତଦନ୍ତ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ତଦନ୍ତ ବେଳେ ବିଭିନ୍ନ ଦିଗ ଓ ସତ୍ୟତାକୁ ନ ଖୋଳି କେବଳ ଅଭିଯୋଗ ନାଁରେ ଆଇନର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ ଉଠିଛି। ପ୍ରଫେସର ଧନଦାକାନ୍ତ ମିଶ୍ର ଗଣମାଧ୍ୟମକୁ ଉଦ୍ଦେଶ୍ୟ କରି ସୋସିଆଲ୍‌ ମିଡିଆକୁ ଲେଖିଛନ୍ତି ଯେ, “ସିବିଆଇ ଆଣିଥିବା ଅଭିଯୋଗର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ। ତେବେ ଏହି ଅଧ୍ୟାୟ ସରିବା ପରେ ଆମେ ଏ ବାବଦରେ ଏକ ମାନହାନି ମୋକଦ୍ଦମା ଦାୟର କରିବା ସହ ସିବିଆଇ ଭଳି ସଂସ୍ଥାର ତଦନ୍ତ ପ୍ରକ୍ରିୟାରେ ଯେଉଁ ମୌଳିକ ପରିବର୍ତ୍ତନ ଆବଶ୍ୟକ ସେ ବାବଦରେ ମଧ୍ୟ ଜନସ୍ୱାର୍ଥ ମାମଲା ଲାଗି ଚିନ୍ତା କରୁଛୁ।”

ଅପରାଧୀକୁ ଦଣ୍ଡ ଦେବା ପାଇଁ ଆଇନର ସୃଷ୍ଟି। ହେଲେ ଅନେକ ସମୟରେ ଏହି ଆଇନର ଛିଦ୍ର ଅନେକ ନିରପରାଧଙ୍କୁ ଅଡ଼ୁଆରେ ପକାଇବା ଘଟଣା ଆମ ଦେଶରେ କିଛି ନୂଆ ନୁହେଁ। ବିଶେଷକରି ବ୍ୟକ୍ତିଗତ ଆକ୍ରୋଶ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କିମ୍ବା କାହାର ହାତବାରିସି ହୋ‍ଇ ଅନେକ ସମୟରେ ଅନେକ ମାମଲା ପୋଲିସ ଓ କୋର୍ଟ କଚେରିରେ ରୁଜୁ ହୁଏ। ଅଭିଯୋଗର ସତ୍ୟତା ଥାଉ କି ନଥାଉ, ଅନେକଙ୍କୁ ଏଭଳି ମାମଲାରେ ଘାଣ୍ଟି ହେବାକୁ ପଡ଼େ।

ପ୍ରଫେସର ବରଦାକାନ୍ତ ମିଶ୍ର ଏବଂ ତାଙ୍କ ସାନ ଭାଇ ପ୍ରଫେସର ଧନଦାକାନ୍ତ ମିଶ୍ର ସିବିଆଇର କାର୍ଯ୍ୟଧାରାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହାର ଉତ୍ତର ଅବଶ୍ୟ ମିଳିବା ଦରକାର।

 

Comment