ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ରଥଯାତ୍ରାରୁ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ(ଓସାଫ୍‌) ଆରମ୍ଭ କରିବାକୁ ଯାଉଛି ତା’ର ଯାତ୍ରା। ଏହି ଅତ୍ୟାଧୁନିକ ତାଲିମ୍‌ପ୍ରାପ୍ତ ସୁରକ୍ଷା ବଳ ଓଡ଼ିଶାର ସଶସ୍ତ୍ର ପୋଲିସ୍‌ ବାହିନୀ ସହ ଯୋଡ଼ିହୋଇ ଓଡ଼ିଶା ପୋଲିସ୍‌ର ଏକ ପ୍ରମୁଖ ସମ୍ବଳ ହେବାକୁ ଯାଉଛି। ଓଡ଼ିଶାର ଏହି ବ୍ଲାକ୍‌ କ୍ୟାପ୍‌ କମାଣ୍ଡୋଙ୍କୁ ଭରସା କରି ରାଜ୍ୟ ସରକାର କେନ୍ଦ୍ରୀୟ ସୁରକ୍ଷା ବଳ ଉପରୁ ନିର୍ଭରଶୀଳତା କମାଇବାକୁ ଯାଉଛନ୍ତି।

ଏଣିକି କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ନିର୍ଭର କରିବନି ଓଡ଼ିଶା। କାରଣ ରାପିଡ୍‍ ଆକ୍ସନ ଫୋର୍ସ ଢ଼ାଞ୍ଚାରେ ଗଠନ ହୋଇଛି ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (ଓସାଫ୍‍)। ସାମ୍ପ୍ରଦାୟିକ ଦଙ୍ଗା, ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, କଟକ ଦଶହରା ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ବିଶାଳ ଜନସମାବେଶ ବେଳେ ଏହି ଫୋର୍ସ୍‌ ଆଇନଶୃଙ୍ଖଳା ପରିସ୍ଥିତି  ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯିବ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରୁ ଏହି ଫୋର୍ସ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବେ। ଓସାଫ୍‍ ଓଡ଼ିଶା ସଶସ୍ତ୍ର ଆରକ୍ଷୀ ବଳ ସହ ଯୋଡ଼ି ହୋଇଛି।

ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ କେ.ବି ସିଂହ କହିଛନ୍ତି ଯେ, “ଏହି ସ୍ୱତନ୍ତ୍ର ବଳ ଭୋପାଳ, ମିରଟରେ ଥିବା ରାପିଡ ଆକ୍ସନ ଫୋର୍ସ ଦ୍ୱାରା ତାଲିମ୍‍ ନେଇଛନ୍ତି। ଶୀଘ୍ର ଏବଂ ଜରୁରିକାଳୀନ ଆବଶ୍ୟକତା ପାଇଁ ଏହି ବଳକୁ ବ୍ୟବହାର କରାଯିବ”।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପୋଲିସ ୩ଟି କମ୍ପାନୀ ଗଠନ କରିଛି। ଏହି କମ୍ପାନୀକୁ ମଧ୍ୟ ପ୍ରଦେଶର ଭେପାଳଠାରେ ଥିବା ୧୦୭ ଆରଏଫ୍‍ ବାଟାଲିୟନ ଓ ଉତ୍ତରପ୍ରଦେଶର ମିରଟଠାରେ ଥିବା କେନ୍ଦ୍ରୀୟ ପୋଲିସ ବଳର ଆର୍‍ଏଫ୍‍ ଏକାଡେମୀ ଫର୍‍ ପବ୍ଲିକ ଅଡରଠାରେ ୨ ମାସ ଧରି ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି କମ୍ପାନୀ କଟକ, ବାଲେଶ୍ୱର, ରାଉରକେଲା ଆଦି ସ୍ଥାନରେ ନିୟୋଜିତ କରାଯିବ। ବିଭିନ୍ନ ପର୍ବପର୍ବାଣୀ ଏବଂ ଉତ୍ସବ, ମହୋତ୍ସବ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ଓଡ଼ିଶା ପୋଲିସକୁ ନିୟୋଜିତ କରିଥାନ୍ତି। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ଫୋର୍ସର ସହାୟତା ଲୋଡ଼ିଥାନ୍ତି। କେତେବେଳେ କେନ୍ଦ୍ରୀୟ ଫୋର୍ସ ତତକ୍ଷଣାତ୍‍ ପହଞ୍ଚିଥାନ୍ତି ତ ପୁଣି କେତେବେଳେ ଆସି ନଥାନ୍ତି। ଏହାର ଉଦାହରଣ ହେଉଛି ଭଦ୍ରକ ଦଙ୍ଗା। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଗତ ଦୁଇ ମାସ ତଳେ ଉପୁଜିଥିବା ଦଙ୍ଗାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ବଳର ସହାୟତା ଲୋଡ଼ିଥିଲେ। ମାତ୍ର ଠିକ୍‍ ସମୟରେ ଏମାନେ ଆସି ନ ଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇ ଯାଇଥିଲା।

ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ବୁଦ୍ଧିଜୀବୀମାନେ ଓଡ଼ିଶାର ସ୍ୱତନ୍ତ୍ର ବଳ ଗଠନ ପାଇଁ ମତ ଦେଇ ଆସୁଥିଲେ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ରାଜ୍ୟ ସଶସ୍ତ୍ର ବାହିନୀ ଏବଂ ଜିଲ୍ଲା ପୋଲିସ ବାହିନୀରୁ କିଛି ସଦସ୍ୟଙ୍କୁ ଏହି ଓସାଫ୍‌‍ରେ ସାମିଲ୍‍ କରାଯାଇଛି  ।

କଳା ପୋଷାକରେ ଓସାଫ୍‍ ବାହିନୀ

ସାଧାରଣତଃ ଓଡ଼ିଶା ପୋଲିସର ଅଧିକାରୀ ଓ ଯବାନ୍‌ମାନେ ଖାକି ପୋଷାକ ପିନ୍ଧୁଥିବା ବେଳେ ଓସାଫ୍‍ ବାହିନୀ ପାଇଁ କଳା ରଙ୍ଗର ପୋଷାକ ବଛାଯାଇଛି। ଏମାନେ ଓଡ଼ିଶା ପୋଲିସଠାରୁ ସ୍ୱତନ୍ତ୍ର ହୋଇଥିବାରୁ ଏମାନଙ୍କ ପୋଷାକ ମଧ୍ୟ ଭିନ୍ନ। ଏହି ବାହିନୀରେ ଏକ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି, ଦଙ୍ଗାକାରୀଙ୍କୁ ଘଉଡ଼ାଇବା ପାଇଁ ଏକ ପାଣିପକା ଗାଡିକୁ ସାମିଲ୍‍ କରାଯାଇଛି।

ରାଜ୍ୟର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍‍ ଓ ଜିଲ୍ଲା ପୋଲିସରୁ ଆବେଦନ କରିଥିବା ଯବାନଙ୍କ ମଧ୍ୟରୁ ଉଚ୍ଚତା, ଶାରିରୀକ କ୍ଷମତା, କୌଶଳ ପ୍ରଦର୍ଶନ ଭଳି ପରୀକ୍ଷା ମାଧ୍ୟମରେ ଚୟନ ହୋଇଥିବା ସଦସ୍ୟ ଏହି କଳା ପୋଷାକ ପରିଧାନ କରି ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବେ।

ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା କେମିତି ରକ୍ଷା ହେଉଛି ତାହା ଅନୁଧ୍ୟାନ କରିବା ପରେ ଏହି ବାହିନୀର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ପୋଲିସ ଡିଜି ସିଂହ ଆହୁରି କହିଛନ୍ତି ଯେ, ବର୍ତ୍ତନ ଓସାଫର ୩ଟି କମ୍ପାନୀ ଗଠନ କରାଯାଇଛି। ଏମାନେ ପ୍ରଥମ ପର୍ଯ୍ୟାୟରେ କଟକ, ବାଲେଶ୍ୱର ଏବଂ ରାଉରକେଲାରେ ରହିବେ। ପ୍ରତି କମ୍ପାନିରେ ୧୦୮ ଜଣ ସଦସ୍ୟ ରହିଛନ୍ତି। ପ୍ରଥମେ ରଥଯାତ୍ରାରେ ଏମାନଙ୍କୁ ନିୟୋଜିତ କରାଯାଇଛି। ଏଠାରେ ସେମାନେ କେମିତି ଶାନ୍ତିଶୃଙ୍ଖଳା ରକ୍ଷା କରୁଛନ୍ତି ତା’ ଉପରେ ନଜର ରଖାଯିବ।

LEAVE A REPLY

Please enter your comment!
Please enter your name here