ଭାସ୍କର ପରିଛା

ଓଡ଼ିଶାରେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ସର୍ବଶେଷ ସ୍ଥିତି କ’ଣ? ଗୋଟିଏ ଶବ୍ଦରେ କହିଲେ ‘ଗୁରୁତର’। 

ଦଳ ଏବେ କୁଆଡ଼େ ଯାଉଛି ସେ କଥା କେହି ଜାଣିନାହାନ୍ତି, ଦଳର ଉପ-ସଭାପତି (ଓ ଭାବୀ ସଭାପତି) ତ ଆଦୌ ନୁହେଁ। ଯୁକ୍ତି କରାଯାଇପାରେ ସମଗ୍ର ଦେଶରେ ଯେତେବେଳେ ୧୩୨ ବର୍ଷର ଦଳଟି ଜରାଗ୍ରସ୍ତ, ଏଠି କେମିତି ଭଲରେ ରହିବ?

ଅସଲ କଥା ହେଉଛି ଓଡିଶାରେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ସ୍ଥାନୀୟ ନେତା ଯେତେ ଦାୟୀ ନୁହନ୍ତି, ତା’ଠାରୁ ଅଧିକ ଦାୟୀ ତଥାକଥିତ ହାଇକମାଣ୍ଡ। ଗତ କିଛି ଦିନ ଧରି ଦଳ ଭିତରେ ଯେଉଁ ଛକାପଂଝା ଚାଲିଛି ତା’ରି ଉପରେ ଯଦି ଦୃଷ୍ଟି ପକାଯାଏ,ଏ କଥାଟି ସ୍ପଷ୍ଟ ହେବ।

ନିଜେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏକାଧିକ ବାର କହିଛନ୍ତି ସେ ଦିଲ୍ଲୀରେ ଓଡିଶାର ଲୋକଙ୍କ ସିପାହୀ। କିନ୍ତୁ ସିପାହୀ ଏବେ ଧୃତରାଷ୍ଟ୍ର। ସବୁ ଦେଖୁଛନ୍ତି ଓ ଶୁଣୁଛନ୍ତି ଅଥଚ ଅଟଳ ମହାମେରୁ।

ଓଡ଼ିଶାରେ ଦଳ ଭିତରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ଓ ନେତାମାନେ ଜଣକ ପରେ ଜଣେ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଅଥଚ ସମସ୍ତେ ନୀରବଦ୍ରଷ୍ଟା। ଯଦି ଦଳ ନେତାଙ୍କୁ ରଖିପାରୁନି ନେତା କାହିଁକି ଦଳକୁ ରଖିବେ? ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ଅହରହ କଂଗ୍ରେସ ନେତା ଦଳକୁ ବାଇବାଇ କରୁଛନ୍ତି ଓ ନିଜ ସୁବିଧା ଅନୁସାରେ ବିଜେଡି କିମ୍ବା ବିଜେପିରେ ମିଶୁଛନ୍ତି। ଏହାର ତାଜା ଉଦାହରଣ ଦଳର ମୁଖପାତ୍ର ଥିବା ସୁଲୋଚନା ଦାସଙ୍କ ବିଜେଡିରେ ଯୋଗଦାନ।

ଯେତେବେଳ ଦଳର ଭବିଷ୍ୟତ ଅନ୍ଧାର, ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ କାହିଁକି ଅବା କିଏ ଠେଲିବାକୁ ଚାହିଁବ?

ଏବେ ବାଜି ଲାଗିଛି ୧୯ ଜଣ ବିଧାୟକଙ୍କ ଭବିଷ୍ୟତ କର୍ମପନ୍ଥା। ଏହି ବିଧାୟକମାନଙ୍କ ଦାବି ହେଉଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପଦରୁ ନିକାଲ ଅଥବା ଆମେ ଯିବୁ। ଯଦି ପ୍ରସାଦଙ୍କ ସ୍ଥାନରେ ଜଣେ ‘ଯୋଗ୍ୟ ଓ ସମର୍ଥ’ ବ୍ୟକ୍ତିଙ୍କୁ ରାହୁଲ ନ ବାଛୁଛନ୍ତି ସେମାନେ ଆଗାମୀ ଦିନରେ କିଛି ଗୋଟିଏ ‘ନିର୍ଣ୍ଣୟାତ୍ମକ ନିଷ୍ପତ୍ତି’ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ରାହୁଲ ଗାନ୍ଧି କେବେ ପିସିସି ସଭାପତି ଅଦଳବଦଳ ନିଷ୍ପତ୍ତି ନେବେ ସେ କଥା କହିବା କଷ୍ଟ। କାରଣ ସେ ବର୍ତ୍ତମାନ ତାଙ୍କ ଆଈଙ୍କ ପାଖରେ ଛୁଟି କାଟୁଛନ୍ତି। ଏଣେ କିନ୍ତୁ ଅବସ୍ଥା ସଙ୍ଗୀନ। ଯଦି ରାଜ୍ୟର ରାଜନୈତିକ ହାଲଚାଲ କିଛି ଇଙ୍ଗିତ କରୁଛି, ସମସ୍ତେ ନ ହେଲେ ମଧ୍ୟ ବେଶ୍ କିଛି କଂଗ୍ରେସ ବିଧାୟକ ଦଳ ଛାଡ଼ି ନବୀନ ପଟ୍ଟନାୟକଙ୍କ ସହାୟତାରେ ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି। ଏହି ଦଳ ଗୋଟିଏ ପଟେ ବିଜେଡିକୁ ସମର୍ଥନ କରିବ ଓ ଅପରପଟେ ବିଜେପିକୁ ଚାଲେଞ୍ଜ ଦେବ।

ଗତ ଏକ ମାସ ମଧ୍ୟରେ ଦଳର ୬ ଜଣ ବରିଷ୍ଠ ନେତା ଓ ୩ ଜିଲ୍ଲା ସଭାପତି ହୁଏତ ବିଜେଡି ବା ବିଜେପିରେ ମିଶି ସାରିଲେଣି। ସୁଲୋଚନାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଦୋଳ ନାୟକ, ଦୁଷ୍ମନ୍ତ ନାୟକ ଏବଂ ଯୁବ ନେତୃତ୍ୱ ଭିତରୁ ବିଶ୍ଵରଞ୍ଜନ ଓ ବବିତା ଦଳ ପରିତ୍ୟାଗ କରି ଅନ୍ୟତ୍ର ଯାଇଛନ୍ତି।

ବାରମ୍ବାର ଭେଟିବା ସତ୍ତ୍ୱେ ପିସିସି ମୁଖ୍ୟ ପରିବର୍ତ୍ତନ ପ୍ରସଙ୍ଗରେ ରାହୁଲ ମୁଣ୍ଡ ପୂରାଉ ନଥିବା ଦର୍ଶାଇ ଏହି ନେତାମାନେ  ଯଦି କିଛି କଡ଼ା ପଦକ୍ଷେପ ନିଅନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ।ପରିବର୍ତ୍ତନ ସମ୍ପର୍କରେ ରାହୁଲଙ୍କ ପ୍ରତିକୂଳ ମନୋଭାବ ଓ ତାଳିପକା ଉଦ୍ୟମ ଯୋଗୁଁ ଅବସ୍ଥା ଏପରି ହୋଇଛି ଯେ କୌଣସି ବିଧାୟକ କଂଗ୍ରେସ ଭବନ ଯାଉନାହାନ୍ତି। କେନ୍ଦ୍ର ନେତା ଆସନ୍ତୁ କି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା ହେଉ, ପ୍ରସାଦ ହରିଚନ୍ଦନ ନିଜେ ସେ ସବୁ ବୁଝାବୁଝି କରୁଛନ୍ତି।

ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହନ୍ତି, “ଏଆଇସିସି କେବେବି ଓଡ଼ିଶାକୁ ଯେଉଁଭଳି ଗୁରୁତ୍ୱ ଦେବା କଥା ଦେଇ ନାହାନ୍ତି। ଭବିଷ୍ୟତରେ ଦେବେ ତାହା ଦେଖାଯାଉ ନାହିଁ”।

ଯେତେବେଳେ ନିୟମଗିରି ବକ୍ସାଇଟ ବିରୋଧୀ ଆନ୍ଦୋଳନ ଜୋର ଧରିଥିଲା, ୨୦୧୦ ଅଗଷ୍ଟରେ ରାହୁଲ ଗାନ୍ଧି ଓଡ଼ିଶା ଆସି ସିପାହୀ କଥା ଘୋଷଣା କରି ଫେରି ଯାଇଥିଲେ। ତା’ ପରଠାରୁ ସେ ଆଉ ବେଶୀ ସମୟ ଓଡ଼ିଶା ଆସିନାହାନ୍ତି।

ଏଣେ ରାଜ୍ୟର ମୁଖ୍ୟ ବିରୋଧୀ ଦଳର ଆସନ ବିଜେପି ନେଇସାରିଲାଣି ଓ ୨୦୧୯ରେ ପରିବର୍ତ୍ତନର ମଙ୍ଗ ଧରିବାକୁ ସଜବାଜ ହେଲାଣି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here