ଭାସ୍କର ପରିଛା

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍‌ଡ ‍ଟ୍ରମ୍ପଙ୍କ ସହିତ ସର୍ବପ୍ରଥମ ଶୀର୍ଷ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହେବା ପରେ ପରେ ଆମେରିକା ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଅନେକ ପ୍ରଶ୍ନ ଓ ଆଶଙ୍କା ସୃଷ୍ଟି ହୋଇଥିଲା। ବିଶେଷକରି ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରତିଶ୍ରୁତିକୁ ଟ୍ରମ୍ପ ରକ୍ଷା କରିବେ କି ନା ସେ ସମ୍ପର୍କରେ ସନ୍ଦେହର ବାତାବରଣ ଲାଗି ରହିଥିଲା।

ଏହିସବୁ ପ୍ରଶ୍ନ, ଆଶଙ୍କା ଓ ସନ୍ଦେହ ପଛରେ କାରଣ ବି ଥିଲା। ରାଷ୍ଟ୍ରପତି ଭାବେ କାର୍ଯ୍ୟ ଆରମ୍ଭ କରି ଟ୍ରମ୍ପ୍ ଯେଉଁଭଳି ଗୋଟିକ ପରେ ଗୋଟିଏ ନିଷ୍ପତ୍ତି ନେଲେ ତାହା ପୂର୍ବ ଶାସନଠାରୁ ପୂରାପୂରି ଅଲଗା ଥିଲ। ୟୁରୋପ ସହିତ ଆମେରିକାର ସମ୍ପର୍କରେ ବ୍ୟାପକ ପରିବର୍ତ୍ତନ, ଚୀନ ଓ ପଶ୍ଚିମ ଏସିଆ କ୍ଷେତ୍ରରେ ଓବାମା ସରକାରର ନୀତି ପୂରା ଓଲଟିବା, ଏସବୁ ନୂଆ ଘଟଣା ଯୋଗୁଁ ଟ୍ରମ୍ପଙ୍କ ଶାସନ ଉପରେ ନିର୍ଭର କରି ଆଗକୁ ଯିବା ବିପଦ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା।

ତା’ଛଡ଼ା ବାଣିଜ୍ୟ କାରବାର କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ, ଭିସା ନିୟମ କଡାକଡି ଓ ଜଳବାୟୁ ପରିବର୍ତ୍ତନ ଉପରେ ଟ୍ରମ୍ପଙ୍କ ରୋକଠୋକ୍ କଥା ଯୋଗୁଁ ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସେ ଯାହାହେଉ ଉଭୟ ନେତାଙ୍କ ଭିତରେ ଯେଉଁ ଭଳି  ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଶିଖର ଆଲୋଚନା ହେଲା ସେଥିରେ ଅନେକ ଆଶଙ୍କା ଓ ସନ୍ଦେହ ଦୂର ହୋଇଛି। ବିଶେଷକରି ମୋଦି ଯେଉଁଭଳି ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କ ସହ ନିଜକୁ ମିଶାଇ ଦେଇଥିଲେ ତାହା ଉଭୟ ନେତାଙ୍କ ଭିତରେ ସମ୍ପର୍କର ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ହ୍ୱାଇଟ ହାଉସର କ୍ଷମତା କେନ୍ଦ୍ର କୁହାଯାଉଥିବା ଟ୍ରମ୍ପଙ୍କ ପରିବାର ସହିତ ମୋଦି ଯେମିତି ମିଶିଗଲେ ତାହା ଦେଖିବାର କଥା। ଉଦାହରଣ: ଭେଟଭାଟ ପୂର୍ବରୁ ଅନୁଷ୍ଠିତ ଉଦ୍ୟୋଗୀ ବୈଠକକୁ ଟ୍ରମ୍ପଙ୍କ ଝିଅ ଇଭାଙ୍କା ନିମନ୍ତ୍ରିତ ହୋଇଥିଲେ। ତାଙ୍କ ସ୍ୱାମୀ ଜ୍ରେଡ଼ କୁସ୍ନେର୍ ଅନ୍ୟ ଏକ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।

ଦୁଇ ନେତାଙ୍କ ବୈଠକ ପରେ ଗୋଟିଏ ଭଲ କଥା ହୋଇଛି ଯେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଚେତାବନୀ ଦିଆଯାଇଛି। ପାକିସ୍ତାନ ମାଟିକୁ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯେଉଁଭଳି ଭାବରେ ବ୍ୟବହାର କରାଯାଉଛି ତାହା ବନ୍ଦ ହେବା ଦରକାର ବୋଲି ଉଭୟ ପକ୍ଷ ସ୍ପଷ୍ଟ  କହିଛନ୍ତି।

ଚୀନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଉପରେ ଗୁରୁତ୍ୱ ଦିଆଯାଇଛି। ଉତ୍ତର କୋରିଆ, ପଶ୍ଚିମ ଏସିଆ ଓ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଉଭୟ ଦେଶ ମାଧ୍ୟରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହିଭଳି ଦେଖିଲେ ମୋଦି-ଟ୍ରମ୍ପ ଆଲୋଚନା ଅନେକ ପରିମାଣରେ ସଫଳ ହେବା ଦେଖାଯାଉଛି।

ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଉଭୟ  ଦେଶ ନିଜକୁ  ଅବଗତ କରାଇଥିଲେ ହେଁ, ବୈଠକ ପରେ ଯେଉଁ ଘୋଷଣାପତ୍ର ସ୍ୱାକ୍ଷର କରାଯାଇଛି ସେଥିରେ ଅନେକ ପ୍ରସଙ୍ଗ ଛାଡ଼ି ଦିଆଯାଇଛି ଅଥବା ଏହାର ସମାଧାନ ପାଇଁ ବାଟ ଖୋଜା ଯାଇ ନାହିଁ। ଉଦାହରଣସ୍ୱରୂପ, ମୁକ୍ତ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ହେବ ବୋଲି ଘୋଷଣାପତ୍ରରେ କୁହାଯାଇଛି। ଏହାର ଅର୍ଥ ଟ୍ରମ୍ପ ଶାସନ ଚାହୁଁଛି ଦ୍ୱିପାକ୍ଷିକ ବାଣିଜ୍ୟରେ ଭାରତ ସରକାର କୌଣସି ପ୍ରକାର ଅଡୁଆ ସୃଷ୍ଟି ନ କରନ୍ତୁ ଓ ଆମେରିକା ଯେଉଁ ସବୁ ବିଷୟ ଉତ୍‌‍ଥାପନ କରିଛି ଭାରତ ତାହା ମାନୁ।

ଗୋଟିଏ ପଟେ ନିଜ ସ୍ଵାର୍ଥ ରକ୍ଷା ନିମିତ୍ତ ଆମେରିକା ଆତୁର ଅଥଚ ଭାରତର ସ୍ୱାର୍ଥ ହାସଲ ପାଇଁ ଟ୍ରମ୍ପ ସରକାର ଅନିଛୁକ। ଏହା ହେଉଛି ଏକ ବିଡ଼ମ୍ବନା। H1B ଭିସା କ୍ଷେତ୍ରରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପ୍ୟାରିସ୍ ଚୁକ୍ତିକୁ ଟ୍ରମ୍ପ ଶାସନ ମାନୁନାହିଁ। ଏହାଫଳରେ ଭାରତର ହିଁ କ୍ଷତି ହେବ କାରଣ ଏ ବାବଦକୁ ବିଶେଷ ଆର୍ଥିକ ସହାୟତା ଆସିବ ନାହିଁ।

ଏଣୁ ମୋଦି-ଟ୍ରମ୍ପ ଶିଖର ବୈଠକ ଯେ ଏକ ବିରାଟ ବଡ଼ ସଫଳତା ତାହା ନୁହେଁ। କିଛି ମାତ୍ରାରେ ଭାରତ ଫାଇଦା ଉଠାଇପାରିଛି ସତ, ହେଲେ ଅନେକ ବାଟ ଯିବାକୁ ଅଛି। ମୋଟାମୋଟି, ଉଭୟ ଦେଶ ଭିତରେ ସମ୍ପର୍କରେ  ନୂଆ ଜୀବନ ସଞ୍ଚାର ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଯେଉଁ ସବୁ ମୁଣ୍ଡବ୍ୟଥା ରହିଛି ତାହାର ସମାଧାନ ପାଇଁ ଦୁଇ ଦେଶ କେତେଦୂର ଉଦ୍ୟମ ଜାରି ରଖୁଛନ୍ତି, ତାହା ଅପେକ୍ଷା କରି ଦେଖିବାର କଥା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here