ତ୍ରିଲୋଚନ ମିଶ୍ର

୧୯୮୩ ଜୁଲାଇ ୧୯ ତାରିଖ। ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନପାଇଁ ଅଗଣିତ ଭକ୍ତଙ୍କ ସମାଗମ।

ଏ ଜନଗହଳି ମଧ୍ୟରେ ଦେଖାଦେଲେ ପଦ୍ମଶ୍ରୀ ନିମାଇଁ ହରିଚନ୍ଦନ। ସାଥିରେ ଅଛନ୍ତି ବନ୍ଧୁ ସଦାଶିବ ରଥ ଶର୍ମା। ଗୌରବର୍ଣ୍ଣ ସୌମ୍ୟ ଶରୀର, ସଫେଦ ଧୋତି, ସଫେଦ ପଞ୍ଜାବି, ହରିନାମାଙ୍କିତ ମନଲୋଭା ଉତ୍ତରୀୟ, କପାଳରେ ହରିମନ୍ଦିର ଚିତା, କଣ୍ଠରେ ତୁଳସୀର ମାଳା, ହାତରେ ଦେବସେବା ପାଇଁ ଶ୍ୱେତ ଛାମର, ମୁଖରେ ସ୍ମିତହାସ୍ୟ ସହ ଗୁଣୁଗୁଣୁ ସ୍ୱରରେ ହରିନାମ ସଂକୀର୍ତ୍ତନ।

ଦେଖୁଦେଖୁ ଜନଗହଳି ମଧ୍ୟରେ ତାଙ୍କ ପାଇଁ ଆପେଆପେ ବାଟ ଖୋଲିଗଲା। ଶ୍ରୀଜୀଉଙ୍କ ସମ୍ମୁଖରେ ପହଞ୍ଚୁ ପହଞ୍ଚୁ ହାତଟେକି ଶରଣ ମାଗି ଆରମ୍ଭ କରିଦେଲେ ଚାମର ସେବା। ଅମୃତବୋଳା କଣ୍ଠରୁ ଆପେଆପେ ଝରି ଆସିଲା ଜଣାଣ ପରେ ଜଣାଣ।

ପ୍ରଭୁ ତୃପ୍ତ ହେବା ଜାଣି ଅଶ୍ରୁଭରା ଅପଲକ ନୟନରେ ଚାହିଁ ମନଖୋଲି ମନକଥା ଜଣାଇଦେଲେ- କହିଲେ ହେ ବଳିଆରଭୂଜ! ଏ ସେବକର ହସ୍ତପଦ ଅଚଳ ହେବାକୁ ବସିଲାଣି। ଶରୀର ଆଉ ସେବାକୁ ସକ୍ଷମ ହେଉନାହିଁ। ବାଡ଼ିଟିକୁ ଆଶ୍ରାକରି ବଡ଼କଷ୍ଟରେ ଶ୍ରୀମୁଖ ଦର୍ଶନକୁ ଆସୁଛି। କଣ୍ଠସ୍ୱର ମଧ୍ୟ ଧିମେଇ ଗଲାଣି। ଏଥର ଆଉ ବିଳମ୍ବ କାହିଁକି ? ପ୍ରାଣପକ୍ଷୀକୁ ଫେରାଇ ନେବା ହୁଅନ୍ତୁ। ଏ ଦାସାନୁଦାସର ଏତିକି ମାତ୍ର ମିନତି। ଆଡ଼ପ ଦର୍ଶନର ଫଳ କ’ଣ ଏ ଦୀନ ଆଶ୍ରିତକୁ ମିଳିବ ନାହିଁ?

ଭକ୍ତବତ୍ସଳ ଭଗବାନ ଭକ୍ତର ଆତୁର ଆବେଦନକୁ ଆଉ ଏଡ଼ାଇପାରିଲେ ନାହିଁ। ଅଭୟ ଦେବା ଚାହାଣୀରେ ଇସାରା ଦେଇଦେଲେ। ଭକ୍ତ ବୁଝିଗଲା। ଶେଷଥର ପାଇଁ ପ୍ରାଣର ଠାକୁରଙ୍କୁ ଆଖିପୁରାଇ ଦେଖିନେଲା। ଆଡ଼ପ ଅଭଡ଼ା ପାଇ ଛଡ଼ା ତୁଳସୀ, ଛଡ଼ା ଚନ୍ଦନ ହାତ ମୁଠାରେ ମୁଠାଇ ଧିଷରଧିରେ ଫେରିଲେ ମାଟି ମଣ୍ଡପସାହିସ୍ଥ କୁଟୀରକୁ। ଘରକୁ ଫେରି ଶୁଦ୍ଧସୌଚ ହୋଇ ପ୍ରସନ୍ନ ଚିତ୍ତରେ ହରିସ୍ମରଣ ପୂର୍ବକ ବିଛଣା ଧରିଲେ। ସେଦିନର ନିଦ୍ରା ଥିଲା ତାଙ୍କପାଇଁ ଶେଷନିଦ୍ରା। ଭକ୍ତ ତା’ର ମାଗୁଣି ପାଇଗଲା  ।

ବାହୁଡ଼ା ଦିନ ସକାଳୁ ସକାଳୁ ଖବରପାଇ ମାଟିମଣ୍ଡପସାହି ଲୋକାରଣ୍ୟ ହୋଇଗଲା। ସମସ୍ତଙ୍କ କଣ୍ଠରେ ଗୋଟିଏ କଥା ଓଡ଼ିଶା ସଂଗୀତ ଆକାଶର ଧ୍ରୁବତାରା ଆଜି ଅସ୍ତ ହୋଇଗଲେ। ଆକାଶବାଣୀ, ଦୂରଦର୍ଶନ କ୍ଷଣକ ମଧ୍ୟରେ ଏ ସମ୍ବାଦ ଘରେଘରେ ପହଞ୍ଚାଇଦେଲା। ସାରା ଓଡ଼ିଶା ସ୍ତବ୍ଧ ହୋଇଗଲା। ସବୁରି ତୁଣ୍ଡରେ ଗୋଟିଏ କଥା ବାଣୀକଣ୍ଠ ଆଉ ନାହାଁନ୍ତି। ଶ୍ରୀମନ୍ଦିରରୁ ପ୍ରାପ୍ତ ବୈଷ୍ଣବାଗ୍ନି ସଂଯୋଗରେ ସ୍ୱର୍ଗଦ୍ୱାରରେ ସେ ପଞ୍ଚତତ୍ତ୍ୱରେ ମିଶିଗଲେ। ଏଣିକି ସେପରି ଅମୃତବୋଳା କଣ୍ଠରେ ଭକ୍ତିଭାବଭରା ସଂଗୀତ ଶ୍ରବଣପାଇଁ ଆମକୁ ଅନେକ ଜନ୍ମ ଅପେକ୍ଷା କରିବାକୁ ପଡ଼ିବ  ।

ବାଣୀକଣ୍ଠ ଥିଲେ ନିଜେ ନିଜର ପୂର୍ଣ୍ଣ ପରିଚୟ। ଭକ୍ତ ଜୟଦେବ, ମା’ ମୀରାବାଈ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତ ସାଲବେଗ, ଭକ୍ତ ଦୀନକୃଷ୍ଣ, ବନମାଳୀ, ଗୋପାଳକୃଷ୍ଣଙ୍କ ଦିବ୍ୟରଚନା ସମୂହ ତାଙ୍କ କଣ୍ଠରେ ଜୀବନ୍ତ ହୋଇ ଉଠୁଥିଲେ। ଏହାହିଁ ଥିଲା ତାଙ୍କ ଗାୟନର ସ୍ୱତନ୍ତ୍ରତା  ।

ଏହି ପ୍ରଥିତଯଶା ସାରସ୍ୱତ ସାଧକଙ୍କ ଜନ୍ମ କେନ୍ଦ୍ରାପଡ଼ାରେ ୧୯୦୧ ଜୁଲାଇ ୯ ତାରିଖ ଦିନ। ପିତା ଥିଲେ ପ୍ରଜାବତ୍ସଳ ଜମିଦାର ବୃନ୍ଦାବନ ହରିଚନ୍ଦନ ଓ ପିତାମହ ଥିଲେ ପୁଣ୍ୟାତ୍ମା ରାଧଶ୍ୟାମ ନରେନ୍ଦ୍ର। ବାବା ଗୋକୁଳାନନ୍ଦ ହରିଚନ୍ଦନ ଥିଲେ ଶିଶୁ ନିମାଇଁଙ୍କ ପ୍ରଥମ ସଂଗୀତ ଶିକ୍ଷାଗୁରୁ।

ପରେପରେ ସଂଗୀତ ବିଶାରଦ ମାଧେରାଓ ବାବାଜୀ ରାମଦାସଙ୍କ କୃପା ତାଙ୍କୁ ପ୍ରାପ୍ତ ହେଲେ। ନିଜ ପ୍ରତିଭା ବଳରେ ସେ ଆଠଗଡ଼ ରଜାଙ୍କ ରାଜ ସଂଗୀତଜ୍ଞ ହୋଇଗଲେ ଓ ରାଜ ପରିବାର ସହ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ୧୯୩୩ ମସିହାରେ ଏଚ୍ଏମ୍‌‍ଭି କମ୍ପାନୀ ତାଙ୍କ ସଂଗୀତକୁ ଓଡ଼ିଶାର ଘରେଘରେ ପହଞ୍ଚାଇଥିଲେ। କଲିକତା ଆକାଶବାଣୀ ଓ କଟକ ଆକାଶବାଣୀରେ ତାଙ୍କର ଆଦର ବଢ଼ିଗଲା। ଲାଲକିଲ୍ଲା ଜାତୀୟ ମହୋତ୍ସବରେ ମୀରାଭଜନ ଗାଇ ସେ ରାଷ୍ଟ୍ରୀୟ ସମ୍ମାନ ପାଇଲେ। ପଦ୍ମସମ୍ମାନ ମଧ୍ୟ ଆପେଆପେ ତାଙ୍କ ପାଖରେ ପହଞ୍ଚିଗଲା। ଅଜସ୍ର ମାନସମ୍ମାନ ପାଇ ମଧ୍ୟ ସେଥିଲେ ନିର୍ଲିପ୍ତ।

ସୟନେ ସପନେ, ଜାଗରଣେ ନୀଳାଦ୍ରିନାଥ ହିଁ ତାଙ୍କ ନେତ୍ର ପଟଳରେ ନାଚୁଥିଲେ। ତାଙ୍କରିପାଇଁ ସେ ହୋଇଥିଲେ ଶ୍ରୀକ୍ଷେତ୍ରବାସୀ। ନିତ୍ୟ ଦର୍ଶନର ସୌଭାଗ୍ୟ ପାଇଥିଲେ ଓ ତାଙ୍କରି କୃପାରୁ ମିଳିଥିଲା ଦୁର୍ଲଭ ଗ୍ରାମର ସେବାର ସୌଭାଗ୍ୟ। ଏ ସେବକଙ୍କୁ ସେ ଅନୁପତୁଲ୍ୟ ଶ୍ରଦ୍ଧା କରୁଥିଲେ।

ଶ୍ରୀଗୁଣ୍ଡିଚା ମନ୍ଦିର ଦେବ ବୃକ୍ଷରୋପଣ, ଶ୍ରୀ ଜଗନ୍ନାଥଙ୍କ ପାଇଁ ଶ୍ରୀ ଜଗନ୍ନାଥ ବନପ୍ରକଳ୍ପ ସ୍ଥାପନ, ନିମବନ ସୃଷ୍ଟିର ପ୍ରେରଣାଦାତା ଥିଲେ ସେ। ଆଜି ଏହି ପ୍ରଥିତଯଶା, ପ୍ରାତଃସ୍ମରଣୀୟ, ଶ୍ରୀକ୍ଷେତ୍ରର ସୁବାସିତ ଚନ୍ଦନ, ଶ୍ରୀଜଗନ୍ନାଥ ପ୍ରାଣଗତ ମହାନ ସଂଗୀତଜ୍ଞ ସ୍ୱଶରୀରରେ ଆମ ପାଖରେ ନାହାନ୍ତି ସତ ମାତ୍ର ତାଙ୍କ ମଧୁଶ୍ରାବୀଙ୍କ ନିସୃତ ଭଜନ, ଜଣାଣ, ଛନ୍ଦଛାନ୍ଦ, ଓଡ଼ିଶୀ କାଳକାଳକୁ ତାଙ୍କୁ ଅମର କରି ରଖିଯାଇଛି  ।

Comment