ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କ ମହାବେଦୀ ମହୋତ୍ସବର ଆଜି ସୁନାବେଶ।

ବଡ଼ଦାଣ୍ଡରେ ସର୍ବସାଧାରଣ, ସର୍ବଧର୍ମର ମାନବମାନଙ୍କୁ ସୁବର୍ଣ୍ଣ ଠାକୁର ଭାବେ ଉଭାହୋଇ ଦର୍ଶନ ଦେଇଛନ୍ତି ଶ୍ରୀଜୀଉମାନେ। ଏହି ଦୁର୍ଲ୍ଲଭ ସୁବର୍ଣ୍ଣବେଶକୁ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଉପଭୋଗ୍ୟ ଓ ଆକର୍ଷଣୀୟ ବେଶ ଦେଖିବା ପାଇଁ ସିଂହଦ୍ୱାର ଚାରିପଟେ ଭକ୍ତଙ୍କ ସୁଅ ଛୁଟିଛି। ୧୨ ଲକ୍ଷ ଭକ୍ତ ଏହି ଦୁର୍ଲ୍ଲଭ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରଭୁଙ୍କର ଶ୍ରୀମନ୍ଦିର ଭିତରେ ୪ ଥର ଓ ବାହାରେ ରଥ ଉପରେ ବର୍ଷକୁ ଥରେ ଏହିପରି ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ସୁବର୍ଣ୍ଣବେଶ ସବୁଠାରୁ ଆକର୍ଷଣୀୟ। ଆଜି ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ପରେ ବେଶ ଶେଷ ହୋଇଥିଲା।

ପ୍ରଭୁ ଚାରିମାସ ଶୋଇବେ

ନୀଳକନ୍ଦର ଠାକୁର ପ୍ରଭୁ କାଳିଆଙ୍କ ବିଭିନ୍ନ ଲୀଳା ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରରେ। ବାରମାସରେ ୧୩ ଯାତ୍ରା ମଧ୍ୟରୁ ରଥଯାତ୍ରା ଅନ୍ୟତମ। ରଥଯାତ୍ରାରେ ପ୍ରଭୁ ସେନାପତି ପରି ସେନାପଟା ଲାଗିହୋଇ ରଥ ଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ଶ୍ରୀମନ୍ଦିର ଫେରନ୍ତି। ପରେ ସୁନାବେଶ ହୁଅନ୍ତି। ପରେ ଯାତ୍ରାକାଳୀନ କ୍ଲାନ୍ତି ମେଣ୍ଟାଇବା ସହ ମା’ ଲକ୍ଷ୍ମୀଙ୍କ କଥା ବୁଝନ୍ତି।

ପ୍ରଭୁ ୪ ମାସ ନିଦ୍ରାଯିବା ମଧ୍ୟରେ ମା’ ଲକ୍ଷ୍ମୀ ପଦ ପ୍ରକ୍ଷାଳନ କରନ୍ତି। ଆଷାଢ଼ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପୂରା ୪ ମାସ ପ୍ରଭୁ ବିଶ୍ରାମ ନିଅନ୍ତି। ବିଷ୍ଣୁଙ୍କର ଏହି ଚାରିମାସ ଶୟନ କାଳକୁ ଚତୁର୍ମାସ୍ୟା କୁହାଯାଏ।

ଏହି ସମୟ ଅଶୁଭକାଳ ହୋଇଥିବାରୁ ବିବାହ ବ୍ରତ ଆଦି ଶୁଭ କାମ ହୁଏ ନାହିଁ। ହରିଶୟନ ଏକାଦଶୀକୁ ବଡ଼ ଏକାଦଶୀ ଭାବେ ପାଳନ କରନ୍ତି ଭକ୍ତ। ଏହି ୪ ମାସ ଏକାଦଶୀରେ ବ୍ରତଧାରୀ ଫଳ ଆହାର କରନ୍ତି। କ୍ଷୀରସାଗରରେ ପ୍ରଭୁ ୪ ମାସ ଶୟନ କରନ୍ତି।

ଚତୁର୍ମାସ୍ୟା ବ୍ରତଧାରୀମାନେ ଆଜି ସଂକଳ୍ପ କରିଥିଲେ। ସେମାନେ ବିଷ୍ଣୁଙ୍କ ଧାତବମୂର୍ତ୍ତି ଷୋଳ ଉପଚାରରେ ପୂଜା କରନ୍ତି। ଆଜି ରଥାରୁଢ଼ ଠାକୁରଙ୍କୁ ଚୁଡ଼ାଘଷା ଭୋଗ କରିଥିଲେ ଭକ୍ତ। ଟୋକେଇ ଟୋକେଇ ଚୁଡ଼ାଘଷା ଭୋଗ ହୋଇଥିଲା। ସହରବାସୀ ଓ ପଞ୍ଚକୋଶୀମାନେ ଏହି ଭୋଗ କରିଥିଲେ। ନୂଆଫଳ ଭୋଗ କରିଥିଲେ। ଚୁଡ଼ାଗୁଣ୍ଡ, ନଡ଼ିଆ, ଚିନି, ଗୁଡ଼, ଖିସିମିସି, ଗୋଲମରିଚ, ଅଳେଇଚ, ଘିଅ ମିଶି ଏହି ଚୁଡ଼ାଘଷା ପ୍ରସ୍ତୁତ ହୋଇ ଭୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here