ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ପୁଅ ପୀତବାସ ତ୍ରିପାଠୀ ପୁଣି ଚର୍ଚ୍ଚାରେ। ଏଥର ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଆସିଛନ୍ତି ଆଜି ରିଲିଜ ହୋଇଥିବା ମମ୍ ଚଳଚ୍ଚିତ୍ରରେ। ପୂର୍ବରୁ ସେ ଅନେକ ବଲିଉଡ ଚିତ୍ରରେ ଅଭିନୟ କରିଛନ୍ତି। ଏପରିକି ହଲିଉଡ୍‌‌‍ରେ ବି ତାଙ୍କର ବେଶ୍ ନାଁ ଅଛି। ବିଶେଷକରି ମିଲିୟନ ଡ଼ଲାର ଆର ଫିଲ୍ମରେ ଏକ ମୁଖ୍ୟ ଆକର୍ଷଣ ହେବ ତାଙ୍କ ଅଭିନୟ। ଫ୍ରାନ୍‌‌ସ ଓ ବେଲଜିୟମର  ମିଳିତ ପ୍ରଯୋଜନାରେ ଆସୁଥିବା ଅନ୍ୟ ଏକ ଚିତ୍ରରେ ମଧ୍ୟ ପୀତବାସ ଅଭିନୟ କରିଛନ୍ତି। ଆମେରିକାର ଏକ ସିଟ୍‌‌‍କମ୍‌‌‍ରେ ତ ସେ ଏମିତି ବି ଆସୁଛନ୍ତି।

ପୀତବାସଙ୍କୁ କିଛିଦିନ ତଳେ ଦେଖିବାକୁ ମିଳିଥିଲା ବଲିଉଡର ଏକ ପିରିୟଡ଼ ଫିଲ୍ମ ବେଗମ ଜାନରେ। ତେବେ ମମ୍‌‍ରେ ଅଭିନୟ ତାଙ୍କୁ  ବହୁତ ଭଲ ଲାଗିଲା ବୋଲି କହିଛନ୍ତି ପୀତବାସ। ଶ୍ରୀଦେବୀ ଓ ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ଭଳି ନମ୍ଯ କଳାକାରଙ୍କ ସହିତ ଅଭିନୟ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା ପ୍ରକୃତରେ ଯଦିଓ ସିଦିକି ଓ ପୀତବାସ ମୁମ୍ବାଇର ଏକ ଅଞ୍ଚଳରେ ପାଖାପାଖି ରହୁଛନ୍ତି।

“ନବାଜ ଭାଇଙ୍କୁ ମୁଁ ୮/୯ ବର୍ଷ ଧରି ଜାଣିଛି”, ଏହା କହନ୍ତି ସେ। ଆଗରୁ କେବେ ଦିହେଁ ଫିଲ୍ମରେ ଆସିନଥିଲେ। ଏବେ ଏକାଠି ହୋଇଛନ୍ତି। ୫୦ ବର୍ଷର ଫିଲ୍ମ ଅଭିଜ୍ଞତା ଥିବା ଶ୍ରୀଦେବୀଙ୍କଠାରୁ ବହୁତ କିଛି ଶିଖିବା ପାଇଁ ରହିଛି ବୋଲି କହିଛନ୍ତି ପୀତବାସ। ବିଶେଷକରି ଶ୍ରୀଦେବୀଙ୍କ କଳାକାର ଜୀବନର ଅଙ୍ଗୀକାରକୁ ସେ ପ୍ରଶଂସା କରିଛନ୍ତି। ଥ୍ରି ଇଡିଅଟ୍‌‍ସ, ସୋର ଇନ ଦି ସିଟି, ୱାନ୍‌ସ୍ ଅପନ ଏ ଟାଇମ ଇନ ମୁମ୍ବାଇ ଦୁବାରା ଓ ଆୟାମ କାଲାମ ଆଦି ଚିତ୍ରରେ ଅଭିନୟ କରି  ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି ପୀତବାସ। ଏହି ସବୁ ଫିଲ୍ମ ବେଶ୍ ଚର୍ଚ୍ଚାରେ ବି ଥିଲା।

7 Jours Pars Plus – ବିଦେଶୀ ଭାଷାରେ ଲିଖିତ ଏହି ଚଳଚିତ୍ର ପାଇଁ ସେ ବହୁତ ଆଶାବାଦୀ। ଏହି ଚିତ୍ରରେ ଦୁଇଟି ମୁଖ୍ୟ ଚରିତ୍ର ଅଭିନେତାଙ୍କ ଭିତରୁ ପୀତବାସ ହେଉଛନ୍ତି ଜଣେ। ଦୁଇଟି ଚରିତ୍ର ଭିତରୁ ପୀତବାସ ବେଙ୍ଗଲି ଭଦ୍ରଲୋକ ଚରିତ୍ରରେ ଆସିଛନ୍ତି। ଅନ୍ୟ ଜଣକ ବେଲ୍‌‍ଜିୟମର ନାଗରିକ ଚରିତ୍ରରେ ଅଭିନୟ କରିଛନ୍ତି। କାହାଣୀଟି ଅତି ସୁନ୍ଦର। ଦୁହେଁ କେହି ଜାଣି ନାହାନ୍ତି କାହାର ଭାଷା। କିନ୍ତୁ ସେମାନେ ଏକାଠି ରହିବା ପରେ ଉଭୟ ଉଭୟଙ୍କୁ ଆବିଷ୍କାର କରିଛନ୍ତି।

“ଏହା ମୋ ପାଇଁ ବଡ଼ ଚାଲେଞ୍ଜ ଥିଲା କାରଣ ବାସ୍ତବ କ୍ଷେତ୍ରରେ ମୁଁ ଫରାସୀ ଭାଷା ଜାଣି ନଥିଲି”, ସ୍ଵୀକାର କରନ୍ତି ପୀତବାସ।
ପୀତବାସଙ୍କ ମିଲିଅନ ଡଲାର ଆର୍ମ ଫିଲ୍ମ ଅଗଷ୍ଟ ମାସରେ ରିଲିଜ ହେବାକୁ ଥିବା ବେଳେ ଏ ନେଇ ସେ ଖୁବ୍ ଆଶାବାଦୀ, ବିଶେଷକରି ଏହାର ଅନୁଭୂତିକୁ ନେଇ। ବ୍ରସେଲସ ଓ ପ୍ୟାରିସ୍‌‍ରେ ସୁଟିଙ୍ଗ ହୋଇଥିବା ଏହି ଚିତ୍ରଟି ପ୍ରଥମେ ୟୁରୋପ ଓ ପରେ ଆମେରିକାରେ ମୁକ୍ତି ଲାଭ କରିବ।

ପୀତବାସ କୋଲକାତାରେ ଇଂଜିନିୟରିଂ ପଢ଼ିଛନ୍ତି। ହେଲେ ଏଠି ପାଠ ପଢିବା ବେଳେ ହିଁ ସେ ଥିଏଟର ପ୍ରତି ଆକୃଷ୍ଟ ହୋଇ ଥିଲେ। ଆଗ୍ରହର ବିଷୟ ହେଲା ସେ ଜଣେ ଏଜେଣ୍ଟକୁ ପାଇଥିଲେ ଯିଏ ତାଙ୍କୁ ହଲିଉଡରେ ପହଞ୍ଚିବାରେ ସହଯୋଗ କରିଥିଲେ। ହଲିଉଡରେ ସୁଯୋଗ ମିଳିବା ଏତେ ସହଜ ନଥିଲା, କିନ୍ତୁ ପୀତବାସଙ୍କ ଅଦମ୍ୟ ପ୍ରଚେଷ୍ଟା ବଳରେ ସେ ସେଠି ପହଞ୍ଚିପାରିଲେ।
ପୀତବାସ ଆଗକୁ ଆମେରିକାରେ ଏକ ସୀଟ୍‌‌କମ ‘ମେଟ୍ରୋପାର୍କ’ରେ ଆସୁଛନ୍ତି। ଏହା ଏକ ଆମେରିକୀୟ-ଭାରତୀୟ ପରିବାରକୁ ନେଇ ପ୍ରସ୍ତୁତ ହୋଇଛି। ଏହି ଟିଭି ଧାରାଵାହିକରେ ରଣବୀର ସୋରେ, ପୁର୍ବୀ ଯୋଶୀ, ଓମି ବିଦ୍ୟା ଓ ଭେଗା ଟମୋଟିଆ ପ୍ରମୁଖ ବିଭିନ୍ନ ଭୂମିକାରେ ଆସୁଛନ୍ତି।

ଖଲି ସେତିକି ନୁହେଁ, ପୀତବାସଙ୍କ ପାଇଁ ବଲିଉଡ ବି ଅପେକ୍ଷା କରିଛି। କିରିତ୍ ଖୁରାନାଙ୍କ ନିର୍ଦେଶନାରେ ଆସୁଛି ଟି ଫର୍ ତାଜମହଲ। ଏଥିରେ ପୀତବାସଙ୍କ ସହ ଆସିବେ ରବିନା ଟଣ୍ଡନ। ଅନୁପମ ଖେରଙ୍କ ନିର୍ଦ୍ଦେଶନାରେ ଆଉ ଏକ ଫିଲ୍ମରେ ମଧ୍ୟ ସେ ଅଭିୟ କରିବେ। ପୀତବାସ ଏକାଧିକ ଫିଲ୍ମ ପାଇଁ ଏବେ ଖୁବ୍ ବ୍ୟସ୍ତ। ଲସ ଏଞ୍ଜେଲସ୍ ଓ ମୁମ୍ବାଇ ଯିବା ଆସିବା ଭିତରେ ସେ ନିଜ ଗାଁ କୁ ଭୁଲିନାହାନ୍ତି। ଗତ ମାସରେ ସେ ଓଡ଼ିଶା ଆସି କିଛି ସମୟ କାଟିଥିଲେ ନିଜ ଘରେ ଆଉ ସାଙ୍ଗମାନଙ୍କ ସହ।

Comment