ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଲଙ୍କା ଗସ୍ତ ଉପରେ ନଜର

ବହୁ କଳ୍ପନା ଜଳ୍ପନା ପରେ ଜୁଲାଇ ୧୧ରେ ପୂର୍ବତନ କ୍ରିକେଟିୟର ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ଅନିଲ କୁମ୍ବଲେ ଏହି ପଦବୀରୁ ଇସ୍ତଫା ଦେବା ପରେ କ୍ରିକେଟ ଆଡଭାଇଜରୀ କମିଟି (ସିଏସି)ର ସୁପାରିଶ କ୍ରମେ ଶାସ୍ତ୍ରୀଙ୍କୁ ଏହି ପଦବୀ ମିଳିଛି। ସେ ୨୦୧୯ ବିଶ୍ୱକପ୍‍ ପର୍ଯ୍ୟନ୍ତ ଏହି ଗୁରୁ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ ଟିମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଶାସ୍ତ୍ରୀ ପଦକ୍ଷେପ ନେବେ ବୋଲି କହିଛନ୍ତି।

କିଏ ଏହି ଶାସ୍ତ୍ରୀ ?

କ୍ରିକେଟ ଜଗତରେ ରବି ଶାସ୍ତ୍ରୀ ହେଉଛନ୍ତି ଏକ ଜଣାଶୁଣା ଚେହେରା। ୧୯୮୧ରୁ ୧୯୯୧ ପର୍ଯ୍ୟନ୍ତ ସେ ଭାରତୀୟ କ୍ରିକେଟ ଟିମର ଆଗ ଧାଡିର ଖେଳାଳି ଭାବେ ବିବେଚିତ ହେଉଥିଲେ। ଉଭୟ ଟେଷ୍ଟ ଏବଂ ଦିନିକିଆରେ ସେ ଆଧିପତ୍ୟ ବିସ୍ତାର କରିଥିଲେ।

ପ୍ରଥମେ ସେ ବାମହାତୀ ସ୍ପିନ୍‍ ବୋଲର ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ କ୍ରିକେଟ ଜଗତରେ ଅଲରାଉଣ୍ଡର ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ସେ ତାଙ୍କ କ୍ୟାରିଅରରେ ୮୦ଟି ଟେଷ୍ଟ ଖେଳିବା ସହ ୩୮୩୮ ରନ୍‍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସେ ସର୍ବାଧିକ ୨୦୬ ରନ୍‍ କରି ଚର୍ଚ୍ଚାରେ ରହିଥିଲେ। ୧୯୮୩ ବିଶ୍ୱକପରେ ଶାସ୍ତ୍ରୀ କମାଲ୍‍ ଦେଖାଇବା ପରେ ୧୯୮୫ରେ ଅନୁଷ୍ଠିତ ‘ଦି ଚାମ୍ପିଅନ୍ସ ଅଫ୍‍ ଚାମ୍ପିଅନ୍ସ’ ଟୁର୍ଣ୍ଣାମେଣ୍ଟରେ ବଡ ସଫଳତା ପାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଶାସ୍ତ୍ରୀ ୧୮୨ ରନ୍‍ କରିବା ସହ ୮ଟି ୱିକେଟ୍‍ ଅକ୍ତିଆର୍‍ କରିଥିଲେ। ଫଳରେ ସେ ମ୍ୟାନ ଅଫ୍‍ ଦି ସିରିଜ ବିବେଚିତ ହେବା ସହ ପୁରସ୍କାର ସ୍ୱରୂପ ଅଡି-୧୦୦ କାର୍‍ ପାଇଥିଲେ।

ବହୁ ସଫଳତା ପାଇବା ପରେ ୧୯୯୪ରେ ଶାସ୍ତ୍ରୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେ ମୋଟ ୧୫୦ ଦିନିକିଆ ଖେଳି ୧୨୯ ୱିକେଟ ହାସଲ କରିବା ସହ ୩୧୦୮ ରନ୍‍ ସଂଗ୍ରହ କରିଥିଲେ। ସେହିପରି ୮୦ ଟେଷ୍ଟ ମ୍ୟାଚରୁ ୧୫୧ ୱିକେଟ ଏବଂ ୩୮୩୦ ରନ୍‍ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ଏହାସହ ସେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଟିମ୍‍ ଇଣ୍ଡିଆର ଡିରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଟିମ୍‍ ଇଣ୍ଡିଆ ୨୦୧୫ ବିଶ୍ୱକପ ସେମି ଫାଇନାଲକୁ ଯାଇଥିଲା। ଏହି ହାଇପ୍ରୋଫାଇଲ୍‍ କ୍ରିକେଟିୟର ଏବେ  ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କଠାରୁ ଟିମ୍‍ ଇଣ୍ଡିଆ ବହୁ କିଛି ଆଶା ରଖିଛି।

କମେଣ୍ଟେଟର

କ୍ରିକେଟ ଜଗତରେ ବିଦାୟ ନେବା ପରେ ଶାସ୍ତ୍ରୀ ୧୯୯୫ରେ ମୁମ୍ବାଇରେ ହୋଇଥିବା ୱାର୍ଲ୍ଡ ମାଷ୍ଟରସ୍‍ ଟୁର୍ଣ୍ଣାମେଣ୍ଟରେ ଟିଭି କମେଣ୍ଟେଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ବିଭିନ୍ନ କ୍ରୀଡ଼ାଭିତ୍ତିକ ଟିଭ ଚ୍ୟାନେଲ ସହ ଯୋଡ଼ିହୋଇ କମେଣ୍ଟେଟର ଦାୟିତ୍ୱ ତୁଲାଇଥିଲେ। ୨୦୦୮ରେ ସେ ବିସିସିଆଇ ସହ ଚୁକ୍ତି କରି ଇସପିଏନ୍‍-ଷ୍ଟାର ସ୍ପୋର୍ଟସର ପ୍ରତିଦ୍ୱନ୍ଦ୍ୱୀ ସୋନି ମ୍ୟାକ୍ସ ପାଇଁ କମେଣ୍ଟ୍ରି କରିଥିଲେ।

ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଶ୍ରୀଲଙ୍କା ଗସ୍ତ

ରବି ଶାସ୍ତୀ ଏବେ ଆମେରିକାରେ ଛୁଟି କାଟୁଛନ୍ତି। ଜୁଲାଇ ୧୬ ସୁଦ୍ଧା ସେ ଭାରତ ପ୍ରତ୍ୟାବର୍ତ୍ତନ କରିବାର କସୂଚନା ମିଳିଛି। ଜୁଲାଇ ୧୯ରେ ଟିମ୍‍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବାରୁ ନୂଆ କୋଚ ଶାସ୍ତ୍ରୀଙ୍କ ପାଇଁ ଏହା ଚ୍ୟାଲେଞ୍ଜ ବୋଲି କ୍ରିକେଟ ବିଶାରଦମାନେ ଆଲୋଚନା କରୁଛନ୍ତି।

ଶ୍ରୀଲଙ୍କାରେ ଭାରତୀୟ ଟିମ୍‍ ୩ଟି ଟେଷ୍ଟ, ୫ ଦିନିକିଆ ଏବଂ ଗୋଟିଏ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୨୬ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ଶ୍ରୀଲଙ୍କା ମାଟିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବାରୁ ଘରୋଇ ଟିମ୍‍ ଏହାକୁ ହାତଛଡା କରିବାକୁ ଚାହୁଁନି।

ଶ୍ରୀଲଙ୍କା ଟିମ୍‍ ଅଧିନାୟକ କୁମାର ସାଙ୍ଗାକାରା ଟିମ୍‍ ଇଣ୍ଡିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏପଟେ ଟିମ୍‍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମଧ୍ୟ ସଂଘର୍ଷପୂର୍ଣ୍ଣ ମନୋଭାବ ନେଇ ଶ୍ରୀଳଙ୍କା ଯିବା ମୁଡରେ ରହିଛନ୍ତି। ତେବେ ନଜର ରହିଛି ନୂଆ କୋଚ ଶାସ୍ତ୍ରୀଙ୍କ ଉପରେ। ସେ ବିଦେଶଗସ୍ତରୁ ଫେରିବା ପରେ କ’ଣ ନୂଆ ରଣନୀତି ଗ୍ରହଣ କରୁଛନ୍ତି ଏବଂ କିପରି ଲଢ଼ୁଆ ମନୋଭାବ ନେଇ ଖେଳାଳିଙ୍କ ମନରେ ଉତ୍ସାହ ଭରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା। କାରଣ ନୂଆ କୋଚ ହୋଇଥିବାରୁ ଶାସ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି।

LEAVE A REPLY

Please enter your comment!
Please enter your name here