ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାର ପାଇକ ବିଦ୍ରୋହ ଭାରତ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ହୋଇଥିଲା। ଏହାକୁ ପ୍ରଥମ ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଔପନିବେଶିକ ଶାସନର ଲେଖାଯାଇଥିବା ଇତିହାସ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ଇତିହାସ ନୁହେଁ। ଏହି ଇତିହାସ ଲୋକକଥାରେ ରହିଛି”, କହିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।
ଦିଲ୍ଲୀର ବିଜ୍ଞାନଭବନଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଚାଲିଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଷ୍ଟ୍ରପତି ମୁଖାର୍ଜା କହିଥିଲେ ଯେ, ପାଇକ ବିଦ୍ରୋହକୁ ଦମନ କରିବା ପାଇଁ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନି ଏବଂ ବ୍ରିଟିଶ ଶାସନ କର୍ତ୍ତାଙ୍କର ଶତଚେଷ୍ଟା କରିଥିଲେ।ହେଲେ ତାହା ପ୍ରଶମିତ ହୋଇନଥିଲା ବରଂ ଏହି ବିଦ୍ରୋହ ବିଭିନ୍ନ ସ୍ଥାନକୁ ବ୍ୟାପିଥିଲା ଏବଂ ଜନ ଆନ୍ଦୋଳନର ରୂପ ମଧ୍ୟ ନେଇଥିଲା। ଉକ୍ତ ସରକାରର ଦମନ ସତ୍ତ୍ୱେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, କୃତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର, ଦୀନବନ୍ଧୁ ସାମନ୍ତ ରାୟ ମହାପାତ୍ର, ଦାମ ସୁବୁଦ୍ଧି ମଙ୍ଗରାଜ, ସାମନ୍ତ ମାଧବଚନ୍ଦ୍ର ରାଉତରାୟ ଦେଇଥିବା ଆତ୍ମବଳୀ ଅବିସ୍ମରଣୀୟ। ବିଶେଷକରି ଜୟୀ ରାଜଗୁରୁଙ୍କୁ ଯେଉଁଭଳି ନିର୍ମମ ଭାବେ ଫାଶି ଦିଆଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁର୍ଭାଗ୍ୟଜନକ।
ଏହି କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ବିରୁଦ୍ଧରେ ୧୮୧୭ ମସିହାରେ ସିପାହୀ ବିଦ୍ରୋହ ଜାତି- ବର୍ଣ୍ଣ ଓ ବର୍ଗ ନିର୍ବିଶେଷରେ ସଂଗଠିତ ହୋଇଥିଲା। ଏହା ଇଂରେଜମାନଙ୍କ ବିରୁଦ୍ଧରେ ସାଧାରଣ ଲୋକମାନଙ୍କର ଆନ୍ଦୋଳନର ଆଲୋକବର୍ତ୍ତିକା ଓ ତ୍ୱରକ ଭାବେ କାମ କରିଥିଲା। ଏହାକୁ ଆଖି ଆଗରେ ରଖି ଓଡ଼ିଶା କ୍ୟାବିନେଟ ଏହି ଆନ୍ଦୋଳନକୁ ଇଂରେଜମାନଙ୍କ ବିରୁଦ୍ଧରେ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି।
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛିା ବକ୍ସି ଜଗବନ୍ଧୁଙ୍କ ନାମରେ ରାଜ୍ୟ ସରକାର ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରୀ ଖୋଲା ଯାଇଛି। ନୂଆଦିଲ୍ଲୀରେ ଏହି ବିଷୟ ନେଇ ଏକ ଜାତୀୟ ସେମିନାର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ ଯେ, ପାଇକ ବିଦ୍ରୋହ ଏବଂ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଥିବା ଅବଦାନ ସମ୍ପର୍କରେ ଆଗାମୀ ବଂଶଧରମାନଙ୍କ ପାଇଁ ମନ ଭିତରେ ଜାଗ୍ରତ କରିବାର ଆବଶ୍ୟକତା ରହିଛି, ଯଦ୍ୱାରା ସେମାନେ ସେ ଅତୀତକୁ ସ୍ମରଣ କରି ସେହିଭଳି ଭାବେ ନିଜକୁ ଗଢ଼ିପାରିବେ ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା କହିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମୀ ଇତିହାସ ସମ୍ପର୍କରେ ଯେଉଁମାନେ ଲେଖୁଛନ୍ତି ସେମାନେ ଉପଯୁକ୍ତ ଭାବେ ଲେଖିନାହାନ୍ତି। ବହୁ ଘଟଣା ସମ୍ପର୍କରେ ଦେଶବାସୀ ସମ୍ପୂର୍ଣ୍ଣରୂପେ ଅନ୍ଧକାର ଭିତରେ ରହିଛନ୍ତି। ପ୍ରକୃତ ଇତିହାସ ସେମାନଙ୍କୁ ଅବଗତ କରାଇବା ପାଇଁ ପୂର୍ଣ୍ଣାଙ୍ଗ ଇତିହାସ ଲେଖାଯିବ ।
ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ପାଳନ ହେବାକୁ ଯାଉଥିବାରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ କରାଯିବ ଏବଂ ପ୍ରଧାନମନ୍ତ୍ରୀ ଏଥିରେ ଯୋଗଦେବେ।
ପାଇକ ବିଦ୍ରୋହର ୨ ଶହ ବର୍ଷ ପାଳନର ବର୍ଷ ବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବରେ ବର୍ଷ ସାରା କେବଳ ସଭା ସମିତି ନୁହେଁ, ଆଗାମୀ ହଜାରେ ବର୍ଷ ପାଇଁ ପ୍ରେରଣା ଯୋଗାଇବା ଭଳି ଏକ ସ୍ଥାୟୀ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପାଇକ ବିଦ୍ରୋହର ସ୍ମାରକୀ ଷ୍ଟାଚ୍ୟୁ ଅଫ ଲିବର୍ଟିର ଖ୍ୟାତିର ସମାସ୍କନ୍ଧ ସ୍ମାରକୀ ହୋଇପାରିବ। ନର୍ମଦା ନଦୀ ଉପରେ ଗୁଜରାଟରେ ସର୍ଦ୍ଦାର ବଲ୍ଲଭ ଭାଇଙ୍କ ଷ୍ଟାଚ୍ୟୁ ଅଫ ଲିବର୍ଟି ହେଉଛି, ମହାରାଷ୍ଟ୍ରରେ ସମୁଦ୍ରକୁ ପୋତି ଶିବାଜୀ ମହାରାଜଙ୍କ ନଭଶ୍ଚୁମ୍ବୀ ପ୍ରତିମୂର୍ତ୍ତି କରାଯାଉଛି। ସେହିପରି ଓଡ଼ିଆ ବୀରତ୍ୱର ମୂକସାକ୍ଷୀ ବରୁଣେଇ ପାହାଡ଼ ଉପରେ ପାଇକ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ଆକାଶ ଛୁଆଁ ପ୍ରତିମୂର୍ତ୍ତି ସହ ତାଙ୍କ ସମସାମୟିକ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ ଓଡ଼ିଶା ଓ ସାରା ଦେଶର ଆଗାମୀ ବହୁ ପିଢି ପାଇଁ ପ୍ରେରଣା କେନ୍ଦ୍ର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
History getting benefited from politics, today. Acknowledging Paika Vidroh 1817) as the first fire of Indian independence against British (took place 40 years earlier to Sipoy Mutiny of 1857) is an example. Good. Everything is possible in a society – whether converting history into folktale of vice versa. Whom do you blame?