ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାୟକ ହୋଇ ମଧ୍ୟ ସାଧାରଣ ଜୀବନ ବଞ୍ଚୁଥିବା ଜଣେ ନେତା ଜଗନ୍ନାଥ ସାରକା ।

ଏଇ ନିକଟରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବନ୍ୟା ବିଭୀଷିକା ରଚିଥିଲା। ପାଣି ଛାଡ଼ିବା ପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପରିବେଶକୁ ସଜାଡ଼ିବା ପାଇଁ ଲୋକଙ୍କ ସହ ହାତ ମିଳାଇ ବାହାରି ଆସିଥିଲେ ଜଣେ ଲୋକ ପ୍ରତିନିଧି। ହାତରେ କୋଡ଼ି କୋଦାଳ ଧରି ଆବର୍ଜନା ସଫା କରୁଥିବାର ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଆଇନ ଶିକ୍ଷାରେ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ନିଜ ଜମିରେ ନିଜେ ଚାଷ କାମ କରନ୍ତି। ଏବେକାର ମୂଲ୍ୟବୋଧହୀନ ରାଜନୀତିରେ ସେ ହେଉଛନ୍ତି ବ୍ୟତିକ୍ରମ। ଜଣେ ବିଧାୟକ ହୋଇ ବି ସାଧାରଣ ଜୀବନ ବଞ୍ଚୁଥିବା ଏଇ ଯୁବନେତା ହେଉଛନ୍ତି ଜଗନ୍ନାଥ ସାରକା। ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଅଛନ୍ତି ।

ଜୁଲାଇ ମାସ ୧୬ ତାରିଖରେ ରାୟଗଡ଼ା କଲ୍ୟାଣସିଂହପୁରରେ ଅଚାନକ ବନ୍ୟା ଆସିବାରୁ ଜିଲ୍ଲାରେ ପ୍ରଭାବିତ ହୋଇଥିଲେ ପ୍ରାୟ ୧୦ ହଜାର ଅଧିବାସୀ। ରାୟଗଡ଼ା ସଦର ବ୍ଲକର ଓ କଲ୍ୟାଣସିଂହପୁର ବ୍ଲକର ଅନେକ ଗାଁ କ୍ଷତିଗ୍ରସ୍ତ ହୋଇଥିଲା। ଏଭଳି ଦୁର୍ବିପାକ ଘଟିବା ପରେ ସେ ଅଞ୍ଚଳର ପରିବେଶ ଓ ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।

ନିଜ ଅଞ୍ଚଳର ଚିତ୍ରକୁ ପୁଣିଥରେ ସଜାଡ଼ିବା ପାଇଁ ଲୋକମାନେ ଆଗକୁ ଆସିବା ସମୟରେ, ସେମାନଙ୍କ ସହ ହାତ ମିଳାଇଥିଲେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା। କୋଡ଼ି କୋଦାଳ ଧରି ଲୋକଙ୍କ ସହ ସଫେଇ କାମରୁ ଆରମ୍ଭ କରି ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ ସେ ନିଜେ ସାମିଲ ହୋ‍ଇଥିଲେ। ଏବେକାର ସ୍ୱାର୍ଥବାଦୀ ରାଜନୀତିରେ ଜଣେ ବିଧାୟକ ଏଭଳି ସାଧାରଣ ପାଲଟିଯିବା ସ୍ଥାନୀୟ ଲୋକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସାରକାଙ୍କ ଏଭଳି ସାଧୁ ଉଦ୍ୟମ କେବଳ ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ପ୍ରଶଂସା ଲାଭ କରିଛି।

ବିଧାୟକ ସାରକାଙ୍କ ସାଧାରଣ ଜୀବନଶୈଳୀର ଏହା ପ୍ରଥମ ଉଦାହରଣ ନୁହେଁ। ପୂର୍ବରୁ ମଧ୍ୟ ଏହାର ଅନେକ ନଜିର ଲୋକେ ଦେଖିସାରିଛନ୍ତି। ଗତବର୍ଷ ସାରକାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, ଯେତେବେଳେ ତାଙ୍କୁ ନିଜ ବିଲରେ ଚାଷକାମ କରୁଥିବାର ଦେଖିବାକୁ ମିଳିଥିଲା।

ସାରକା ନିଜ କାମ ନିଜେ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ସେ ନିଜ କଣ୍ଠରେ ସ୍ୱୀକାର କରନ୍ତି ଯେ ସେ ଚଷାପୁଅ। ତେଣୁ ଚାଷକାମ କରିବାରେ ଲଜ୍ଜା କରିବି କାହିଁକି? ବିଧାୟକ ନୁହେଁ, ସେ ସବୁବେଳେ ଜଣେ ସାଧାରଣ ଲୋକ। ଯେତେବେଳେ ସମୟ ପାଆନ୍ତି, ନିଜ ଜମିରେ ଚାଷକାମରେ ଲାଗିପଡ଼ନ୍ତି। ଚାଷୀ ପରିବାରରୁ ଆସିଥିବା ସାରକା ଆଇନ ଶିକ୍ଷାରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ସାରକାଙ୍କ ରାଜନୈତିକ ଜୀବନ :

ସାରକା ଆସିଛନ୍ତି ଏକ ଚାଷୀ ପରିବାରରୁ। ଘରୁ କେହି ରାଜନୀତିରେ ନଥିଲେ। ୧୯୯୪-୯୫ ମସିହାର କଥା। ଜଗନ୍ନାଥ ସାରକା ଥାଆନ୍ତି ସ୍ନାତକ ଛାତ୍ର। ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଆଦିବାସୀ ଜମିକୁ ନେଇ ଯେଉଁ ବିବାଦ ଓ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ସେଥିରେ ସାମିଲ ହୋଇଗଲେ ସାରକା। ସେଇଠୁ ତାଙ୍କ ରାଜନୈତିକ ଜୀବନର ମୂଳଦୁଆ ପଡ଼ିଲା।

ପ୍ରଥମେ ଜଣେ ସମିତିସଭ୍ୟ ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କଲେ। ୧୯୯୭ ମସିହାରେ ସେ ବିଷମକଟକ ବ୍ଲକ ଝିଗିଡ଼ି ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହେଲେ। ୨୦୦୨ରେ ସେହି ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟ ଲାଭ କଲେ। ୨୦୦୭ରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସେ ଯୋଗ ଦେଲେ। ୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମଥର ବିଧାୟକ ଆସନ ପାଇଁ ସେ ବିଜେଡି ଟିକେଟ୍ ପାଇଲେ। ତାଙ୍କୁ ମାତ୍ର ୩୪୯ ଭୋଟ୍‌‍ରେ ସାରକାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା; କିନ୍ତୁ ହାରିବା ପରେ ମଧ୍ୟ ସେ ଲୋକଙ୍କ ପାଇଁ କାମ କରିବା ଛାଡ଼ିନଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ବିଷମକଟକରୁ ସେ ପ୍ରଥମଥର ଲାଗି ବିଧାନସଭାକୁ ନିର୍ବାଚିତ ହେଲେ। ଲୋକଙ୍କ ସହ ଥିବାରୁ ତାଙ୍କୁ ଏହି ଜନମତ ମିଳିଲା ବୋଲି ସାରକା ‘ଓଡ଼ିଶା ଲାଇଭ୍’କୁ ପ୍ରତିକ୍ରିୟାରେ କହିଛନ୍ତି।

କାମରେ ବିଶ୍ୱାସ :

ବିଧାୟକ ହୋଇ ନିଜ ଅଞ୍ଚଳବାସୀଙ୍କ ଉନ୍ନୟନ ପାଇଁ ଲାଗନ୍ତି। ନିଜେ ଚାଷ କରନ୍ତି। ବିଷମକଟକ ନିର୍ବାଚନ ମଣ୍ଡଳୀର ୭୦ ପ୍ରତିଶତ ଲୋକ ଆଦିବାସୀ। ୯୦ ପ୍ରତିଶତରୁ ଅଧିକ ଚାଷ କାମ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି। ନିଜ ଅଞ୍ଚଳର ଚାଷୀଙ୍କ ଉନ୍ନତି ପାଇଁ ସେ ଚେକ୍‌‍ଡ୍ୟାମ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି ବୋଲି ସାରକା ମତ ରଖିଛନ୍ତି।

ଇନ୍ଦିରା ଆବାସ, ରାସନ କାର୍ଡ, ଭତ୍ତା, ରାସ୍ତା ନିର୍ମାଣ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବାବେଳେ ୨୦୦୭-୦୮ରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।

ନେତା-ନେତା ଫରକ :

ଏବେକାର ସମୟରେ ମୂଲ୍ୟବୋଧ ରାଜନୀତି ବିରଳ ହୋଇଗଲାଣି। ଏଇ କିଛିଦିନ ତଳେ ମାଲକାନଗିରି ଗସ୍ତ ସମୟରେ ଜଣେ ସ୍ଥାନୀୟ ବିଧାୟକ ନଦୀକୂଳରେ ପହଞ୍ଚିବା ପରେ ତାଙ୍କ ଜୋତା ଓଦା ହୋଇଯିବା ଭୟରେ ଦୁଇଜଣ କର୍ମୀ ତାଙ୍କୁ ଡଙ୍ଗାକୁ ଟେକି ନେଇଥିଲେ। ଫେରିବା ବେଳେ ମଧ୍ୟ ଜଣେ କର୍ମୀ ଲାଉ କରି ଡଙ୍ଗାରୁ ତାଙ୍କୁ କୂଳକୁ ନେଇଆସିଥିଲେ। ଏଭଳି ଚିତ୍ର ଗଣମାଧ୍ୟମରେ ପ୍ରଦର୍ଶିତ ହେବା ପରେ ବିଧାୟକ ଜଣକ ସମାଲୋଚନାର ଶିକାର ହୋଇଥିଲେ।

ନେତାମାନଙ୍କ ଭିଆଇପି ପରମ୍ପରାରୁ ବ୍ୟତିକ୍ରମ ସାଜି ସାରକା ଲୋକଙ୍କ ସହ ହାତ ମିଳାଇ କାମ କରିବା ରାଜନୀତିରେ ନିଶ୍ଚୟ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ।

(ପ୍ରସ୍ତୁତି: ସନ୍ତୋଷ)

1 COMMENT

Comment