ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳି ତୁଟାଇବେ ଦିଲ୍ଲୀ ନେତା

୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଆରମ୍ଭ ହୋଇଥିବା କଳି ଏପର୍ଯ୍ୟନ୍ତ ତୁଟି ପାରୁନି। କଳି ତୁଟାଇବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ତୁଙ୍ଗ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିଥିଲେ ମଧ୍ୟ ବିବାଦ ଥମିବାର ନାଁ ଧରୁନି। ପିସିସି ଚୌକିକୁ ନେଇ ଏହି କଳି ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି।

ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ ଏହି ପଦବୀରେ ବସାଇବା ପାଇଁ ବିଧାୟକମାନେ ଲବି କରୁଛନ୍ତି। ଆଉ କିଛି ନେତା ନିରଞ୍ଜନଙ୍କୁ ଚାହୁଁ ନ ଥିବାରୁ କଂଗ୍ରେସ ଘରର କଳି ପଦାରେ ପଡିଛି। ତେବେ ଏଆଇସିସି ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ବିବାଦ ସମାଧାନ କରିବା ପାଇଁ ୩ ଜଣ କେନ୍ଦ୍ର ନେତାଙ୍କୁ ଦାୟିତ୍ୱ ଦେଇଛି।

ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ସାଂସଦ ସୁସ୍ମିତା ଦେବ ଏବଂ ତାମ୍ରଧ୍ୱଜ ସାହୁ ଓଡିଶା କଂଗ୍ରେସର କଳି ତୁଟାଇବାକୁ ଆସିବେ ବୋଲି ଜଣାପଡିଛି। ଏଆଇସିସି ତରଫରୁ ଏହି ୩ ନେତାଙ୍କ ନାମ ଘୋଷଣା ହେବା ପରେ ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରେ ଭିନ୍ନ ଚର୍ଚ୍ଚା ହେଉଛି।

ପିସିସି ଚୌକିକୁ ନେଇ ଗତ ୪ ବର୍ଷ ହେଲା କନ୍ଦଳ ଲାଗି ରହିଛି। ୪ ବର୍ଷରେ ୩ ଜଣ ନେତା ପିସିସି ସଭାପତି ଗାଦି ସମ୍ଭାଳିଛନ୍ତି। ବାରମ୍ବାର ସଭାପତି ବଦଳିବା ଯୋଗୁ ରାଜ୍ୟରେ କଂଗ୍ରେସ କୋମା ଅବସ୍ଥାରେ ରହିଛି। ତେଣୁ ଯେଉଁ ଦିଲ୍ଲୀ ନେତା ବିବାଦ ସମାଧାନ ପାଇଁ ଓଡ଼ିଶା ଆସିବେ ସେମାନେ ଯଦି ନେତାଙ୍କ ମନ ଏକାଠି କରି କଳିର କାରଣ ଖୋଜିପାରିବେ ତେବେ ହିଁ କଂଗ୍ରେସ କୋମାରୁ ଉଠିପାରିବ ବୋଲି ଚର୍ଚ୍ଚା ହେଉଛି।

ଗତ ୪ ବର୍ଷ ତଳେ ଓଡ଼ିଶା ରାଜନୀତି ପାଣିପାଗ ଭିନ୍ନ ଥିଲା। ଆଉ ଏବେ ଏହି ପାଣିପାଗ ବଦଳି ଯାଇଛି। ସେତେବେଳେ କଂଗ୍ରେସର ଅଭ୍ୟୁଦୟ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ୨୦୦୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ଢେ଼ଙ୍କାନାଳ ରାଜାସାହେବ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ସଭାପତି ପଦରୁ ହଟାଇ ନିରଞ୍ଜନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।

୨୦୧୧ ଜୁନ୍‍ ୭ରେ ନିରଞ୍ଜନ ସଭାପତି ହେବା ପରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୩ରେ ନବଗଠିତ ଏନଏସି ଅତାବିରା, ହିନ୍ଦୋଳ ଏବଂ ନୂଆପଡ଼ାରେ ନିର୍ବାଚନ ଲଢ଼ି ସଫଳ ହୋଇଥିଲା। ୨୦୧୨ରେ ନିରଞ୍ଜନଙ୍କ ନେତୃତ୍ୱରେ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‍ଜିରେ ଦଳ ପରିବର୍ତ୍ତନ ସମାବେଶ ଆୟୋଜନ କରି ଶାସକ ବିଜେଡିକୁ ଶକ୍ତ ଚାଲେଞ୍ଜ ଦେଇଥିଲା। ହଜାର ହଜାର କଂଗ୍ରେସ କର୍ମୀଙ୍କୁ ଠୁଳ କରି ନିରଞ୍ଜନ ତାଙ୍କ ପତିଆରା ଦେଖାଇଥିଲେ। ଆଉ ଏହି କର୍ମୀମାନେ ବ୍ୟାରିକେଡ୍‍ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଅଗ୍ରସର ହେବା ବେଳେ ପୋଲିସର ଲାଠିମାଡର ଶିକାର ହୋଇଥିଲେ। ଏହା ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ହେଲେ ନିରଞ୍ଜନ ୨୦୧୪ ନିର୍ବାଚନ ପୂର୍ବରୁ ହଟି ଯାଇଥିଲେ। ଜୟଦେବ ଜେନାଙ୍କୁ ସଭାପତି ଚୌକିରେ ବସାଯାଇଥିଲା। ହେଲେ ଜୟଦେବ ବିଜେଡିକୁ ମୁକାବିଲା କରିବାରେ ସମର୍ଥ ହେଲେନି। ତାଙ୍କ ନେତୃତ୍ୱରେ ଦଳ ୨୦୧୩ରେ ଅନୁଷ୍ଠିତ ପୌର ଏବଂ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିଲେ ହେଁ ଆଶାତୀତ ଫଳ ପାଇ ନ ଥିଲା। ଫଳରେ କଂଗ୍ରେସକୁ ନିରାଶ ହେବାକୁ ପଡିଥିଲା। ଏଣୁ ଜୟଦେବଙ୍କୁ ହଟାଇବା ପାଇଁ ଲବି ଜୋରଦାର ହୋଇଥିଲା। ବହୁ ପୁରୁଖା କଂଗ୍ରେସ ନେତା ଜୟଦେବଙ୍କୁ ହଟାଇବା ପାଇଁ ହାଇକମାଣ୍ଡଙ୍କ ନିକଟକୁ ପତ୍ର ଲେଖିବା ସହ ଦିଲ୍ଲୀରେ ଡେରା ପକାଇଥିଲେ।

ଏହାପରେ ପ୍ରସାଦ ହରିଚନ୍ଦନଙ୍କ ହାତକୁ କଂଗ୍ରେସ ମଙ୍ଗ ଆସିଥିଲା। ମାତ୍ର ପ୍ରସାଦ ସଙ୍ଗଠନ ମଜଭୁତ କରିବା ପାଇଁ ଉଦ୍ୟମ କରୁ ନ ଥିବା କିଛି ବିଧାୟକ ଅଭିଯୋଗ କରିବାରୁ ତାଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ପ୍ରସାଦଙ୍କ ପରେ କିଏ ସଭାପତି ଆସନରେ ବସିବ ତାକୁ ନେଇ କଳି ଆରମ୍ଭ ହୋଇଛି। ବିଧାୟକ ଗୋଷ୍ଠୀ ନିରଞ୍ଜନଙ୍କ ସପକ୍ଷରେ ସ୍ୱର ଉଠାଉଥିବା ବେଳେ ଆଉ କେତେକ ଭକ୍ତ ଦାସ, ଶ୍ରୀକାନ୍ତ ଜେନା ଏବଂ ପ୍ରଦୀପ ମାଝିଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ୍‍ ହୋଇ ଯାଇଛି। ବିବାଦ ସମାଧାନ ହେଉ ନ ଥିବାରୁ ଏଆଇସିସି ୩ ଜଣ ଦିଲ୍ଲୀ ନେତାଙ୍କୁ ଦାୟିତ୍ୱ ଦେଇଛି। ଏହି ଦିଲ୍ଲୀ ନେତା ଖୁବ୍‍ଶୀଘ୍ର ଓଡ଼ିଶା ଆସି ବିବାଦର କାରଣ ଖୋଜି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ନେତାଙ୍କ ରିପୋର୍ଟ ପରେ ରାଜ୍ୟ କଂଗ୍ରେସରେ କି ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଲା।

ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ ଏହି ପଦବୀରେ ବସାଇବା ପାଇଁ ବିଧାୟକମାନେ ଲବି କରୁଛନ୍ତି। ଆଉ କିଛି ନେତା ନିରଞ୍ଜନଙ୍କୁ ଚାହୁଁ ନ ଥିବାରୁ କଂଗ୍ରେସ ଘରର କଳି ପଦାରେ ପଡିଛି। ତେବେ ଏଆଇସିସି ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ବିବାଦ ସମାଧାନ କରିବା ପାଇଁ ୩ ଜଣ କେନ୍ଦ୍ର ନେତାଙ୍କୁ ଦାୟିତ୍ୱ ଦେଇଛି।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here